ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ
ବିଜେଡିର ସହଯୋଗ ଲୋଡ଼ିଲା, ନବୀନଙ୍କୁ ଭେଟିଲେ ବିଧାୟକ
ସମର୍ଥନ ଦେବ କି ବିଜେଡ଼ି?
ଭୁବନେଶ୍ୱର, ୧୮/୯: ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବାଚସ୍ପତିଙ୍କୁ ଦେଲେ ଚିଠି। ବିଧାନସଭା ସଚିବଙ୍କ ଜରିଆରେ କଂଗ୍ରେସ ଏହି ଅନାସ୍ଥା ପ୍ରସ୍ତାବ ନେଇ ଚିଠି ଦେଇଛି। କଂଗ୍ରେସକୁ ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମର୍ଥନ ଥିବା ସୂଚନା ମିଳିଛି।
ସେପଟେ ଅନାସ୍ଥା ନେଇ ବିଜେଡିର ସହଯୋଗ ଲୋଡ଼ିଛି କଂଗ୍ରେସ। କଂଗ୍ରେସ ବିଧାୟକ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏ ନେଇ ଆମେ ବିଜେଡିର ସହଯୋଗ ଲୋଡ଼ୁଛୁ କହିଛନ୍ତି ରାମଚନ୍ଦ୍ର କାଡାମ୍। ସେମାନେ ଅନାସ୍ଥା ଆଣିଲେ ଆମେ ସମର୍ଥନ କରିବୁ କହିଥିଲୁ। ଆମେ ଅନାସ୍ଥା ଆଣିଲେ ବିଜେଡିକୁ ସମର୍ଥନ ଦେବାକୁ ମଧ୍ୟ ପୂର୍ବରୁ କହିଛୁ।
ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, “କଂଗ୍ରେସ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ବିଜେଡି ସହ ଆଲୋଚନା କରିନି। ଆମେ ଗୃହରେ ଆମ ପ୍ରସଙ୍ଗ ଉଠାଇବୁ।”
କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ନେଇ କଟାକ୍ଷ କରିଛନ୍ତି ବିଧାୟକ ଜୟନାରାୟଣ ମିଶ୍ର। “ବିଜେଡି ଓ କଂଗ୍ରେସ ଭିତରେ ସିଲ୍ଭର ମେଡାଲ ପାଇଁ ଲଢ଼େଇ ଚାଲିଛି। ଅନାସ୍ଥାର କୌଣସି ପ୍ରଭାବ ସରକାରଙ୍କ ଉପରେ ପଡ଼ିବ ନାହିଁ” ବୋଲି କହିଛନ୍ତି।