ଶ୍ରୀମୟୀଙ୍କୁ ନିର୍ଯାତନା ଦେଇଛି ବିଜେଡ଼ି: ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ
ଦେବାଶିଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ଶୃଙ୍ଖଳା କମିଟି: ପ୍ରମିଳା ମଲ୍ଲିକ
ଭୁବନେଶ୍ୱର, ୧୯/୯: ନିକଟରେ ବିଜେଡ଼ି ନେତ୍ରୀ ଶ୍ରୀମୟୀ ମିଶ୍ର ସୋସିଆଲ ମିଡିଆରେ ଧ୍ରୁତରାଷ୍ଟ୍ର ଆଖ୍ୟା ଓ ସନ୍ନ୍ୟାସ ଆଖ୍ୟା ଦେଇ ପୋଷ୍ଟ କରିବା ପରେ ରାଜନୀତି ଜୋର୍ ଧରିଛି। ନବୀନଙ୍କୁ ଇଙ୍ଗିତ କରି ଧ୍ରୁତରାଷ୍ଟ୍ର କହିଥିବା ବେଳେ ପାଣ୍ଡିଆନଙ୍କୁ ଇଙ୍ଗିତ କରି ଭଣ୍ଡ ସନ୍ନ୍ୟାସୀର ଆଖ୍ୟା ଦେଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯଦିଓ ଶ୍ରୀମୟୀ ସିଧାସଳଖ ନବୀନ କି ପାଣ୍ଡିଆନଙ୍କୁ ଟାର୍ଗେଟ କରିନଥିବା ବେଳେ ଏହା ନବୀନ ଓ ପାଣ୍ଡିଆନଙ୍କୁ ଆକ୍ଷେପ କରି କୁ଼ହା ଯାଇଥିବା ଚର୍ଚ୍ଚା ହେଉଛି। ସେପଟେ ଶ୍ରୀମୟୀଙ୍କ ଏଭଳି ଆକ୍ଷେପ ନେଇ ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରେ ବୋଲି କିଛି ବରିଷ୍ଠ ନେତୃବୃନ୍ଦ କହୁଥିଲେ।
ତେବେ ଆଜି ଶ୍ରୀମୟୀଙ୍କ ସପକ୍ଷରେ ବାହାରିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଶ୍ରୀମୟୀ ଯେତେବେଳେ ଯାହା କହିଛନ୍ତି ଠିକ୍ କହିଛନ୍ତି କହିଛନ୍ତି ଦେବାଶିଷ। ଦେବାଶିଷ କହିଛନ୍ତି, ଶ୍ରୀମୟୀ ଯେଉଁ ସବୁ କଥା କହିଛନ୍ତି ସେଥିରେ ସତ୍ୟତା ରହିଛି।ଦଳ ତାଙ୍କୁ ଟିକେଟ ଦେବାକୁ କହି ନିର୍ବାଚନମଣ୍ଡଳୀ ବୁଲାଇଥିଲା। ଟିକେଟ୍ ଦେବାକୁ କହି ଶ୍ରୀମୟୀଙ୍କୁ ଟିକେଟ୍ ଦେଇନି ଦଳ। ଶ୍ରୀମୟୀ ମିଶ୍ରଙ୍କୁ ଦଳ ନିର୍ଯାତନା ଦେଇଛି ବୋଲି କହିଛନ୍ତି।
ସେହିପରି ପ୍ରଫୁଲ୍ଲ ମଲ୍ଲିକଙ୍କୁ ସସପେଣ୍ଡ୍ କରିବା କଥା ମଧ୍ୟ ଅନୁଚିତ୍ ବୋଲି କହିଛନ୍ତି ଦେବାଶିଷ। ସେ କହିଛନ୍ତି, “ପ୍ରଫୁଲ୍ଲ ମଲ୍ଲିକଙ୍କୁ ସସ୍ପେଣ୍ଡ କରିବା ଠିକ୍ ନୁହେଁ। ସେ ଜଣେ ବରିଷ୍ଠ ନେତା, ବିଜେଡି ପାଇଁ ଅନେକ କାମ କରିଛନ୍ତି। ପ୍ରଫୁଲ ମଲ୍ଲିକଙ୍କୁ ବିଜେଡିରୁ ସସ୍ପେଣ୍ଡ କରିବା ଦଳର ଭୁଲ୍ ନିଷ୍ପତ୍ତି। ପ୍ରତାପ ଜେନା ଯେଉଁ ଭଳି କହିଲେ ସେଥିପାଇଁ ସେ ଅନୁତାପ କରିଥିବେ। ପ୍ରତାପ ନିଜେ ଭୁଲ୍ କହିଛନ୍ତି ବୋଲି ଅନୁତାପ କଲେଣି। ଭାସ୍କର ରାଓ ଭଳି ପୁରୁଖା ନେତା ଦଳ ଛାଡ଼ିବା ମଧ୍ୟ ଶୁଭଙ୍କର ନୁହେଁ। ଏହା ଦଳକୁ ଅନେକ କ୍ଷତି ପହଞ୍ଚାଇବ।”
ବିଜେଡିରେ ନ ଥିବା କଥାକୁ ଏଡ଼ାଇ ଯାଇଛନ୍ତି ଦେବାଶିଷ। ମୁଁ ଦଳରେ ଅଛି, ମୋତେ ଅଣଦେଖା କରାଯାଉନି। ଯେତେବେଳେ ମୋତେ କହିବାକୁ କୁହାଯାଉଛି, ସଂସଦରେ କହୁଛି।
ବିଜେଡିରେ ନେତାଙ୍କ ଦଳ ବିରୋଧରେ ନୁହେଁ, ବ୍ୟକ୍ତିଙ୍କ ବିରୋଧରେ ଅସନ୍ତୋଷ ରହିଛି। ଆମ ମୁରବୀ ନବୀନ, ସେ ଯେମିତି ନିର୍ଦ୍ଦେଶ ଦେବେ ଆମେ ପାଳନ କରିବୁ। ନବୀନ ଆଗରୁ ଯେପରି ନିର୍ଦ୍ଦେଶ ଦେଉଥିଲେ, ଦିଅନ୍ତୁ, ଆମେ ମାନିବୁ। ନବୀନ ବାବୁଙ୍କୁ ପୂର୍ବଭଳି ଭେଟିବା ଆଉ ସମ୍ଭବ ହେଉନାହିଁ। ଦଳର କନିଷ୍ଠ ନେତା ପ୍ରଫୁଲ୍ଲଙ୍କ ଭଳି ବରିଷ୍ଠଙ୍କ ବିରୋଧରେ ମନ୍ତବ୍ୟ ଦେବା ଅଶୋଭନୀୟ ବୋଲି କହିଛନ୍ତି ଦେବାଶିଷ।
ସାଂସଦ ଦେବାଶିଷଙ୍କ ମନ୍ତବ୍ୟକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। “ଯିଏ ବିଶୃଙ୍ଖଳା କରିବ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାରମ୍ୱାର ଦେବାଶିଷ ସାମନ୍ତରାୟ ଏମିତି କାହିଁକି କହୁଛନ୍ତି। ଦଳ ସଭାପତି ଠିକ୍ ପଦକ୍ଷେପ ନେଇଛନ୍ତି, ଠିକ୍ ହେବ। ଦଳ ବିରୋଧରେ ବୟାନବାଜି ଠିକ୍ ନୁହେଁ, ଦୁର୍ଭାଗ୍ୟଜନକ। ଶୃଙ୍ଖଳା କମିଟି ଅଛି, ପଦକ୍ଷେପ ନେବ।” ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି।