କାଜୁ ଦୋକାନରେ ଚଢ଼ାଉ

ଜରିମାନା ଆଦାୟ

କୋଣାର୍କ,୧୯।୯(ଆପ୍ର): ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଦୀର୍ଘ ଦିନ ହେଲା ପୋକରା ଓ ନିମ୍ନମାନର କାଜୁ ବିକ୍ରି ହେଉଥିବା ପର୍ଯ୍ୟଟକମାନେ ଅଭିଯୋଗ କରିଆସୁଥିଲେ। କୋଣାର୍କ ଓ ଚନ୍ଦ୍ରଭାଗା ରାସ୍ତା ପାର୍ଶ୍ବ ଦୋକାନରେ ପୋକରା କାଜୁ ଓ ପୋସ୍ତକ ନାମରେ ଘାସ ମଞ୍ଜିକୁ ‘ରାମଦାନା’ କହି ପର୍ଯ୍ୟଟକଙ୍କୁ ବିକ୍ରି ହେଉଥିବା ଜଣାପଡିଛି। ଶୁକ୍ରବାର କୋଣାର୍କର ବିଭିନ୍ନ କାଜୁ ଦୋକାନରେ କୋଣାର୍କ ପୁଲିସ ଓ ଖାଦ୍ୟ ସୁରକ୍ଷା ଅଧିକାରୀ ମିଳିତ ଚଢାଉ କରିଥିଲେ। ରାସ୍ତା ପାର୍ଶ୍ବରେ ପ୍ରାୟ ୩୨କାଜୁ ଦୋକାନରେ ଚଢ଼ାଉ କରାଯାଇଥିବାବେଳେ ୨ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। କେତେକ ଅସାଧୁ ବ୍ୟବସାୟୀମାନେ ଲୋଭନୀୟ ଜରି ପ୍ୟାକେଟ ଭିତରେ ପୋକରା କାଜୁ ରଖି ଚଢାଦରରେ ପର୍ଯ୍ୟଟକଙ୍କୁ ବିକ୍ରି କରୁଥିବାର ଜଣାପଡ଼ିଛି। ଫଳରେ କୋଣାର୍କ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନେ ଠକାମିର ଶିକାର ହେଉଛନ୍ତି। ଗତ ୨୦୨୫ ଜାନୁୟାରୀ ୨୭ରେ ପୁରୀ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତ୍ଯୁଷ ରଂଜନ ତାରେଣିଆଙ୍କ ନେତୃତ୍ବରେ ଭୁବନେଶ୍ବରରୁ ଆସିଥିବା ମୋବାଇଲ ଲାବୋରେଟୋରୀ ଟେଷ୍ଟିଂଗ ଭ୍ଯାନ ସହ ୪ଜଣିଆ ଟିମ କୋଣାର୍କ ଟୁରିଷ୍ଟ ମାର୍କେଟ ସମେତ ବିଭିନ୍ନ ସ୍ଥାନରେ ପୋକରା ଓ ନିମ୍ନମାନର କାଜୁ ବିକ୍ରି କରି ପର୍ଯ୍ୟଟକଙ୍କୁ ଲୁଟ କରୁଥିବା ଅସାଧୁ ବ୍ୟବସାୟୀଙ୍କ ଦୋକାନ ଉପରେ ଚଢାଉ କରିଥିଲେ। ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ଅଧିକାଂଶ ଅସାଧୁ କାଜୁ ବ୍ୟବସାୟୀ ଚଢାଉ ଭୟରେ ଦୋକାନ ବନ୍ଦ କରି ଲୁଚି ପଳାଇଥିଲେ। କାଜୁ ଦୋକାନ ଗୁଡିକରୁ କାଜୁ ଓ ରାମଦାନା ସଂଗ୍ରହ କରି ଭୁବନେଶ୍ଵର ସ୍ଥିତ ମାନ ପରୀକ୍ଷା କେନ୍ଦ୍ରକୁ ପଠାଇଥିଲେ। ଏ ସମ୍ପର୍କରେ ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତ୍ଯୁଷ ରଂଜନ ତାରେଣିଆଙ୍କୁ ପଚାରିବାରୁ ଆଗାମୀ ଦିନରେ ନିୟମିତ ଭାବେ କାଜୁ ବ୍ୟବସାୟୀ ମାନଙ୍କ ଉପରେ ଚଢାଉ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।