ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର ୨୭।୦୯ : ଏଥର ଦଶହରାକୁ ଭିଜାଇବ ବର୍ଷା । ଆସନ୍ତା ୨ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହି ଲଘୁଚାପ ପ୍ରଭାବରେ ପୂଜା ସମୟରେ ପ୍ରବଳ ବର୍ଷା ହେବ । ୨ ଓ ୩ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷିବ ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ପୂର୍ବାନୁମାନ କରିଛି ।

କେନ୍ଦ୍ର ପୂର୍ବାନୁମାନ ଅନୁସାରେ, ଦକ୍ଷିଣ ଚାଇନା ସାଗରରେ ଟାଇଫୁନ୍‌ ନୋରୁର ପ୍ରଭାବରେ ପୂର୍ବ କେନ୍ଦ୍ର ବଙ୍ଗୋପସାଗର ଓ ଏହାର ସଂଲଗ୍ନ ମିଆଁମାର ଉପକୂଳରେ ବାୟୁମଣ୍ଡଳ ଉପରଭାଗରେ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି । ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ବାଂଲାଦେଶ ଉପକୂଳବର୍ତ୍ତୀ ସଂଲଗ୍ନ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୩ ସୁଦ୍ଧା ଉତ୍ତର ଓଡ଼ିଶା ଉପକୂଳକୁ ଆସିବ । ପରଦିନ ଏହା ପଶ୍ଚିମ ଓଡ଼ିଶାକୁ ମୁହାଁଇବ ।