ଢ଼ିଲା ସୁରକ୍ଷା ବ୍ୟବସ୍ଥା: ପୁଣି ଥାନାରୁ ଚମ୍ପଟ ମାରିଲା ଚୋର

ପୋଲିସ ଗୋଡାଇଲେ ବି ଟେର୍ ପାଇଲାନି

ଭୁବନେଶ୍ଵର, ୧୪/୧୦: ପୁଣି ଥାନାରୁ ଚମ୍ପଟ ମାରିଲା ଅପରାଧୀ। ଗତ କିଛି ଦିନ ତଳେ ଦୁଇ ବିହାରୀ ଅପରାଧୀ ଚୌଦ୍ଵାର ଜେଲରୁ ଫେରାର ହୋଇଥିବା ବେଳେ ଏବେ ଭୁବନେଶ୍ୱର ର ଚନ୍ଦକା ଥାନାରୁ ଜଣେ ବଙ୍ଗୀୟ ଅପରାଧୀ ଫେରାର ହୋଇ ଯାଇଥିବା ସୂଚନା ମିଳିଛି।

ବାନ୍ତି ବାହାନାରେ ଥାନାରୁ ଅଭିଯୁକ୍ତ ଫେରାର ହୋଇଯାଇଛି। କନଷ୍ଟେବଳଙ୍କୁ ଧକ୍କା ଦେଇ ଚମ୍ପଟ୍ ମାରିଲା ମୋବାଇଲ ଚୋର। ଫେରାର ଅଭିଯୁକ୍ତ ପଶ୍ଚିମବଙ୍ଗର ରାଜା ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଗତ ୨୮ ତାରିଖରେ ଏକ ଫୋନ୍ ଚୋରି ମାମଲାରେ ଫେରାର ଅଭିଯୁକ୍ତକୁ ଧରି ପଚରାଉଚରା କରୁଥିଲା ପୋଲିସ। ଗତକାଲି ଅଭିଯୁକ୍ତ ବାନ୍ତି ହେବା ବାହାନା କରି ବାଥରୁମକୁ ଯାଇଥିଲା। ଏହି ସମୟରେ ତାକୁ ଦୁଇଜଣ କନଷ୍ଟେବଳ ଜଗିଥିଲେ। ହେଲେ କନଷ୍ଟେବଳଙ୍କୁ ଧକ୍କା ଦେଇ ପଛ ଗେଟ୍ ଦେଇ ଦୌଡ଼ି ପଳାଇଥିଲା। ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଗୋଡ଼ାଇଥିଲେ ବି ଆଉ ତାର ଟେର୍ ପାଇନଥିଲେ।

ସେପଟେ ପୋଲିସ ଜଗିଥିଲେ ବି କିଭଳି ଚୋର ଖସି ପଳାଇଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚୋର ଖସି ପଳାଇଥିଲେ ବି ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।