ପାତ୍ରପୁର, ୨୮/୧୦: ପାତ୍ରପୁର ବ୍ଳକ ପାତ୍ରପୁର ଅଞ୍ଚଳରେ ଜାରି ରହିଛି ଲଗାଣ ବର୍ଷା। ଗତକାଲି ଗଞ୍ଜାମ ଜିଲ୍ଲାର ପାତ୍ରପୁରଠାରେ ସର୍ବାଧିକ ୧୧୭.୬ ମିଲିମିଟର ବର୍ଷା ରେକଡ୍ ହୋଇଥିବା ବେଳେ ବାଘଲଟିଠାରେ ଜିଲ୍ଲାର ସର୍ବାଧିକ ବର୍ଷା ୧୨୧ ମିଲିମିଟର ରେକର୍ଡ ହୋଇଥିଲା। ପ୍ରଶାସନ ଆଙ୍କୁଲି ପଂଚାୟତର ଦୁଇଟି ଗ୍ରାମର ଶତାଧିକ ଲୋକଙ୍କୁ ତାଡ଼କା ସାହି ରାଜୀବ ଗାନ୍ଧୀ ସେବା କେନ୍ଦ୍ରକୁ ସ୍ଥାନାନ୍ତରିତ କରାଇଥିବା ବେଳେ ଲୁହସୀଙ୍ଗି ପ୍ରଭୁତି ଗ୍ରାମର ଲୋକଙ୍କୁ ଧାନବାଡ଼ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଇଛନ୍ତି। ସେହିପରି ତଳ ବୁରାତାଲ ମିଶନ ଶକ୍ତି ଗୃହରେ ବୁରାତାଲା ପଂଚାୟତର ପ୍ରାୟ ତିରିଶି ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରି ରଖାଯାଇଛି। ଗତକାଲି ରାତ୍ର ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ତାଡ଼କା ସାହିଠାରେ ଥିବା ଆଶ୍ରସ୍ଥଳୀରେ ପହଞ୍ଚିବା ସହିତ ବିଡିଓ ଲକ୍ଷ୍ମଣ ଚରଣ ସୋରେନ ତହସିଲଦାର ଅଶୋକ କୁମାର ପଟ୍ଟନାୟକ ଏବଂ ଲୋକଙ୍କ ସହିତ ଆଲୋଚନା କରି ଥିଲେ। ଲଘୁଚାପ ବର୍ଷାର ଆଶଙ୍କା କରି ପ୍ରସବ ଆଶା କରୁଥିବା ୨୫ ଜଣ ଗର୍ଭବତୀ ମହିଳାଙ୍କୁ ପାତ୍ରପୁରର ହସ୍ପିଟାଲ କୋଠା ନିକଟସ୍ଥ ମା ଗୃହକୁ ଗତ କାଲି ଅଣା ଯାଇଥିବା ବେଳେ ବର୍ଷାରେ ଏହି ଗୃହ ଆଗରେ ପାଣି ଜମିବା ଦେଖି ଗୃହରେ ଆଜି ଥିବା ୧୬ ଜଣ ଗର୍ଭବତୀ ମହିଳାଙ୍କୁ ମା ଗୃହରୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ବର୍ଷା ଆଶଙ୍କା ଦେଖି ଆଜି ଅପରାହ୍ନରେ ବାଘଲଟି ମାଧ୍ୟମ ଜଳସେଚନ ପ୍ରକଳ୍ପରୁ ୧୫୦ କ୍ୟୁମେକ ବନ୍ୟା ଜଳ ତିନୋଟି ଜଳ ନିର୍ଗମ୍ ପଥ ଦେଇ ନଦୀକୁ ଛଡାଯାଇଥିବା ଦେଖିବାକୁ ମିଳିଛି। ଅତ୍ୟଧିକ ବର୍ଷା ଫଳରେ ପାହାଡର ପାଣି ସହିତ ବିଭିନ୍ନ ନାଳ ପାଣି ଗ୍ରାମରେ ଥିବା ଧାନ ଚାଷ ଜମିରେ ପଶି ବୁଡି ରହିଛି। ପାହାଡ ଉପରେ ଆଦିବାସୀମାନେ କରୁଥିବା ଫସଲ ତଳେ ପଡି ଗଜା ହେବା ସହ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ପ୍ରଶାସନ ବର୍ଷା କୁ ଦେଖି ଲୋକଙ୍କ ନିରାପଦ ରହଣି ନିମନ୍ତେ ସୁନାରିବାଡ଼ ସିନ୍ଦୁରାବାଡ ସିଲେଇ ସିଙ୍ଗି ଆଶ୍ରୟସ୍ଥଳରେ କିଛି ଲୋକଙ୍କୁ ଆଣି ରଖାଥିବା ଜଣା ପଡିଛି। ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ପାତ୍ରପୁର ଅଞ୍ଚଳର ସ୍ଥିତି ସମୀକ୍ଷା କରିବା ସହିତ ପାତ୍ରପୁର ବ୍ଳକର ବିଭିନ୍ନ ପଞ୍ଚାୟତର ବାତ୍ୟା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖି ରାତି ଦିନ ଏକ କରି ବାତ୍ୟା ଅଞ୍ଚଳରେ ଲୋକ ମାନଙ୍କ ସେବାରେ ଲାଗିପଡିଥିବା ଦେଖିବାକୁ ମିଳିଛି। ପରେ ଧାନବାଡ ତାଡକା ସାହି ସହିତ ବିଭିନ୍ନ ଅଞ୍ଚଳ ଗସ୍ତ କରି ଥିଲେ। ତାଡ଼କା ସାହିଠାରେ କିଛି ବିଷୟକୁ ନେଇ ସେଠାରେ ଥିବା ସରକାରୀ ଅଧିକାରୀଙ୍କୁ ତାଗିତ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା। ଏବଂ ବିଭିନ୍ନ ଗ୍ରାମରେ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଆଜି ଏଡିଏମ୍ ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ପାତ୍ରପୁର ଅଞ୍ଚଳ ଗସ୍ତ କରି ସମୀକ୍ଷା କରି ଥିଲେ। ପାତ୍ରପୁର ବ୍ଳକର ତାଡ଼କା ସାହିଠାରୁ ଆଙ୍କୁଲି ରାସ୍ତା ଉପରେ ପଥର ଖସି ରାସ୍ତା ଅବରୋଧ ହୋଇ ଥିବା ବେଳେ ଏନଡିଆରଏଫ ଟିମ ପହଞ୍ଚି ତାହା ବାହାର କରିଥିବା ସୂଚନା ମିଳିଛି। ବିଧାୟକ ମନୋରଞ୍ଜନ ବାତ୍ୟା ସମୟରେ ଜନସାଧାରଣଙ୍କ ଦୁଃଖସୁଖରେ ସାମିଲ ହୋଇ ଲୋକଙ୍କ ସମସ୍ୟାକୁ ଆଖି ଆଗରେ ରଖି ଦୁଇଦିନ ହେଲାଣି ସମସ୍ତ ପଞ୍ଚାୟତକୁ ଗସ୍ତ କରି ସମସ୍ତ ଜନସାଧାରଣଙ୍କୁ ଉତ୍ତମ ସେବା କେମିତି ମିଳିପାରିବ ସେ ଦିଗରେ କାର୍ଯ୍ୟ କରିଥିବାରୁ ପାତ୍ରପୁର ବ୍ଳକର ସମସ୍ତ ଜନସାଧାରଣ ବିଧାୟକ ମନୋରଞ୍ଜନଙ୍କୁ ଭୁରି ଭୁରି ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।
Next Post