ଭୁବନେଶ୍ଵର, ୦୭/୧୧: ଆଜି ନୂଆପଡ଼ା ଗସ୍ତରେ ଅଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଦଳୀୟ ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବା ପାଇଁ ନବୀନ ନୂଆପଡ଼ା ଗସ୍ତରେ ଯାଇଛନ୍ତି। କିନ୍ତୁ ନବୀନ ନୂଆପଡା ଯିବା ବେଳେ ତାଙ୍କ ହେଲିକପ୍ଟର ଉଡାଣ ପ୍ରାୟ ୨୫ ମିନିଟ୍ ବିଳମ୍ବ ହୋଇଥିଲା। ଏହି ବିଳମ୍ବ ଯୋଗୁଁ ବିଜେଡ଼ି ଯୁବନେତା ଚିନ୍ମୟ ସାହୁ ଅଭିଯୋଗ କରିଥିଲେ ଯେ, ଏହା ଜାଣିଶୁଣି କରାଯାଇଛି।
ତେବେ ଏହି ଅଭିଯୋଗକୁ ନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସ୍ପଷ୍ଟୀକରଣ ରଖି କହିଛନ୍ତି, “ଟ୍ରାଫିକ୍ କ୍ଲିୟରାନ୍ସ ସମସ୍ୟା ଯୋଗୁଁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନୂଆପଡାକୁ ବିମାନ ପ୍ରାୟ ୨୫ ମିନିଟ୍ ବିଳମ୍ବ ହୋଇଥିଲା। ନବୀନଙ୍କ ଫ୍ଲାଇଟ୍ ଅପରେଟର ଫ୍ଲାଇଟ୍ ପ୍ଲାନ୍ ସବ୍ମିଟ୍ କରି ନଥିଲେ। ତେଣୁ ଏୟାର ଡିଫେନ୍ସ କ୍ଲିଅରାନ୍ସ ନମ୍ବର ମିଳି ନଥିଲା। କୋଅର୍ଡିନେଟ୍ କରି କୋଲକାତାରୁ ନମ୍ବର ନେଲୁ। ଏଥିପାଇଁ ପ୍ରାୟ ୨୫ ମିନିଟ୍ ବିଳମ୍ବ ହେଲା ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ।
ଏହା ପରେ, ନବୀନ ଦିନ ପ୍ରାୟ ୧୨ଟା ୩୦ ରେ ନୂଆପଡାର ଖରିଆର ରୋଡରେ ହେଲିପ୍ୟାଡରେ ଅବତରଣ କଲେ।