ଧଉଳି ଗଣଦୁଷ୍କର୍ମ: ବନ୍ଧା ହେଲା ଜୋକର ହାପି

ଘଟଣା ପରଠାରୁ ଫେରାର ଥିଲା ଅଭିଯୁକ୍ତ

ମୁଖ୍ୟ ଅଭିଯୁକ୍ତକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ

ଭୁବନେଶ୍ୱର, ୧୮/୧୨: ଧଉଳି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀ ଓରଫ ଜୋକର ହାପିକୁ ଗିରଫ କଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ। ଏ ନେଇ ସୂଚନା ଦେଇଛନ୍ତି ସିପି ଏସ ଦେବଦତ୍ତ ସିଂହ। ଗିରଫଦାରୀ ପରେ ଅଭିଯୁକ୍ତକୁ ନେଇ ଘଟଣାସ୍ଥଳରେ କ୍ରାଇମ ସିନ୍ ରିକ୍ରିଏସନ କରିଛି ପୋଲିସ।

ଅଭିଯୁକ୍ତକୁ ଗଞ୍ଜାମରୁ ଗିରଫ କରାଯାଇଛି। ଘଟଣା ପରେ ଫେରାର ଥିଲା ଅଭିଯୁକ୍ତ। ପ୍ରଥମେ ଖୋର୍ଦ୍ଧା ଓ ପରେ ଗଞ୍ଜାମରେ ଆତ୍ମଗୋପନ କରିଥିଲା। ସତ୍ୟପ୍ରକାଶ ନାଁରେ ପ୍ରାୟ ୧୫ରୁ ଅଧିକ ଅପରାଧିକ ମାମଲା ରହିଛି। ଜେଲ୍ ରୁ ଫେରି ଏହି କାଣ୍ଡ ଭିଆଇଥିଲା ଅଭିଯୁକ୍ତ। ୨୦୧୮ରେ ଗାଡ଼ି ଚୋରି କରି ଜେଲ୍ ଯାଇଥିଲା। ୨୦୨୨, ୨୦୨୪ ଓ ୨୦୨୫ ରେ ମଧ୍ୟ ଗିରଫ ହୋଇଥିଲା। ଏହି ଘଟଣାରେ ୫ ଜଣ ସାମିଲ ଥିବା ବେଳେ ପୂର୍ବରୁ ୨ ଜଣଙ୍କୁ ଗିରଫ କରାଯାଇଥିଲା। ଏବେ ବି ଆଉ ଦୁଇ ଜଣ ଅଭିଯୁକ୍ତ ଫେରାର ଅଛନ୍ତି।

ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁ ଧଉଳି ଶାନ୍ତିସ୍ତୂପ ବୁଲିବାକୁ ଯାଇଥିବା ବେଳେ ଏହି ବର୍ବର କାଣ୍ଡ ଘଟାଇଥିଲେ ଅଭିଯୁକ୍ତ। ଦୁର୍ବୃତ୍ତମାନେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ ଓ ପୁରୁଷ ବନ୍ଧୁଙ୍କୁ ଆକ୍ରମଣ କରିଥିଲେ। ଯୁବକ ପିନ୍ଧିଥିବା ରୂପା ଚେନ ଓ ଟଙ୍କା, ନାବାଳିକା ପିନ୍ଧିଥିବା ସୁନା ଚେନ ଲୁଟି ନେଇଥିଲେ। ଏହି ଘଟଣାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରାଯାଇଥିଲା।