ନବୀନଙ୍କୁ ଭେଟିଲେ ଶେରଗଡ଼ ଜନସାଧାରଣ ଓ ବିଜେଡି କର୍ମୀ
ବିକାଶ କାମରେ ସରକାରଙ୍କ ଉଦାସୀନତା ଓ ଆଇନ ଶୃଙ୍ଖଳାରେ ପକ୍ଷପାତିତା ନେଇ ଆଣିଲେ ଅଭିଯୋଗ
ଭୁବନେଶ୍ୱର, ୧୮/୧୨: ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଶେରଗଡ଼ ବ୍ଲକର ଜନ ସାଧାରଣ ଓ ବିଜୁ ଜନତା ଦଳର ନେତା ଏବଂ କର୍ମୀ ମାନେ ଆଜି ପୂର୍ବାହ୍ନରେ ନବୀନ ନିବାସରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଶେରଗଡ଼ ବ୍ଲକରେ ବିକାଶ କାମରେ ସରକାରୀ ଉଦାସୀନତା ଓ ଆଇନ ଶୃଙ୍ଖଳା ଅଧିକାରୀ ଦଳୀୟ ମନୋଭାବ ଓ ବିଜେଡି କର୍ମୀମାନଙ୍କୁ ହଇରାଣ ହରକତ କରୁଥିବା ନେଇ ନବୀନଙ୍କ ନିକଟରେ ଅଭିଯୋଗ କରିଥିଲେ।
ଜିଲ୍ଲା ପୋଲିସ ପ୍ରଶାସନ ଦଳୀୟ ଭିତ୍ତିରେ କାମ କରୁଥିବା ଓ ବିଜେଡି କର୍ମୀମାନଙ୍କୁ ହଇରାଣ କରୁଥିବା ନେଇ ଅଭିଯୋଗ କରିଥିଲେ।
ସରକାରୀ ଉଦାସୀନତା ଯୋଗୁଁ ବିକାଶ କାମ ଅଧାପନ୍ତରିଆ ପଡ଼ିଥିବା, ସ୍କୁଲରେ ଶିକ୍ଷକ ପଦବୀ ପୂରଣ ହେଉନଥିବା, ଏପରିକି କେତେକ ସ୍କୁଲରେ ବିଦ୍ୟୁତ ସଂଯୋଗ ଦିଆଯାଉ ନ ଥିବା ଯୋଗୁଁ ଶିକ୍ଷଦାନରେ ଅବନତି ହେଉଥିବା ନେଇ ସେମାନେ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଧାନ ସଂଗ୍ରହରେ ଅବ୍ୟବସ୍ଥା ଯୋଗୁଁ ଚାଷୀ କିପରି ହଇରାଣ ହେଉଛନ୍ତି ସେ ବିଷୟରେ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥଲେ।
ଡାକ୍ତରଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଶେରଗଡ଼ ବାହାରକୁ ମନଇଛା ବଦଳି କରାଯାଉଥିବା ଓ ଖାଲି ପଦବୀ ପୂରଣ କରା ନ ଯାଉଥିବାରୁ ସ୍ୱାସ୍ଥ୍ୟ ସେବା ମଧ୍ୟ ବିପର୍ଯ୍ୟସ୍ତ ହୋଇ ପଡିଛି।
ଅନ୍ୟାନ୍ୟ ବିଷୟମାନଙ୍କ ମଧ୍ୟରେ ଖାଦ୍ୟ ସୁରକ୍ଷା ଓ ସାମାଜିକ ସୁରକ୍ଷା ଭତ୍ତା ପାଇବାରେ ହିତାଧିକାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନେ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଏଭଳି ପ୍ରଶାସନିକ ଉଦାସୀନତା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏ ବିଷୟରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ବୋଲି କହିଥିଲେ।
ଏହି ଆଲୋଚନା ସମୟରେ ବିରୋଧୀ ଦଳ ନେତାଙ୍କ ହିଞ୍ଜିଳି ପ୍ରତିନିଧି ଦେବାନନ୍ଦ ମହାପାତ୍ରଙ୍କ ସମେତ ଶେରଗଡ଼ର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ।