ତୃଣମୂଳସ୍ତରରେ ବିକାଶର କେନ୍ଦ୍ରବିନ୍ଦୁ ହେଉଛି ଅଙ୍ଗନବାଡ଼ି: ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ଆଭାଷୀ ମାଧ୍ୟମରେ ୪୯୧ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟିତ

ସ୍ଵଚ୍ଛତା, ଶୌଚାଳୟ, ବିଦ୍ୟୁତ ସେବା ଓ ପାନୀୟ ଜଳ ସୁବିଧାକୁ ଗୁରୁତ୍ଵ

ଭୁବନେଶ୍ୱର, ୨୪/୧୨: ତୃଣମୂଳସ୍ତରର ବିକାଶର କେନ୍ଦ୍ରବିନ୍ଦୁ ହେଉଛି ଅଙ୍ଗନବାଡି । ଅଙ୍ଗନବାଡି ଭିତ୍ତିଭୂମି ବିକାଶ ଉପରେ ଫୋକସ ଦେଇ ଗ୍ରାମୀଣ ବିକାଶକୁ ସୁଦୃଢ କରିବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି ।

ଆଜି ମହିଳା ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ କରକମଳରେ ପଞ୍ଚାୟତରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଉପସ୍ଥିତିରେ ରାଜ୍ୟର ୪୯୧ଟି ନବନିର୍ମିତ ଅଙ୍ଗନବାଡି କେନ୍ଦ୍ର ଉଦଘାଟନ ହୋଇଯାଇଛି । ଅଙ୍ଗନବାଡିକୁ ସଶକ୍ତ କରି ସେଥିରେ ସ୍ବଚ୍ଛତା, ଶୌଚାଳୟ, ପାନୀୟ ଜଳ ସୁବିଧା, ବିଦ୍ୟୁତ ସେବା,ପୁଷ୍ଟି ବଗିଚା ଆଦିକୁ ବିଶେଷ ଗୁରୁତ୍ଵ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଅଙ୍ଗନବାଡି କେନ୍ଦ୍ରକୁ ବିକଶିତ ଗାଁ ବିକଶିତ ଓଡ଼ିଶାର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ବୋଲି ମତ ପ୍ରକାଶ କରିଛନ୍ତି । ମହିଳାମାନଙ୍କ ସ୍ୱାସ୍ଥ୍ୟ ଓ ଶିଶୁମାନଙ୍କ ପ୍ରାକ୍ ପ୍ରାଥମିକ ଶିକ୍ଷା ଓ ସ୍ଵାସ୍ଥ୍ୟ ବିକାଶ ଅଙ୍ଗନବାଡିର ଭିତ୍ତିଭୂମି ଉପରେ ନିର୍ଭର କରୁଛି ବୋଲି ସେ ଦୃଢ ମତ ରଖିଛନ୍ତି । ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଆୟୁକ୍ତ ତଥା ଶାସନ ସଚିବ ଶ୍ରୀ ଗିରିଶ ଏସ. ଏନ, ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶିକ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଓ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ। ଏହା ସହ ଆଭାଷୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୧୧ଟି, ବାଲେଶ୍ବର ଜିଲ୍ଲାରେ ୬୩ଟି, ବରଗଡ଼ରେ ୩୬ଟି, ଭଦ୍ରକରେ ୨୮ଟି, କଟକରେ ୨୪ଟି, ଗଜପତିରେ ୧୦ଟି, ଜଗତସିଂହପୁରରେ ୩୪, ଯାଜପୁରରେ ୨୦ଟି, , କେନ୍ଦ୍ରାପଡ଼ାରେ ୧୯ଟି, ଖୋର୍ଦ୍ଧାରେ ୨୩ଟି , ପୁରୀରେ ୨୪,ନୟାଗଡ ୧୪ଟି, କୋରାପୁଟ ୧୮ ଟି , କେନ୍ଦ୍ରାପଡ଼ା ୧୯ଟି , କନ୍ଧମାଳରେ ୧୬ଟି, ଗଜପତିରେ ୧୦ଟି, ସୁନ୍ଦରଗଡରେ ୪ଟି, ସୁବର୍ଣ୍ଣପୁରରେ ୧୧ଟି, ସମ୍ବଲପୁରରେ ୯ଟି, ରାୟଗଡାରେ ଏକଟି, ନୂଆପଡ଼ାରେ ୨ଟି, ନବରଙ୍ଗପୁର ୩ଟି, ମାଲକାନଗିରିରେ ୧ଟି , କେଉଁଝରରେ ୫ଟି, ଢେଙ୍କାନାଳରେ ୨ଟି, ବଲାଙ୍ଗୀରି ୭ଟି, ଅନୁଗୁଳରେ ୬ ଟି ଅଙ୍ଗନବାଡିକୁ ଉଦଘାଟନ କରାଯାଇଛି ।

ଏଯାବତ ଦୁଇଟି ପର୍ଯ୍ୟାୟରେ ୧୪୦୪ ଅଙ୍ଗନବାଡିକୁ ସଶକ୍ତ କରାଯାଇଛି । ସେପ୍ଟେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୯୧୩ଟି ଅଙ୍ଗନବାଡି ଓ ଆଜି ଦ୍ଵିତୀୟ ପର୍ଯ୍ୟାୟରେ ୪୯୧ ଅଙ୍ଗନବାଡି ଉଦଘାଟନ କରାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।