ତ୍ରିବେଣୀ ଅମାବାସ୍ୟାରେ ଦିବ୍ୟ ମହାସାବିତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ଯାଜପୁରାଧିଶ୍ୱରୀ ମା’ ବିରଜା
ମା’ଙ୍କ ଦୁର୍ଲଭ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ
ଯାଜପୁର, ୧୮/୦୧: ଓଡ଼ିଶାରେ ତ୍ରିବେଣୀ ଅମାବାସ୍ୟା ବେଶ୍ ମହତ୍ତ୍ଵ ବହନ କରେ। ଏଇ ଦିନଟି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାତା ବିରଜାଙ୍କର ସ୍ବନକ୍ଷତ୍ର ଦିବସ। ଚଳିତ ବର୍ଷ ୧୮ ତାରିଖ (ରବିବାର) ଦିନ ଦେବୀଙ୍କ ଜନ୍ମ ଉତ୍ସବ ପାଳନ ହେଉଛି ଏବଂ ପୌରାଣିକ ମତ ଅନୁସାରେ ପିତାମହ ବ୍ରହ୍ମା ଏକଦା ପବିତ୍ର ବୈତରଣୀ କୂଳରେ ଏକ ଯଜ୍ଞାନୁଷ୍ଠାନ କରିଥିଲେ। ସେଇ ଯଜ୍ଞକୁଣ୍ଡରୁ ଶକ୍ତି ସ୍ବରୂପିଣୀ ମା’ ବିରଜା ଆବିର୍ଭୁତା ହୋଇଥିଲେ। ତେଣୁ ବିରଜା କ୍ଷେତ୍ରରେ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଆଜି ପ୍ରାତଃ କାଳରୁ ମା’ଙ୍କୁ ସ୍ଵନକ୍ଷତ୍ର ବିହିତ ମହାସ୍ନାନ କରାଯାଇ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଦ୍ଵାରା ମା’ଙ୍କ ସିଂହାସନ ନିକଟରେ ସ୍ଵତନ୍ତ୍ର ଷୋଡ଼ଶୋପଚାର ପୂଜା ଅନୁଷ୍ଠିତ ହୋଇ ଦେବୀ ମହା ସାବିତ୍ରୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଏବଂ ଏହି ଦୁର୍ଲଭ ଦର୍ଶନ କରିବା ପାଇଁ ହଜାର ହଜାର ଦର୍ଶନାର୍ଥୀଙ୍କର ଭିଡ ଜମିଛି। ଏହି ପବିତ୍ର ଦିନରେ ଦେବୀଙ୍କୁ ଦର୍ଶନ କଲେ ପୂଣ୍ୟ ପ୍ରାପ୍ତି ହେବାର ମାନ୍ୟତା ରହିଛି। ବର୍ତ୍ତମାନ ରାଜ୍ୟ ସରକାରଙ୍କ ଦ୍ଵାରା ବିରଜା ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲୁ ରହିଛି, ଯାହା ଶ୍ରଦ୍ଧାଳୁମାନଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ସୃଷ୍ଟି କରିବ। ଜନ୍ମୋତ୍ସବରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମା’ଙ୍କ ଜନ୍ମଦିନର ଶୁଭ ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବ। ଏହି ତ୍ରିବେଣୀ ଅମାବାସ୍ୟାରେ ଦେବୀଙ୍କ ଦର୍ଶନର ସୁବିଧାର କିଭଳି ସମସ୍ତେ ପାଇପାରିବେ, ସେଥିପ୍ରତି ଯାଜପୁର ଜିଲ୍ଲା ପ୍ରଶାସନ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା ପଦକ୍ଷେପ ଗ୍ରହଣ କରିଛି।