ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ ପକ୍ଷରୁ ସ୍ପର୍ଶ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ରୋଗ ସହିତ ସାମାଜିକ କଳଙ୍କ ଦୂର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର, ୧୧/୦୨: ଦେଶ ବ୍ୟାପୀ କୁଷ୍ଠରୋଗ ନିରାକରଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ ହସ୍ପିଟାଲ୍ ପକ୍ଷରୁ ଏକ ସ୍ପର୍ଶ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ହସ୍ପିଟାଲର ସହରାଂଚଳ ସ୍ୱାସ୍ଥ୍ୟ ଓ ପ୍ରଶିକ୍ଷଣ କେନ୍ଦ୍ରରେ ମଙ୍ଗଳବାର ଆୟୋଜିତ ହୋଇଯାଇଛି ।

ଏହି ବ୍ୟାଧିର ପ୍ରାରମ୍ଭିକ ଚିହ୍ନଟ ଏବଂ ସାମାଜିକ ସ୍ତରରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ (କୁଷ୍ଠ) ଡକ୍ଟର ରାଜେନ୍ଦ୍ର ମଲ୍ଲିକ ଏବଂ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇଥିଲେ ।

ସେହିପରି ହସ୍ପିଟାଲର କମ୍ୟୁନିଟି ମେଡିସିନ୍ ଆଣ୍ଡ ଇନ୍‌ଫେକ୍ସିୟସ ଡିଜିଜେସ୍ ବିଭାଗର ଅଧ୍ୟାପକ (ଡାକ୍ତର) ଇ. ଭେଙ୍କଟ ରାଓ, ଡାକ୍ତର ସମ୍ବେଦନା ମହାନ୍ତି, ଡକ୍ତର ସ୍ମୃତି ମଧୁସିକ୍ତା ଏବଂ ଡାକ୍ତର ଶୁଭଶ୍ରୀ ସାମନ୍ତରାୟଙ୍କ ସମେତ ପିଜି ଟ୍ରେନି ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଉପସ୍ଥିତ ବ୍ୟକ୍ତିବିଶେଷମାନେ ସ୍ପର୍ଶ କୁଷ୍ଠରୋଗର ସଚେତନତା, କୁଷ୍ଠ ରୋଗର ଶୀଘ୍ର ଚିହ୍ନଟ, ମାଗଣା ଚିକିତ୍ସା ଉପଲବ୍ଧତା ଏବଂ ରୋଗ ସହିତ ସାମାଜିକ କଳଙ୍କ ଦୂର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ଛାତ୍ରଛାତ୍ରୀ, ଇନ୍‌ଟର୍ଣ୍ଣମାନେ ସୂଚନାପ୍ରଦ ପୋଷ୍ଟର ଏବଂ ଏକ ଆକର୍ଷଣୀୟ ଭୂମିକା ନାଟକ ମାଧ୍ୟମରେ ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନର ଉଦ୍ଦେଶ୍ୟ ଏବଂ ମୁଖ୍ୟ ବାର୍ତାଗୁଡ଼ିକ ଉପସ୍ଥାପନ କରିଥିଲେ । ଏଥିରେ ନର୍ସିଂ ଛାତ୍ରଛାତ୍ରୀ ତଥା କର୍ମଚାରୀଙ୍କ ଦ୍ୱାରା ଯେଉଁଥିରେ କୁଷ୍ଠ ରୋଗର ଲକ୍ଷଣ ଏବଂ ସମୟୋଚିତ ଚିକିତ୍ସାର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇ ନାଟକ ପରିବେଷଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମ୍ପ୍ରଦାୟର ସଦସ୍ୟାମାନେ ଡକ୍ଟର ସୁମିତ୍ରା ପଟ୍ଟନାୟକ ଏବଂ ଇନଟର୍ଣ୍ଣ ସଂଯୋଜକ ଡାକ୍ତର ମହିମା ପାଣିଗ୍ରାହୀଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା ।