ମାଣ୍ଡିଆ ଦିବସ-୨୦୨୬ର ଉଦଯାପନୀ ସମାରୋହ
ପ୍ରାକୃତିକ କୃଷି, ତୃଣମୂଳସ୍ତରର ନବସୃଜନ ଏବଂ ଓଡ଼ିଶାର ପୁଷ୍ଟିଶସ୍ୟ ଅର୍ଥନୀତିର ଅଭିବୃଦ୍ଧି ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୧୧/୧୧: ମାଣ୍ଡିଆ ଦିବସର ପଞ୍ଚମ ସଂସ୍କରଣର ଦ୍ୱିତୀୟ ତଥା ଉଦଯାପନୀ ଦିବସ ଭୁବନେଶ୍ୱରସ୍ଥିତ ମେଫେୟାର କନଭେନସନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ ଯୋଗଦେଇ ପ୍ରାକୃତିକ କୃଷି, ତୃଣମୂଳସ୍ତରୀୟ ନବସୃଜନ ଏବଂ ଓଡ଼ିଶାର ପୁଷ୍ଟିଶସ୍ୟ ଅର୍ଥନୀତିର ଅଭିବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ।
ଦ୍ୱିତୀୟ ଦିନରେ ତିନୋଟି ବୈଷୟିକ ଅଧିବେଶନ ଆୟୋଜିତ ହୋଇଥିଲା। ଏହି ଅଧିବେଶନଗୁଡ଼ିକରେ ଚିରନ୍ତନ କୃଷି ପଦ୍ଧତି, ତୃଣମୂଳସ୍ତରୀୟ ନବସୃଜନ ଏବଂ ଉଦ୍ୟୋଗ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶା ସରକାରଙ୍କ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ପକ୍ଷରୁ ‘ପ୍ରାକୃତିକ କୃଷି ଓ ପୁଷ୍ଟିଶସ୍ୟ : ଚିରନ୍ତନ କୃଷି ପାଇଁ ପାରମ୍ପରିକ ଜ୍ଞାନର ପୁନରୁଦ୍ଧାର’ ଶୀର୍ଷକ ପ୍ରଥମ ଅଧିବେଶନ ଆୟୋଜିତ ହୋଇଥିଲା। ସେହିପରି ନିର୍ଦ୍ଦେଶାଳୟ ପକ୍ଷରୁ ‘ତୃଣମୂଳସ୍ତରୀୟ ନବସୃଜନର ପଥପ୍ରଦର୍ଶକ: କୃଷକ ଓ କୃଷି ଉଦ୍ୟୋଗୀଙ୍କ ପ୍ରେରଣାଦାୟୀ ସଫଳ କାହାଣୀ’ ଶୀର୍ଷକ ବିଷୟବସ୍ତୁକୁ ନେଇ ଦ୍ୱିତୀୟ ଅଧିବେଶନ ଆୟୋଜିତ ହୋଇଥିଲା। ଭାରତୀୟ ପୁଷ୍ଟିଶସ୍ୟ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ତୃତୀୟ ଅଧିବେଶନରେ ‘ଓଡ଼ିଶାର ପୁଷ୍ଟିଶସ୍ୟଭିତ୍ତିକ ଅର୍ଥନୀତି: ଉଦ୍ୟୋଗ ବିକାଶ ଓ ବଜାର ସଂଯୋଗୀକରଣ’ ଶୀର୍ଷକ ବିଷୟବସ୍ତୁ ରହିଥିଲା।
ଉଦଯାପନୀ ଦିବସରେ “ପୁଷ୍ଟିଶସ୍ୟର ଉନ୍ନତ ଚାଷ ପଦ୍ଧତି” ଶୀର୍ଷକ ପୁସ୍ତକର ଉନ୍ମୋଚନ କରାଯାଇଥିଲା। ପୁଷ୍ଟିଶସ୍ୟ ଚାଷର ଉନ୍ନତ ପଦ୍ଧତି ସମ୍ପର୍କରେ ଏହି ପୁସ୍ତକ ଏକ ଉପଯୋଗୀ ମାର୍ଗଦର୍ଶିକା ଭାବେ କାର୍ଯ୍ୟ କରିବ। ଏହି ଅବସରରେ ଓଡ଼ିଶାରେ ପୁଷ୍ଟିଶସ୍ୟର ପ୍ରସାର ଓ କୃଷି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଅଗ୍ରଣୀ ଚାଷୀ, କୃଷକ ଉତ୍ପାଦକ ସଂଗଠନ ଏବଂ ମହିଳାଙ୍କ ପ୍ରତିନିଧିତ୍ଵ ଉଦ୍ୟୋଗଗୁଡ଼ିକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦ୍ଯାପନୀ ଅଧିବେଶନରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶିକା ଡ. ପୋମା ଟୁଡୁ, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ଡା ଏବଂ ଇମେଜର ନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ।
ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ “ସହନଶୀଳ ଖାଦ୍ୟ ପ୍ରଣାଳୀ ପାଇଁ ଗୋଷ୍ଠୀଭିତ୍ତିକ ବିହନ ବ୍ୟବସ୍ଥା ଓ କୃଷି ଜୈବବିବିଧତା” ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ଦୁଇଦିନିଆ ସମାରୋହରେ ନୀତି ନିର୍ଦ୍ଧାରକ, କୃଷି ବିଶେଷଜ୍ଞ, ଗବେଷକ, ଚାଷୀ, ଉଦ୍ୟୋଗୀ ଏବଂ ସହଯୋଗୀ ସଂସ୍ଥାମାନେ ଯୋଗଦେଇ ଚିରନ୍ତନ କୃଷିକୁ ସୁଦୃଢ଼ କରିବା ସହ ପୁଷ୍ଟିଶସ୍ୟର ମୂଲ୍ୟ ଶୃଙ୍ଖଳାରେ ନୂତନ ସୁଯୋଗ ସୃଷ୍ଟି ଦିଗରେ ଆଲୋଚନା କରିଥିଲେ।