ଓଡ଼ିଶା-ଜାପାନ ସମ୍ପର୍କରେ ନୂଆ ଅଧ୍ୟାୟ: ତୋତ୍ତୋରି ପ୍ରିଫେକ୍ଚର୍ ସହ ଐତିହାସିକ ‘ମୈତ୍ରୀ ସମ୍ପର୍କ ଚୁକ୍ତି’ ସ୍ୱାକ୍ଷରିତ
ଶିଳ୍ପ, ସଂସ୍କୃତି, ଦକ୍ଷତା ବିକାଶ ଓ ପର୍ଯ୍ୟଟନ କ୍ଷେତ୍ରରେ ବଢ଼ିବ ସହଯୋଗିତା
ଓଡ଼ିଆରେ ଅଭିଭାଷଣ ଆରମ୍ଭ କରି ହୃଦୟ ଜିଣିଲେ ଗଭର୍ଣ୍ଣର ଶିଞ୍ଜୀ ହିରାଇ, କହିଲେ, “ମୁଁ ଓଡ଼ିଶାକୁ ଭଲପାଏ”
ପ୍ରିଫେକ୍ଚର୍ (ରାଜ୍ୟ) ମଧ୍ୟରେ ଆଞ୍ଚଳିକ, ଆର୍ଥିକ, ସାଂସ୍କୃତିକ ଏବଂ ଶିକ୍ଷାଗତ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଆଜି ସ୍ଥାନୀୟ ଲୋକସେବା ଭବନସ୍ଥିତ କନଭେନ୍ସନ୍ ସେଣ୍ଟରଠାରେ ଏକ ଐତିହାସିକ ‘ମୈତ୍ରୀ ସମ୍ପର୍କ ଚୁକ୍ତି’ (Friendship Agreement) ସ୍ୱାକ୍ଷରିତ ହୋଇଯାଇଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ତୋତ୍ତୋରି ପ୍ରିଫେକ୍ଚର୍’ର ଗଭର୍ଣ୍ଣର ଶ୍ରୀ ଶିଞ୍ଜୀ ହିରାଇଙ୍କ ଉପସ୍ଥିତିରେ ଏହି ଦ୍ୱିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇଛି। ଏହି ବୁଝାମଣା ଫଳରେ ଓଡ଼ିଶାର ଯୁବବର୍ଗଙ୍କ ପାଇଁ ବୈଦେଶିକ ନିଯୁକ୍ତି, MSME ଏବଂ ଷ୍ଟାର୍ଟଅପ୍ କ୍ଷେତ୍ରରେ ବିନିଯୋଗ, କୌଶଳ ବିକାଶ ଏବଂ ପର୍ଯ୍ୟଟନର ବ୍ୟାପକ ବିକାଶ ପାଇଁ ନୂତନ ଦିଗ ଉନ୍ମୋଚିତ ହୋଇଛି।
ସୂଚନା ଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ଅବସରରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ପ୍ରଥମ ବୁଝାମଣା ପତ୍ରଟି ‘ଷ୍ଟାର୍ଟଅପ୍ ଓଡ଼ିଶା’ ଏବଂ ତୋତ୍ତୋରି ପ୍ରିଫେକ୍ଚର୍ ମଧ୍ୟରେ ସ୍ୱାକ୍ଷରିତ ହୋଇଛି, ଯାହା ଦ୍ୱାରା ଉଭୟ ଅଞ୍ଚଳ ମଧ୍ୟରେ ବ୍ୟବସାୟିକ, ନିବେଶକ ସଂଯୋଗ ଏବଂ MSME ସଂସ୍ଥାଗୁଡ଼ିକ ମଧ୍ୟରେ ସୁଦୃଢ଼ ସହଯୋଗିତା ଗଢ଼ିଉଠିବ। ଦ୍ୱିତୀୟ ବୁଝାମଣା ପତ୍ରଟି ଓଡ଼ିଶାର ‘ୱାର୍ଲ୍ଡ ସ୍କିଲ୍ ସେଣ୍ଟର’ (WSC), ତୋତ୍ତୋରି ପ୍ରିଫେକ୍ଚର୍ ଏବଂ ‘ନିହନ୍ ଏଜୁଟେକ୍’ ମଧ୍ୟରେ ସ୍ୱାକ୍ଷରିତ ହୋଇଛି, ଯାହା ଓଡ଼ିଶାର ଦକ୍ଷ ଯୁବଶକ୍ତି ପାଇଁ ଜାପାନରେ ବୈଦେଶିକ ନିଯୁକ୍ତିର ବ୍ୟାପକ ସୁଯୋଗ ସୃଷ୍ଟି କରିବ।
ଏହି ସମାରୋହରେ ଅଭିଭାଷଣ ରଖି ଜାପାନୀ ଭାଷାରେ “କୋନିଚିୱା” ଅର୍ଥାତ୍ ‘ହେଲୋ’ କହି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତୋତ୍ତୋରିର ଗଭର୍ଣ୍ଣର ଶିଞ୍ଜୀ ହିରାଇ ଏବଂ ଆଗତ ପ୍ରତିନିଧିମଣ୍ଡଳୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମିକୁ ସ୍ୱାଗତ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତ ଏବଂ ଜାପାନ ମଧ୍ୟରେ ଗଭୀର ବିଶ୍ୱାସ, ପରସ୍ପର ପ୍ରତି ସମ୍ମାନ ଏବଂ ବହୁ ପୁରାତନ ସଭ୍ୟତାଗତ ସମ୍ପର୍କ ରହିଛି। ଆଜିର ଏହି ମୈତ୍ରୀ ଚୁକ୍ତି ଓଡ଼ିଶା ଏବଂ ତୋତ୍ତୋରି ମଧ୍ୟରେ ସେହି ଐତିହାସିକ ସମ୍ପର୍କକୁ ପ୍ରାଦେଶିକ ସ୍ତରକୁ ନେଇ ଏ ସମ୍ପର୍କକୁ ଆହୁରି ଗଭୀର କରିବା ସହିତ ଦୁଇ ଅଞ୍ଚଳର ଜନସାଧାରଣ, ଅନୁଷ୍ଠାନ ଓ ସମୁଦାୟକୁ ନିକଟତର କରିବ ବୋଲି ଶ୍ରୀ ମାଝୀ କହିଛନ୍ତି।
ରାଜ୍ୟର ଶିଳ୍ପ ଅଭିବୃଦ୍ଧି ଓ ନିବେଶ ସମ୍ପର୍କରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଇଣ୍ଡୋ ନିସିନ୍, ନିପନ୍ ଷ୍ଟିଲ୍, ଜେ.ଏଫ୍.ଇ. ଷ୍ଟିଲ୍, କ୍ରୋସାକି, TYK, ୟୋକୋହାମା, ଆଇ.ଏଚ୍.ଆଇ. ଏବଂ ଟୋରେ ଭଳି ପ୍ରମୁଖ ଜାପାନୀ ଶିଳ୍ପ ସଂସ୍ଥାଗୁଡ଼ିକ ଓଡ଼ିଶାର ଶିଳ୍ପ ଇକୋ-ସିଷ୍ଟମ ଉପରେ ଗଭୀର ଆସ୍ଥା ପ୍ରକଟ କରିଛନ୍ତି। ଏହି ସଂସ୍ଥାଗୁଡ଼ିକ ରାଜ୍ୟକୁ ନୂତନ ପୁଞ୍ଜିନିବେଶ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଓଡ଼ିଆ ଯୁବବର୍ଗଙ୍କ ପାଇଁ ବ୍ୟାପକ କର୍ମସଂସ୍ଥାନର ସୁଯୋଗ ଆଣିଦେଇଛନ୍ତି। ଏଥିସହିତ ତୋତ୍ତୋରିର ବ୍ୟବସାୟିକ ନେତୃବୃନ୍ଦଙ୍କୁ ଓଡ଼ିଶାର MSME, ଷ୍ଟାର୍ଟଅପ୍, ଶିଳ୍ପ କ୍ଲଷ୍ଟର ଏବଂ ଦକ୍ଷ ଯୁବଶକ୍ତିର ସାମର୍ଥ୍ୟକୁ ଅନୁଧ୍ୟାନ କରିବା ପାଇଁ ସେ ଆମନ୍ତ୍ରଣ ଜଣାଇବା ସହ ନୂତନ ବିଚାରକୁ ସ୍ଥାୟୀ ସହଯୋଗିତାରେ ପରିଣତ କରିବା ପାଇଁ ଓଡ଼ିଶା ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଉଭୟ ଅଞ୍ଚଳ ମଧ୍ୟରେ ଥିବା ସାଂସ୍କୃତିକ ଓ ଭୌଗୋଳିକ ସାଦୃଶ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, ଓଡ଼ିଶା ଏବଂ ତୋତ୍ତୋରି ଦୁଇଟିଯାକ ଅଞ୍ଚଳ ମନୋରମ ସମୁଦ୍ରକୂଳ, ଉର୍ବର କ୍ଷେତ ଏବଂ ପାର୍ବତ୍ୟ ମାଳା ଦ୍ୱାରା ସମୃଦ୍ଧ। ଓଡ଼ିଶାର ପଟ୍ଟଚିତ୍ର, ଚାନ୍ଦୁଆ ଓ ପ୍ରସ୍ତର କଳା ଏବଂ ତୋତ୍ତୋରିର ପାରମ୍ପରିକ ହସ୍ତଶିଳ୍ପ ସୂକ୍ଷ୍ମତା ଓ ନିଷ୍ଠାର ପ୍ରତୀକ ଅଟନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗିତା ବୃଦ୍ଧି କରିବା ପାଇଁ ଜାପାନର ପ୍ରତିନିଧିମାନେ ଓଡ଼ିଶାର ବୌଦ୍ଧ ଐତିହ୍ୟସ୍ଥଳୀ ରତ୍ନଗିରି, ଉଦୟଗିରି ଓ ଲଳିତଗିରି ପରିଦର୍ଶନ କରିବା ସହ ଓଡ଼ିଶାର ପର୍ଯ୍ୟଟକମାନେ ତୋତ୍ତୋରିର ସମୁଦ୍ରକୂଳ, ପର୍ବତ ଓ ସ୍ୟାଣ୍ଡ ଡ୍ୟୁନ୍ସ (ବାଲୁକା ସ୍ତୂପ) ଅନୁଭବ କରିପାରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତି ଦୁଇ ଅଞ୍ଚଳ ମଧ୍ୟରେ ଜ୍ଞାନ, ସଂସ୍କୃତି, ବିଶ୍ୱାସ ଏବଂ ସୁଯୋଗର ଏକ ଜୀବନ୍ତ ସେତୁ ପାଲଟିବ, ଯାହା ଆଗାମୀ ଅନେକ ପିଢ଼ି ପର୍ଯ୍ୟନ୍ତ ଦୁଇ ଅଞ୍ଚଳର ଜନସାଧାରଣଙ୍କ ଜୀବନଶୈଳୀକୁ ସମୃଦ୍ଧ କରିଚାଲିବ।
ତୋତ୍ତୋରି ପ୍ରିଫେକ୍ଚର୍ର ଗଭର୍ଣ୍ଣର ଶ୍ରୀ ଶିଞ୍ଜୀ ହିରାଇ ନିଜ ବକ୍ତବ୍ୟ ଆରମ୍ଭରେ ଓଡ଼ିଆ ଭାଷାରେ “ମୁଁ ଓଡ଼ିଶାକୁ ଭଲପାଏ” ବୋଲି କହି ଉପସ୍ଥିତ ସମସ୍ତଙ୍କ ହୃଦୟ ଜିଣିଥିଲେ। ଓଡ଼ିଶାର ବିକାଶମୂଳକ ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିବା ସହ ଉଭୟ ଅଞ୍ଚଳ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ସେ ନିଜର ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଆର୍ଥିକ ସହଯୋଗ, ସାଂସ୍କୃତିକ ଆଦାନପ୍ରଦାନ ଏବଂ ବ୍ୟବସାୟ ଓ ଜନସାଧାରଣଙ୍କ ମଧ୍ୟରେ ଗଭୀର ଭାଗିଦାରୀ ମାଧ୍ୟମରେ ଏକ ସ୍ଥାୟୀ ସମ୍ପର୍କ ଗଢ଼ିତୋଳିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶା ଏବଂ ତୋତ୍ତୋରି ମଧ୍ୟରେ ମିଳିତ ସହଯୋଗିତାର ବ୍ୟାପକ ସମ୍ଭାବନା ରହିଛି ଏବଂ ଏହା ଦ୍ୱିପାକ୍ଷିକ ଅଭିବୃଦ୍ଧି ପାଇଁ ନୂତନ ମାର୍ଗ ପ୍ରଶସ୍ତ କରିବ ବୋଲି ଗଭର୍ଣ୍ଣର ଶ୍ରୀ ହିରାଇ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ଓଡ଼ିଶାର ଶିଳ୍ପ, ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଶିଳ୍ପ ସମୃଦ୍ଧି ସହ କୌଶଳ ବିକାଶର ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ତୋତ୍ତୋରି ପ୍ରିଫେକ୍ଚର୍ ସହିତ ଓଡ଼ିଶାର ଏହି ମୈତ୍ରୀ ଭାଗିଦାରୀ ଆମର ଶିଳ୍ପ ସହଯୋଗିତା, ପ୍ରଯୁକ୍ତିବିଦ୍ୟା ବିନିମୟ ଏବଂ ପୁଞ୍ଜିନିବେଶ ସମ୍ପର୍କକୁ ସୁଦୃଢ଼ କରିବା ସହ ଦକ୍ଷତା ବିକାଶ ଓ କାରିଗରୀ ଶିକ୍ଷା କ୍ଷେତ୍ରକୁ ଅଧିକ ଆଗକୁ ନେଇଯିବ।
ଏହି ଅବସରରେ ଓଡ଼ିଶାର ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME), ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିଜ ବକ୍ତବ୍ୟରେ କହିଥିଲେ ଯେ ପ୍ରଯୁକ୍ତିବିଦ୍ୟା ସହଯୋଗିତା, ଯୁଗ୍ମ ଉତ୍ପାଦ ବିକାଶ, ଉତ୍ପାଦନ ସଂଯୋଗ, ବଜାର ପ୍ରବେଶ ଏବଂ ଉତ୍ତମ ବ୍ୟବସାୟିକ ପଦ୍ଧତିର ବିନିମୟ ମାଧ୍ୟମରେ ଓଡ଼ିଶାର MSME ଓ ଷ୍ଟାର୍ଟଅପ୍ଗୁଡ଼ିକ ତୋତ୍ତୋରି ସହିତ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ସମ୍ପର୍କ ଗଢ଼ିତୋଳିବାର ବ୍ୟାପକ ସମ୍ଭାବନା ରହିଛି।
ଏହି ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମରେ କୋଲକାତାସ୍ଥିତ ଜାପାନର କନ୍ସୁଲ୍-ଜେନେରାଲ୍ ମିଷ୍ଟର ଇଷିକାୱା ୟୋସିହିସା, ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ବିଶିଷ୍ଟ ଶିଳ୍ପପତି, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସ୍ୱାଗତ ଭାଷଣ ଦେଇଥିବାବେଳେ ଶିଳ୍ପ ବିଭାଗ ନିର୍ଦ୍ଦେଶିକା ଶ୍ରୀମତୀ ଆବୋଲି ସୁନୀଲ ନରାବନେ ଧନ୍ୟବାଦ ଜ୍ଞାପନ କରିଥିଲେ।
ସୂଚନାଯୋଗ୍ୟ ଯେ, ଜାପାନର ତୋତ୍ତୋରି ପ୍ରଦେଶର ଗଭର୍ଣ୍ଣର ମିଷ୍ଟର ଶିଞ୍ଜୀ ହିରାଇ ଏହି ମୈତ୍ରୀ ଚୁକ୍ତି ପାଇଁ ଓଡିଶାକୁ ଏକ ୮୦ ଜଣିଆ ପ୍ରତିନିଧି ଦଳ ନେଇ ଆସିଛନ୍ତି। ଏହି ପ୍ରତିନିଧି ଦଳରେ ତୋତ୍ତୋରିର ବିଭିନ୍ନ ଶିଳ୍ପ ସଂସ୍ଥା, ବୈଷୟିକ ଅନୁଷ୍ଠାନ, ବ୍ୟାଙ୍କ, ଆର୍ଥିକ ସଂସ୍ଥା ଏବଂ ବାଣିଜ୍ୟ ବ୍ୟବସାୟିକ ସଂସ୍ଥାର ସଦସ୍ୟମାନେ ଅଛନ୍ତି। ଚୁକ୍ତି ସ୍ୱାକ୍ଷରିତ ପରେ ଏହି ଦଳ ଭୁବନେଶ୍ୱର ସ୍ଥିତ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପରିଦର୍ଶନରେ ଯାଇ ସେଠାରେ ଛାତ୍ରଛାତ୍ରୀ, ଫାକଲ୍ଟି ମେମ୍ବର୍ସ ଏବଂ ଅଧିକାରୀ ମାନଙ୍କ ସହିତ ମତ ବିନିମୟ କରିଥିଲେ।