ଆଜି ଭାରତ ବନ୍ଦ

ଓଡ଼ିଶାରେ ପ୍ରଭାବ, ଜୋରଦାର ବିକ୍ଷୋଭ

ଭୁବନେଶ୍ୱର, ୧୨/୦୨: ଆଜି ସର୍ବଭାରତୀୟ ୧୨ ଘଣ୍ଟିଆ ଭାରତ ବନ୍ଦ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ ଜାରି ରହିଛି। ୧୦ଟି ଶ୍ରମିକ ଓ ସ୍ବାଧୀନ ଫେଡେରେସନ୍‌ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି।

ଭାରତ ବନ୍ଦର ପ୍ରଭାବ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ରେଳ ରୋକ, ପିକେଟିଂ ଓ ବିକ୍ଷୋଭ କରିବା ସହିତ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯାଇଛି। ଭୁବନେଶ୍ୱରରେ ବିଭିନ୍ନ ରାସ୍ତା ଅବରୋଧ କରାଯାଇଛି। ଯାହା ଫଳରେ ଶହ ଶହ ଲୋକ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିନାହାନ୍ତି। ମାଷ୍ଟର କ୍ୟାଣ୍ଟିନ୍ ‘ଆମ ବସ୍‌’ ଡିପୋରେ ତାଲା ପକାଇ ଶ୍ରମିକ ସଂଗଠନ କର୍ମକର୍ତ୍ତାଙ୍କ ବିକ୍ଷୋଭ ଜାରି ରହିଛି।

ବାଲେଶ୍ୱରରେ ମଧ୍ୟ ଦୋକାନ ବଜାର ବନ୍ଦ କରି ଦିଆଯାଇଛି। ବାଲେଶ୍ୱର ଷ୍ଟେସନ୍‌ରେ ଟ୍ରେଡ୍‌ ୟୁନିଅନ୍ ପକ୍ଷରୁ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ୍‌ ଅଟକାଇ ପ୍ରତିବାଦ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ବିକ୍ଷୋଭ କରୁଛନ୍ତି।

କଂଗ୍ରେସ ଓ ବିଜେଡି (ବିଜୁ ଶ୍ରମିକ ସାମ୍ମୁଖ୍ୟ) ଏହି ବନ୍ଦ ଡ଼ାକରାକୁ ସମର୍ଥନ ଜଣାଇଛି। ପେଟ୍ରୋଲ୍ ପମ୍ପ, ଶିକ୍ଷାନୁଷ୍ଠାନ ଓ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହୋଇଛି। ଯଦିଓ ଗୋଟିଏ ଦୁଇଟି ସ୍ଥାନରେ ସ୍କୁଲ ଖୋଲା ରହିଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ ବନ୍ଦକୁ ସଫଳ କରିବା ପାଇଁ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ମିଳିତ ମଞ୍ଚ ନିବେଦନ କରିଛି।