ଯାଜପୁର ଦୁର୍ଘଟଣା; ୫ ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଆହତମାନଙ୍କ ଉତ୍ତମ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଯାଜପୁର, ୦୪/୦୫: ହାଇୱାକୁ ପଛରୁ ପିଟିଲା ବୋଲେରୋ। ଚାଲିଗଲା ୫ ଜୀବନ। ବିବାହ କାର୍ଯ୍ୟକ୍ରମ ସାରି ବରଯାତ୍ରୀ ଗାଡି ଫେରିବା ବେଳେ ଯାଜପୁର ଜିଲ୍ଲା ୫୩ ନଂ ଜାତୀୟ ରାଜପଥ ବରଡ଼ା ଛକ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଗତକାଲି କେଉଁଝର ଅଞ୍ଚଳକୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ବଡ଼ଚଣା ଥାନା ଶାସନପୁରୁଷୋତ୍ତମପୁର ଗାଁର ଲୋକେ। ଆଜି ସକାଳୁ ଫେରୁଥିବା ବେଳେ ବୋଲେରୋ ଗାଡ଼ିଟି ବରଡ଼ା ଛକ ନିକଟରେ ପୂର୍ବରୁ ଛିଡା ହୋଇଥିବା ଏକ ହାଇୱାକୁ ପଛରୁ ଧକ୍କା ହୋଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ, ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ବଡ଼ଚଣା ଓ ଧର୍ମଶାଳା ମେଡିକାଲକୁ ପଠାଇଥିଲେ। ଧର୍ମଶାଳା ମେଡିକାଲରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବଡ଼ଚଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୪ଜଣ ମହିଳା ଓ ଜଣେ ପୁରୁଷ ଥିବା ସୂଚନା ମିଳିଛି।
ଦୁର୍ଘଟଣାରେ ୫ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ଆହତମାନଙ୍କ ଉତ୍ତମ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।