ବିସଲେରୀ ପାଣିରେ କର୍କଟ ସୃଷ୍ଟିକାରୀ ରାସାୟନିକ ଉପାଦାନ

କମ୍ପାନୀ ବିରୋଧରେ ମାମଲା ରୁଜୁ ପାଇଁ FSSAIର ଅନୁମତି

ନୂଆଦିଲ୍ଲୀ, ୨୩/୧୧: ଦେଶର ଲୋକପ୍ରିୟ ପ୍ୟାକେଜ୍ଡ ପାନୀୟ ଜଳ ବ୍ରାଣ୍ଡ୍ ବିସଲେରୀକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ବିସଲେରୀର ପ୍ୟାକେଜ୍ଡ ଡ୍ରିଙ୍କିଂ ୱାଟର ନମୁନା ଲାବୋରେଟୋରୀ ପରୀକ୍ଷାରେ ଅସୁରକ୍ଷିତ ମିଳିବା ପରେ କମ୍ପାନୀ ବିରୋଧରେ ମାମଲା ରୁଜୁ ପାଇଁ ଅନୁମତି ଦେଇଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI)। ନମୁନାରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ବ୍ରୋମେଟ୍ ଏବଂ ପରବର୍ତ୍ତୀ ପରୀକ୍ଷାରେ ପଲିନ୍ୟୁକ୍ଲିୟର ଆରୋମାଟିକ୍ ହାଇଡ୍ରୋକାର୍ବନ୍ସ (PAHs) ମିଳିଥିବା ନେଇ ଖାଦ୍ୟ ନିୟନ୍ତ୍ରକ ସୂଚନା ଦେଇଛି। ତେବେ ବିସଲେରୀର କେଉଁ ଭାରିଆଣ୍ଟର ପାଣି ନମୁନା ପରୀକ୍ଷାରେ ଅସୁରକ୍ଷିତ ମିଳିଛି, ସେନେଇ FSSAI ସ୍ପଷ୍ଟ କରିନାହିଁ।

FSSAI ପକ୍ଷରୁ ସୋସିଆଲ ମିଡିଆରେ ଏନେଇ ସୂଚନା ଦିଆଯାଇଛି। ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଆକ୍ଟ, ୨୦୦୬ ଅନୁଯାୟୀ ଅସୁରକ୍ଷିତ ପ୍ୟାକେଜ୍ଡ ଡ୍ରିଙ୍କିଂ ୱାଟର ସମ୍ପର୍କିତ ନିୟମ ଉଲ୍ଲଂଘନ ଅଭିଯୋଗରେ କମ୍ପାନୀ ବିରୋଧରେ ମାମଲା ଚଳାଇବାକୁ ଅନୁମତି ଦିଆଯାଇଛି। ବିସଲେରୀ ଇଣ୍ଟରନ୍ୟାସନାଲର ପରିସରରୁ ପ୍ୟାକେଜ୍ଡ ଡ୍ରିଙ୍କିଂ ୱାଟରର ଏକ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଏହି ନମୁନାରେ ବ୍ରୋମେଟ୍‌ର ମାତ୍ରା ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିନଥିବାରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା।

ତେବେ କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ବିରୋଧରେ ଅପିଲ୍ କରାଯିବା ପରେ ନମୁନାକୁ ଅଧିକ ଯାଞ୍ଚ ପାଇଁ ରେଫରାଲ୍ ଫୁଡ୍ ଲାବୋରେଟୋରୀକୁ ପଠାଯାଇଥିଲା। ସେଠାରେ ମଧ୍ୟ ନମୁନାରେ ପଲିନ୍ୟୁକ୍ଲିୟର ଆରୋମାଟିକ୍ ହାଇଡ୍ରୋକାର୍ବନ୍ସ (PAHs) ଚିହ୍ନଟ ହୋଇଥିଲା। ଏହାପରେ ଲାବୋରେଟୋରୀ ପକ୍ଷରୁ ନମୁନାକୁ ପୁଣି ଅସୁରକ୍ଷିତ ଘୋଷଣା କରାଯାଇଥିଲା। ଏହି ରିପୋର୍ଟ ଆଧାରରେ କମ୍ପାନୀ ବିରୋଧରେ ଆଇନଗତ ପ୍ରକ୍ରିୟା ଆଗକୁ ବଢ଼ାଇବାକୁ FSSAI ଅନୁମତି ଦେଇଛି।

ଉଲ୍ଲେଖଯୋଗ୍ୟ, ବ୍ରୋମେଟ୍ ଏକ ରାସାୟନିକ ଉପାଦାନ। ଅନ୍ତର୍ଜାତୀୟ କର୍କଟ ଗବେଷଣା ସଂସ୍ଥା (IARC) ଏବଂ ଆମେରିକାର ପରିବେଶ ସୁରକ୍ଷା ସଂସ୍ଥା (US EPA) ଏହାକୁ କର୍କଟ ସୃଷ୍ଟିକାରୀ ପଦାର୍ଥ ଭାବେ ଆଶଙ୍କା କରିଛନ୍ତି। ତେବେ ଏହି ଘଟଣାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, FSSAIର କାର୍ଯ୍ୟାନୁଷ୍ଠାନ କେବଳ ପ୍ୟାକେଜ୍ଡ ଡ୍ରିଙ୍କିଂ ୱାଟରର ନମୁନାକୁ ନେଇ। ଏହା ମିନେରାଲ୍ ୱାଟର ଉତ୍ପାଦ ଅସୁରକ୍ଷିତ ବୋଲି ପ୍ରମାଣ କରୁନାହିଁ। ଏଥିସହ ବିସଲେରୀର ସମସ୍ତ ଉତ୍ପାଦକୁ ଅସୁରକ୍ଷିତ ବୋଲି ମଧ୍ୟ ଘୋଷଣା କରାଯାଇନାହିଁ।

ଅନ୍ୟପଟେ FSSAIର ଏହି କାର୍ଯ୍ୟାନୁଷ୍ଠାନ ପରେ ବିସଲେରୀ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। ପାନୀୟ ଜଳର ସୁରକ୍ଷା କମ୍ପାନୀର ପ୍ରାଥମିକତା ବୋଲି କହିବା ସହ ଗୁଣବତ୍ତା ନିୟନ୍ତ୍ରଣ ପାଇଁ କଡ଼ା ବ୍ୟବସ୍ଥା ରହିଥିବା କମ୍ପାନୀ ଦାବି କରିଛି। ଏଥିସହ ଏହି ମାମଲାରେ ଉପଯୁକ୍ତ ନିୟାମକ ପ୍ରକ୍ରିୟା ଅନୁଯାୟୀ FSSAIକୁ ସମସ୍ତ ପ୍ରକାର ସହଯୋଗ ଜାରି ରଖିବ ବୋଲି କହିଛି।

କେବଳ ବିସଲେରୀ ନୁହେଁ, ଅନ୍ୟ କେତେକ ଖାଦ୍ୟ ଉତ୍ପାଦନକାରୀ ସଂସ୍ଥା ବିରୋଧରେ ମଧ୍ୟ FSSAI କଠୋର ପଦକ୍ଷେପ ନେଇଛି। ଭାସନ୍ତ ମସଲା ପ୍ରାଇଭେଟ୍ ଲିମିଟେଡ୍, ଟିଟ୍-ବିଟ୍ ଫୁଡ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ମିମାଂସା ଇଣ୍ଡଷ୍ଟ୍ରିଜ୍ ଏବଂ ଆଶା କନଫେକ୍ସନେରୀ ସମେତ ଅନେକ କମ୍ପାନୀ ବିରୋଧରେ ମାମଲା ରୁଜୁ ହୋଇଛି।

ସେହିପରି ନିୟମ ଉଲ୍ଲଂଘନ ଅଭିଯୋଗରେ ଉର୍ମି ଲାଇଫ୍‌ସାଇନ୍ସେସ୍ ଏଲ୍‌ଏଲ୍‌ପି ଏବଂ ଗୌର ଆୟୁର୍ବେଦିକ ଷ୍ଟୋରର ଲାଇସେନ୍ସକୁ ନିଲମ୍ବିତ କରାଯାଇଛି। ଆଶା କନଫେକ୍ସନେରୀକୁ ଏହାର ଚକୋଲେଟ୍ ଭର୍ତ୍ତି ପ୍ରି-ପ୍ୟାକେଜ୍ଡ କୁକିଜ୍ ବଜାରରୁ ଫେରାଇ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି ଖାଦ୍ୟ ନିୟନ୍ତ୍ରକ। ଉକ୍ତ ଉତ୍ପାଦକୁ ପରୀକ୍ଷା ପରେ ଅସୁରକ୍ଷିତ ଘୋଷଣା କରାଯାଇଥିଲା।

ଚଳିତ ବର୍ଷ FSSAI ଦେଶରେ ଖାଦ୍ୟ ଉତ୍ପାଦନକାରୀ ସଂସ୍ଥା ଏବଂ ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନକୁ ଅଧିକ କଡ଼ାକଡ଼ି କରିଛି। ଏହାସହ ଏନର୍ଜି ଡ୍ରିଙ୍କ୍ସ ଏବଂ ମଦ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ଉପରେ ମଧ୍ୟ ନଜର ରଖିଛି।