ଏନଆଇସି ଓଡ଼ିଶାରେ ଶରୀର ଓ ଅଙ୍ଗଦାନ ପାଇଁ ସଂକଳ୍ପ

‘ଇନ୍‌ସପାୟାର ଲେକ୍‌ଚର ସିରିଜ୍’ ଅଭିନବ ପ୍ରୟାସ

ଭୁବନେଶ୍ୱର, ୦୫/୦୫: ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନଆଇସି) ଓଡ଼ିଶାର ଏକ ଅଭିନବ ପ୍ରୟାସ ହେଉଛି ‘ଇନ୍‌ସପାୟାର ଲେକ୍‌ଚର ସିରିଜ୍’ । ଏହା ଅଧିକାରୀମାନଙ୍କ ମଧ୍ୟରେ ସୃଜନଶୀଳତା ଜାଗ୍ରତ କରିବା ଏବଂ ସକାରାତ୍ମକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ । ଏହି କ୍ରମରେ, ମେ ୪ ତାରିଖ ଦିନ ଭୁବନେଶ୍ୱରସ୍ଥିତ ଏନଆଇସି କାର୍ଯ୍ୟାଳୟଠାରେ ବିଶିଷ୍ଟ ସାମ୍ବାଦିକ, ଲେଖକ ତଥା ସମାଜ ସଂସ୍କାରକ ଡଃ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ଦ୍ୱାରା ଶରୀର ଓ ଅଙ୍ଗଦାନ ଉପରେ ଏକ ଶିକ୍ଷଣୀୟ କର୍ମଶାଳା ଆୟୋଜିତ ହୋଇ ଯାଇଅଛି ।

ଡଃ ଆଚାର୍ଯ୍ୟ, ଯିଏ କି ଶରୀର ଏବଂ ଅଙ୍ଗ ଦାନ ସମାଜ, ଭାରତ, ର ପ୍ରତିଷ୍ଠାତା ଅଧ୍ୟକ୍ଷ, ଅଙ୍ଗଦାନ ସମ୍ବନ୍ଧରେ ସମାଜରେ ପ୍ରଚଳିତ ବିଭିନ୍ନ ଭ୍ରାନ୍ତ ଧାରଣା, ଭୟ ଏବଂ ଅନ୍ଧବିଶ୍ୱାସ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହ ସର୍ବସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ଏବଂ ସମ୍ବେଦନଶୀଳତାର ଜରୁରୀ ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଜୀବିତ ଏବଂ ମୃତ ଦାତାଙ୍କ ପାଇଁ ଅଙ୍ଗଦାନ ସହ ଜଡ଼ିତ ପ୍ରକ୍ରିୟା, ପଦ୍ଧତି ଏବଂ ଆଇନଗତ ଦିଗଗୁଡ଼ିକ ସମ୍ପର୍କରେ ମଧ୍ୟ ସେ ସବିଶେଷ ସୂଚନା ଦେଇଥିଲେ।

ଏହି ଅଧିବେଶନରେ ଏନଆଇସି ଓଡ଼ିଶାର ଶତାଧିକ କର୍ମଚାରୀ ପ୍ରତ୍ୟକ୍ଷ ଭାବେ ଏବଂ ଅଭାଷୀ ମାଧ୍ୟମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣକାରୀମାନେ ଅଙ୍ଗଦାନ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପଚାରି ନିଜର ସନ୍ଦେହ ଦୂର କରିଥିଲେ।

ଉଦ୍‌ଘାଟନୀ ଅଭିଭାଷଣରେ ଉପ-ମହାନିର୍ଦ୍ଦେଶକ ତଥା ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ, ଡଃ ଅଶୋକ କୁମାର ହୋତା, ଅଙ୍ଗଦାନ ପ୍ରତି ନିଜ ପରିବାରର ପ୍ରତିବଦ୍ଧତା ବିଷୟରେ ସୂଚନା ଦେବା ସହ ଏହି ମହତ କାର୍ଯ୍ୟରେ ଯୋଗଦେବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଭାରତୀୟ ରକ୍ତଦାତା ସଂଗଠନ ମହାସଂଘ ର ଉପ-ସଭାପତି ଶ୍ରୀ ପ୍ରଦୀପ୍ତ କୁମାର ତ୍ରିପାଠୀ ମଧ୍ୟ ଉପସ୍ଥିତ ରହି ଅଙ୍ଗ ଦାନ ପାଇଁ ସମସ୍ତଙ୍କୁ ଉତ୍ସାହିତ କରି ଥିଲେ। ବିଶେଷ ଭାବରେ, ଏହି କାର୍ଯ୍ୟକ୍ରମର ଏକ ସଫଳ ପରିଣତି ସ୍ୱରୂପ ବହୁ ସଂଖ୍ୟକ ଅଂଶଗ୍ରହଣକାରୀ ଶରୀର ଓ ଅଙ୍ଗଦାନ ପାଇଁ ସଂକଳ୍ପ ନେଇଥିଲେ।