ବିରିୟାନି ଖାଇ ୨୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

୧୫ ଜଣଙ୍କୁ ମେଡିକାଲରେ ଭର୍ତ୍ତି

ଅନୁଗୋଳ, ୨୨/୧୧: ବିରିୟାନି ଖାଇବା ପରେ ୨୦ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥଙ୍କ ମଧ୍ୟରୁ ୧୫ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୪ ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଭାଲିଆବେଡ଼ା ଗ୍ରାମରେ ଏହି ଘଟଣା ଘଟିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସନ୍ଧ୍ୟାରେ କିଛି ଗାଁ ଲୋକ ନିଜେ ବିରିୟାନି ପ୍ରସ୍ତୁତ କରି ଖାଇଥିଲେ। ତେବେ ବିରିୟାନି ଖାଇବା ପରେ ଜଣଙ୍କ ପରେ ଜଣେ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥ ଲୋକମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଖମାର ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଶିଶୁ ମଧ୍ୟ ଥିଲେ। ଅନ୍ୟପକ୍ଷରେ, ୪ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ବିରିୟାନି ଖାଇବା ପରେ ଏକାଧିକ ଲୋକ ଅସୁସ୍ଥ ହୋଇଥିବାରୁ ଖାଦ୍ୟରୁ ବିଷକ୍ରିୟା ହୋଇଥିବା ସନ୍ଦେହ କରାଯାଉଛି। ତେବେ କେଉଁ କାରଣରୁ ଏଭଳି ଘଟିଛି ତାହା ସ୍ପଷ୍ଟ ହୋଇନାହିଁ।