ହିଞ୍ଜିଳି ମର୍ଡ଼ର: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ

ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲେ

ଭୁବନେଶ୍ୱର, ୦୬/୦୫: ହିଞ୍ଜିଳି ମର୍ଡ଼ର ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖରିଦା ଗାଁରେ ଜଣେ ଗର୍ଭବତୀ ମହିଳାଙ୍କ ହତ୍ୟା ଅଭିଯୋଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ତାଙ୍କ ଚିଠିରେ, ପଟ୍ଟନାୟକ ଏହି ଘଟଣାକୁ ଏକ “ଜଘନ୍ୟ ଅପରାଧ” ଭାବରେ ବର୍ଣ୍ଣନା କରିବା ସହ ନବୀନ କହିଛନ୍ତି ଯେ, ମୋ ନିର୍ବାଚନ ମଣ୍ଡଳୀରେ ବୀଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ନ୍ୟାୟ ପାଇଁ ଧାରଣା ଦେଇଥିବା ମହିଳାଙ୍କୁ ହତ୍ୟା କରାଯାଇଛି। ୩ ବର୍ଷର ଝିଅ ସାମ୍ନାରେ ମା’କୁ ହତ୍ୟା କରାଯାଇଛି। ଆପଣ ବ୍ୟକ୍ତିଗତ ହସ୍ତକ୍ଷେପ କରି ଦୋଷୀକୁ ଦଣ୍ଡବିଧାନ ବ୍ୟବସ୍ଥା କରନ୍ତୁ। ଏଥିସହ ୩ ବର୍ଷର ଶିଶୁକନ୍ୟାକୁ ମଧ୍ୟ ପୁନର୍ବାସ ଓ‌ କ୍ଷତିପୂରଣ ଯୋଗାଇ ଦିଅନ୍ତୁ।

ଘଟଣା ପୂର୍ବରୁ ପୀଡିତା ନ୍ୟାୟ ପାଇଁ ଧାରଣା ଦେଉଥିବା ରିପୋର୍ଟ ସତ୍ତ୍ୱେ ପୋଲିସ ଦ୍ୱାରା ପ୍ରତିରୋଧମୂଳକ କାର୍ଯ୍ୟାନୁଷ୍ଠାନର ଅଭାବ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି।