ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ରୋଜଗାର ମେଳା; ୪୦ ଜଣ ପ୍ରାର୍ଥୀ ପାଇଲେ ଚାକିରି
ଭିଡିଓ କନଫରେନ୍ସି ମାଧ୍ୟମରେ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ
ସମ୍ବଲପୁର, ୨୩/୦୫: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୧୯ତମ ଜାତୀୟ ରୋଜଗାର ମେଳାର ଅଂଶସ୍ୱରୂପ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବନିଯୁକ୍ତ ଯୁବକଯୁବତୀମାନଙ୍କୁ ୫୧,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଦେଶବ୍ୟାପୀ ୪୭ଟି ସ୍ଥାନରେ ଏକକାଳୀନ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ, ନିଯୁକ୍ତି ସୃଷ୍ଟି ଏବଂ ଯୁବ ସଶକ୍ତିକରଣ ପ୍ରତି ଭାରତ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ “ନାଗରିକ ଦେବୋ ଭବଃ” (ନାଗରିକ ହିଁ ଭଗବାନ) ମନ୍ତ୍ର ପ୍ରଦାନ କରିଥିଲେ। ସେ ଏହା ଉପରେ ଗୁରୁତ୍ୱାରୋପ କରିଥିଲେ ଯେ ପ୍ରତ୍ୟେକ ଜନସେବକଙ୍କ ମୂଳ ଲକ୍ଷ୍ୟ “ନାଗରିକ କଲ୍ୟାଣ” (ଜନସାଧାରଣଙ୍କ ସେବା) ରହିବା ଉଚିତ୍। ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ ଦିଗରେ ଦେଶର ଯାତ୍ରାରେ ସକ୍ରିୟ ଭାବରେ ଯୋଗଦାନ କରିବା ପାଇଁ ଏହି ସୁଯୋଗର ସଦୁପଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କୁ ଆହ୍ୱାନ କରିଥିଲେ।
ସମ୍ବଲପୁରରେ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମ ଠାରେ ଆଞ୍ଚଳିକ ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ବିଭିନ୍ନ ସରକାରୀ ପଦବୀ ପାଇଁ ମୋଟ ୪୦ ଜଣ ପ୍ରାର୍ଥୀ ସେମାନଙ୍କର ନିଯୁକ୍ତି ପତ୍ର ଗ୍ରହଣ କରିଛନ୍ତି । ଏହି ନବନିଯୁକ୍ତ ପ୍ରାର୍ଥୀମାନେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ଯୋଗଦେବେ।
ସମ୍ବଲପୁରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ଅତିଥି ଯୋଗ ଦେଇଥିଲେ, ଯେଉଁମାନଙ୍କ ମଧ୍ୟରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀ, ଶ୍ରୀ ଏସ. କେ. ଠାକରେ, ଡିପିଏସ, ସମ୍ବଲପୁର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ରୋଜଗାର ମେଳା ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ, ଯାହାର ଲକ୍ଷ୍ୟ ହେଉଛି ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା ଏବଂ ଦେଶର ଯୁବବର୍ଗଙ୍କୁ ଅର୍ଥପୂର୍ଣ୍ଣ ଜୀବିକା ନିର୍ବାହର ସୁଯୋଗ ପ୍ରଦାନ କରିବା। ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ଦେଶବ୍ୟାପୀ ଆୟୋଜିତ ୧୯ଟି ରୋଜଗାର ମେଳା ମାଧ୍ୟମରେ ପ୍ରାୟ ୧୨ ଲକ୍ଷ ନିଯୁକ୍ତିପତ୍ର ବଣ୍ଟନ କରାଯାଇସାରିଛି, ଯାହା ଏକ ସଶକ୍ତ କାର୍ଯ୍ୟଶକ୍ତି ଗଠନ ପାଇଁ ସରକାରଙ୍କ ନିରନ୍ତର ଉତ୍ସର୍ଗୀକୃତ ଭାବନାକୁ ପ୍ରକାଶ କରୁଛି।