ଲୋକଭବନରେ ତେଲେଙ୍ଗାନା, ଗୋଆ ଏବଂ ସିକିମର ପ୍ରତିଷ୍ଠା ଦିବସ ପାଳିତ
ନାଗରିକଙ୍କ ମଧ୍ୟରେ ଏକତା ଏବଂ ପାରସ୍ପରିକ ସମ୍ମାନ ବଜାୟ ରଖିବାକୁ ରାଜ୍ୟପାଳ ଆହ୍ୱାନ
ଭୁବନେଶ୍ୱର, ୦୨/୦୫: ଭାରତର ଶକ୍ତି ଏହାର ସମୃଦ୍ଧ ବିବିଧତା ଏବଂ ସ୍ଥାୟୀ ଏକତାରେ ରହିଛି I ଏଥି ପାଇଁ ନାଗରିକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ମାନ, ସଦଭାବ ଏବଂ ସାମୂହିକ ପ୍ରଗତିର ମୂଲ୍ୟବୋଧକୁ ବଜାୟ ରଖିବାକୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି।
ମଙ୍ଗଳବାର ଦିନ ଲୋକଭବନର ନ୍ୟୁ ଅଭିଷେକ ହଲରେ ତେଲେଙ୍ଗାନା, ଗୋଆ ଏବଂ ସିକିମର ପ୍ରତିଷ୍ଠା ଦିବସ ପାଳନ ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ବିବିଧ ସଂସ୍କୃତି, ପରମ୍ପରା ଏବଂ ଇତିହାସ ସତ୍ତ୍ୱେ ଭାରତର ସ୍ପନ୍ଦନଶୀଳ ସଂଘୀୟ ମନୋଭାବ ଏବଂ ଦେଶକୁ ଏକତ୍ର ବାନ୍ଧି ରଖିବାର ମୂଲ୍ୟବୋଧକୁ ଏହି କାର୍ଯ୍ୟକ୍ରମ ପ୍ରତିଫଳିତ କରୁଛି।
ଏହି ତିନୋଟି ରାଜ୍ୟର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ରାଜ୍ୟପାଳ କହିଥିଲେ ଯେ ସେମାନଙ୍କର ଭିନ୍ନ ଇତିହାସ, ଭୌଗୋଳିକ ଅବସ୍ଥିତି ଏବଂ ସାଂସ୍କୃତିକ ପରମ୍ପରା ସତ୍ତ୍ୱେ ତେଲେଙ୍ଗାନା, ଗୋଆ ଏବଂ ସିକିମ ଦେଶର ଅଭିବୃଦ୍ଧି ଏବଂ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି।
ତେଲେଙ୍ଗାନାକୁ ଆକାଂକ୍ଷା, ସ୍ଥିରତା ଏବଂ ଦ୍ରୁତ ପ୍ରଗତିର ପ୍ରତୀକ ଭାବରେ ବର୍ଣ୍ଣନା କରିବା ସହିତ ଏହାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ, ନବସୃଜନ, ପ୍ରଯୁକ୍ତିବିଦ୍ୟା, କୃଷି ଏବଂ ଉଦ୍ୟୋଗ କ୍ଷେତ୍ରରେ ଏହାର ସଫଳତା ସମ୍ପର୍କରେ ରାଜ୍ୟପାଳ ଆଲୋକପାତ କରିଥିଲେ। ଗୋଆ ବିଷୟରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ପର୍ଯ୍ୟଟନ, ଶିକ୍ଷା ଏବଂ ଆର୍ଥିକ ବିକାଶରେ ଏହି ରାଜ୍ୟର ଅବଦାନ ସହିତ ଇତିହାସ, ସଂସ୍କୃତି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ଅନନ୍ୟ ମିଶ୍ରଣ ଏହାକୁ ଜାତୀୟ ଦୃଶ୍ୟପଟରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି।
ପରିବେଶ ସଂରକ୍ଷଣ, ସ୍ଥାୟୀ ବିକାଶ ଏବଂ ଜୈବିକ କୃଷି ପ୍ରତି ସିକିମର ପ୍ରତିବଦ୍ଧତା ପାଇଁ ରାଜ୍ୟପାଳ ପ୍ରଶଂସା କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଏହି ରାଜ୍ୟ ଏହାର ପରିବେଶ ଅନୁକୂଳ ପଦକ୍ଷେପ ଏବଂ ସମୃଦ୍ଧ ଜୈବ ବିବିଧତା ପାଇଁ ବିଶ୍ୱସ୍ତରୀୟ ସ୍ୱୀକୃତି ହାସଲ କରିଛି।
ରାଷ୍ଟ୍ର ନିର୍ମାଣରେ ରାଜ୍ୟଗୁଡ଼ିକର ଭୂମିକା ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ ଦେଶର ପ୍ରଗତି ଏହାର ବିବିଧ ଅଞ୍ଚଳର ଅବଦାନ ଦ୍ୱାରା ଆକାର ପାଇଛି । ପ୍ରତ୍ୟେକ କ୍ଷେତ୍ର ଭାରତର ସାଂସ୍କୃତିକ ସମୃଦ୍ଧି ଏବଂ ବିକାଶ ଯାତ୍ରାରେ ଯୋଗଦାନ କରେ। ଯେତେବେଳେ ଆମେ ଏକ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ କରୁ, ଆମେ ଭାରତର ଏକ ଅଂଶକୁ ପାଳନ କରୁ ବୋଲି ରାଜ୍ୟପାଳ କହିଥିଲେ।
‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଦୃଷ୍ଟିକୋଣ ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ ସାଂସ୍କୃତିକ ପ୍ରଶଂସା, ଭାବପ୍ରବଣ ସଂଯୋଗ ଏବଂ ପରସ୍ପର ମଧ୍ୟରେ ଉତ୍ତମ ସମ୍ପର୍କ ମାଧ୍ୟମରେ ଜାତୀୟ ସଂହତି ସୁଦୃଢ଼ ହୁଏ। ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ ଓଡ଼ିଶା ଦୀର୍ଘକାଳ ଧରି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଦ୍ୱାରା ଅନୁପ୍ରାଣିତ ହୋଇ ସମାଵେଶୀ ଏବଂ ସାର୍ବଜନୀନ ଭାଇଚାରାର ଏକ ଆଲୋକପଥ ଭାବରେ ଠିଆ ହୋଇଛି।
ଓଡ଼ିଶାକୁ ନିଜର ଦ୍ୱିତୀୟ ଘର କରିଥିବା ତେଲେଙ୍ଗାନା, ଗୋଆ ଏବଂ ସିକିମର ଲୋକମାନଙ୍କୁ ପ୍ରଶଂସା କରିବା ସହିତ ସେମାନଙ୍କ ଅବଦାନ ରାଜ୍ୟର ସାମାଜିକ ଓ ସାଂସ୍କୃତିକ ଜୀବନକୁ ରୁଦ୍ଧିମନ୍ତ କରିବା ସହ ଅର୍ଥନୀତିକୁ ସମୃଦ୍ଧ କରିଛି ବୋଲି ରାଜ୍ୟପାଳ ଅବତାରଣା କରିଥିଲେ।
ତେଲେଙ୍ଗାନାର ମାନ୍ୟବର ରାଜ୍ୟପାଳ ଶ୍ରୀ ଶିବ ପ୍ରତାପ ଶୁକ୍ଳା, ଗୋଆର ମାନ୍ୟବର ରାଜ୍ୟପାଳ ଶ୍ରୀ ପୁଷପତି ଅଶୋକ ଗଜପତି ରାଜୁ ଏବଂ ସିକିମର ମାନ୍ୟବର ରାଜ୍ୟପାଳ ଶ୍ରୀ ଓମ୍ ପ୍ରକାଶ ମାଥୁରଙ୍କ ଅଡିଓ-ଭିଜୁଆଲ୍ ବାର୍ତ୍ତା ଏହି ଅବସରରେ ପ୍ରଦର୍ଶିତ ହୋଇଥିଲା। ମୁଖ୍ୟ ବନ ସଂରକ୍ଷକ (କେନ୍ଦୁ ପତ୍ର) ଶ୍ରୀମତୀ ଉମା ନନ୍ଦୁରୀଙ୍କ ସମେତ ଓଡ଼ିଶାରେ ରହୁଥିବା ଏହି ତିନୋଟି ରାଜ୍ୟର ମୂଳ ବାସିନ୍ଦାମାନେ ଓଡିଶା ରାଜ୍ୟରେ ରହିବାର ସେମାନଙ୍କର ଅଭିଜ୍ଞତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଡ. ରୂପା ରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।