ପୁରୀ, ୦୩/୦୬: ପୁରୀର ତାଜ୍ ପୁରୀ ରିସୋର୍ଟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ବ୍ରିକ୍ସ (BRICS) ସମ୍ମିଳନୀ। ଏହି ସମ୍ମିଳନୀ ଆଜି ଅର୍ଥାତ୍ ୩ ଜୁନ୍ ରୁ ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ବ୍ରିକ୍ସ ସମ୍ମିଳନୀ ହୋଇଥିବାରୁ ରାଜ୍ୟ ପାଇଁ ଏକ ଐତିହାସିକ ଘଟଣା ବୋଲି ବିବେଚିତ ହେଉଛି।
ବ୍ରିକ୍ସ ହେଉଛି ବିଶ୍ୱର ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ମଞ୍ଚ। ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ହେଲେ ବ୍ରାଜିଲ୍, ରୁଷ୍, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ଇଜିପ୍ଟ, ସଂଯୁକ୍ତ ଆରବ ଏମିରେଟ୍ସ (UAE), ଇଥିଓପିଆ, ଇରାନ୍ ଓ ଇଣ୍ଡୋନେସିଆ। ଏହି ସମ୍ମିଳନୀରେ ବ୍ରିକ୍ସର ୧୧ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧି ମାନେ ଯୋଗ ଦେବେ।
ଏହି ତିନିଦିନିଆ ସମ୍ମିଳନୀର ମୂଳ ଫୋକସ୍ ହେଉଛି ବିପର୍ଯ୍ୟୟ ପରିଚାଳନା (Disaster Management) ଏବଂ ପ୍ରତିରୋଧ କ୍ଷମତା ବୃଦ୍ଧି (Resilience Building)। ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ (ବନ୍ୟା, ଘୂର୍ଣ୍ଣିବଳୟ, ଭୂକମ୍ପ ଇତ୍ୟାଦି) ଏବଂ ମାନବୀୟ ବିପର୍ଯ୍ୟୟର ମୁକାବିଲା ପାଇଁ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଜ୍ଞାନ ଆଦାନ-ପ୍ରଦାନ, ପ୍ରଯୁକ୍ତି ସହଯୋଗ ଏବଂ ଯୌଥ କାର୍ଯ୍ୟକ୍ରମ ଉପରେ ଆଲୋଚନା ହେବ।
ଓଡ଼ିଶା ନିଜେ ବନ୍ୟା, ଘୂର୍ଣ୍ଣିବଳୟ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପରିଚିତ ହୋଇଥିବାରୁ ଏହି ସମ୍ମିଳନୀ ରାଜ୍ୟ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ବିବେଚିତ ହେଉଛି। ଓଡ଼ିଶା ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ମଡେଲ୍ ଏବଂ ସଫଳତାକୁ ଏହି ସମ୍ମିଳନୀରେ ଆଲୋଚନା କରାଯିବାର ସମ୍ଭାବନା ରହିଛି।
ଚଳିତ ସମ୍ମିଳନୀର ଥିମ୍ ହେଉଛି ବିପର୍ଯ୍ୟୟ ପ୍ରତିରୋଧୀ କ୍ଷମତା, ନୂତନ ଜ୍ଞାନକୌଶଳ, ସହଯୋଗ ଏବଂ ସ୍ଥାୟୀତ୍ୱର ବିକାଶ। ଏହି ସମ୍ମିଳନୀ ଓଡ଼ିଶା ପାଇଁ ବେଶ ଗୁରୁତ୍ୱ ବହନ କରୁଛି। ଏହି ସମ୍ମିଳନୀରେ ବିପର୍ଯ୍ୟୟ ପ୍ରତିରୋଧ କ୍ଷେତ୍ରରେ ଓଡ଼ିଶାକୁ ବିଶ୍ୱସ୍ତରୀୟ ନେତୃତ୍ୱର ସ୍ଥାନ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା ଏବଂ ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟର ସଫଳ ମଡେଲକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବ ଓଡ଼ିଶା। ଏହି ସମ୍ମିଳନୀ ଦ୍ୱାରା ଅନ୍ତର୍ଜାତୀୟ ସହଯୋଗ ଏବଂ ଓଡ଼ିଶାର ବିଶ୍ୱସ୍ତରୀୟ ପରିଚିତିକୁ ଆହୁରି ସମୃଦ୍ଧ କରିବ।
ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ପ୍ରୟାସରେ ଏହି ସମ୍ମିଳନୀ ଆୟୋଜିତ ହେଉଛି। ପୁରୀର ବିଭିନ୍ନ ସ୍ଥାନରେ ଉଚ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆନ୍ତର୍ଜାତୀୟ ପ୍ରତିନିଧି ମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ସମ୍ମିଳନୀ ସମୟରେ ପୁରୀ ସହ ଆଖପାଖ ଅଞ୍ଚଳରେ ଟ୍ରାଫିକ୍ ନିୟନ୍ତ୍ରଣ, ସୁରକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ପ୍ରସ୍ତୁତି ନିଆଯାଇଛି।