ବେଦାନ୍ତ ପାଇଁ ବିପଦରେ ଭେଡେନ ନଦୀ
ବେଦାନ୍ତର ପାଉଁଶ ପାଇପ୍ ଲାଇନ୍ ଫାଟି ନଦୀକୁ ବହିଲା ଦୂଷିତ ଜଳ, ତୀବ୍ର ଜନ ଅସନ୍ତୋଷ
ଝାରସୁଗୁଡ଼ା, ୦୫/୦୬: ବେଦାନ୍ତ ଆଲୁମିନିୟମ ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାରେ ପୁଣି ଥରେ ପରିବେଶ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ାଇଛି ଏକ ଗୁରୁତର ଘଟଣା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଝାରସୁଗୁଡ଼ାସ୍ଥିତ Vedanta Limited କାରଖାନାର ପାଉଁଶ ପରିବହନ ପାଇଁ ବ୍ୟବହୃତ ସ୍ଲରି ପାଇପ୍ ଲାଇନ୍ ଫାଟିଯିବାରୁ ବିପୁଳ ପରିମାଣର ପାଉଁଶ ମିଶ୍ରିତ ଦୂଷିତ ଜଳ ସିଧାସଳଖ ଭାବେ ଭେଡେନ ନଦୀରେ ମିଶିଛି। ଏହା ଫଳରେ ନଦୀର ଜଳ ଗୁଣବତ୍ତା, ଜଳଜୀବନ, କୃଷି ଓ ସ୍ଥାନୀୟ ଲୋକଙ୍କ ଜୀବିକା ଗୁରୁତର ବିପଦରେ ପଡ଼ିଥିବା ଅଭିଯୋଗ ଉଠିଛି।
ସୂଚନା ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୮.୩୦ଟା ସମୟରେ ପାଇପ୍ ଲାଇନ୍ ହଠାତ୍ ଫାଟିଯିବା ପରେ ଘନ ପାଉଁଶ ମିଶ୍ରିତ କଳାବର୍ଣ୍ଣର ଜଳ ଆଖପାଖ ଅଞ୍ଚଳରେ ବ୍ୟାପି ଯାଇ ଶେଷରେ ଭେଡେନ ନଦୀରେ ପ୍ରବେଶ କରିଥିଲା। ଘଟଣା ପରେ ନଦୀର କିଛି ଅଂଶରେ ଜଳର ରଙ୍ଗ ପରିବର୍ତ୍ତନ ହୋଇଥିବା ଏବଂ ପାଉଁଶର ଆସ୍ତରଣ ଜମିଥିବା ଦେଖାଯାଇଥିବା ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି।
କୁରେବଗା ଗ୍ରାମବାସୀଙ୍କ କହିବା ଅନୁସାରେ, ଏହା କୌଣସି ବିଚ୍ଛିନ୍ନ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଅନେକଥର ପାଇପ୍ ଲାଇନ୍ ଲିକେଜ୍, ପାଉଁଶ ଜଳ ନିର୍ଗମନ ଏବଂ ପରିବେଶ ପ୍ରଦୂଷଣ ଘଟଣା ଘଟିଥିଲେ ମଧ୍ୟ କମ୍ପାନୀ ପକ୍ଷରୁ କେବଳ ଅସ୍ଥାୟୀ ମରାମତି କରାଯାଇଛି। ସମସ୍ୟାର ମୂଳ କାରଣ ଦୂର କରିବା ପରିବର୍ତ୍ତେ ବାରମ୍ବାର ଏପରି ଘଟଣାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି।
ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ଭେଡେନ ନଦୀ କେବଳ ଏକ ଜଳଧାରା ନୁହେଁ, ବରଂ ଆଖପାଖ ଗ୍ରାମଗୁଡ଼ିକର କୃଷି, ପଶୁପାଳନ ଓ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଆଧାର। ନଦୀରେ ପାଉଁଶ ମିଶିବା ଫଳରେ ଜଳଜୀବନ ଧ୍ୱଂସ ହେବା ସହ ଚାଷ ଜମିର ଉର୍ବରତା ଓ ଭୂତଳ ଜଳ ଉପରେ ମଧ୍ୟ ଦୀର୍ଘମିଆଦୀ ପ୍ରଭାବ ପଡ଼ିପାରେ।
ଘଟଣା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଏକଜୁଟ ହୋଇ କମ୍ପାନୀ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କ୍ଷତିଗ୍ରସ୍ତ ପାଇପ୍ ଲାଇନର ତୁରନ୍ତ ମରାମତି, ନଦୀରେ ମିଶିଥିବା ପାଉଁଶ ଓ ଦୂଷିତ ଜଳର ବୈଜ୍ଞାନିକ ସଫାଇ, ସ୍ୱାଧୀନ ପରିବେଶୀୟ ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସ୍ଥାନୀୟ ଲୋକ ପ୍ରଶ୍ନ ଉଠାଇଛନ୍ତି ଯେ, ଯଦି ଏକ ବୃହତ ଶିଳ୍ପ ସଂସ୍ଥା ନିଜର ପାଉଁଶ ପରିଚାଳନା ବ୍ୟବସ୍ଥାକୁ ସୁରକ୍ଷିତ ଭାବେ ପରିଚାଳନା କରିପାରୁନାହିଁ, ତେବେ ପରିବେଶ ସୁରକ୍ଷା ନେଇ ଦିଆଯାଉଥିବା ପ୍ରତିଶ୍ରୁତି କେତେ ଦୂର ବିଶ୍ୱସନୀୟ? ଏପରି ଘଟଣା ବାରମ୍ବାର ଘଟିବା ସତ୍ତ୍ୱେ ସମ୍ପୃକ୍ତ ନିୟାମକ ସଂସ୍ଥା ଓ ପ୍ରଦୂଷଣ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ନିରବତାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।
ଗ୍ରାମବାସୀ ଚେତାବନୀ ଦେଇଛନ୍ତି ଯେ, ଯଦି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ଏବଂ ନଦୀ ପ୍ରଦୂଷଣ ରୋକିବା ପାଇଁ ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯିବ ନାହିଁ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ତୀବ୍ର କରାଯିବ ବୋଲି ଗ୍ରାମବାସି ଚେତାବନୀ ଦେଇଛନ୍ତି।