ଓଡ଼ିଶାକୁ ଅତିରିକ୍ତ ୬ଟି ସ୍ନାତକୋତ୍ତର ଡାକ୍ତରୀ ସିଟ୍ ସ୍ୱୀକୃତି
ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସ ଦ୍ଵାରା ମାନ୍ୟତା ପ୍ରଦାନ
ଭୁବନେଶ୍ଵର, ୦୫/୦୬: ନୂଆଦିଲ୍ଲୀର ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସ (NBEMS) ଓଡ଼ିଶାରେ ଅତିରିକ୍ତ ସ୍ନାତକୋତ୍ତର ଡାକ୍ତରୀ ସିଟ୍ ପାଇଁ ମାନ୍ୟତା ପ୍ରଦାନ କରିଛି। କୋରାପୁଟର ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ (SLNMCH)କୁ DNB (ଡିପ୍ଲୋମେଟ୍ ଅଫ୍ ନ୍ୟାସନାଲ ବୋର୍ଡ) ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗ (O&G) ୪ଟି ସିଟ୍ କୁ ସ୍ୱୀକୃତି ମିଳିଛି। ପୁରୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶିଶୁରୋଗରେ ୨ଟି ଏମବିବିଏସ ଡିପ୍ଲୋମା ସିଟ୍ ସ୍ୱୀକୃତି ମିଳିଛି। ଏହା ଫଳରେ ରାଜ୍ୟରେ ଡାକ୍ତରୀ ଶିକ୍ଷା ଏବଂ ବିଶେଷଜ୍ଞ ସ୍ୱାସ୍ଥ୍ୟସେବାକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ମିଳିବ। ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସ ଦ୍ଵାରା ଏହି ମାନ୍ୟତା ପ୍ରଦାନ କରାଯାଇଛି ଯାହା କେବିକେ ଅଞ୍ଚଳ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ରୋଗୀ-ଡାକ୍ତର ଅନୁପାତରେ ଉନ୍ନତି ଏବଂ ମାତୃ ଏବଂ ଶିଶୁ ଯତ୍ନ ସେବା ସୁନିଶ୍ଚିତ କରିବା ପାଇଁ ସହଜ ହେବ।
ଏଥି ନିମନ୍ତେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇ ତାଙ୍କ ପ୍ରୟାସରେ ଏହି ସିଟ ବଢିବା ଦ୍ଵାରା ଓଡିଶାର ସ୍ୱାସ୍ଥ୍ୟ ସେବା ସୁଦୃଢ ହେବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।