ବ୍ୟାଗ୍ ନ ନେଇ ସ୍କୁଲ ଯିବେ ପିଲା

ନୂଆ ସମୟ ସାରଣୀ ପ୍ରସ୍ତୁତ କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର, ୦୮/୦୬: ଜାତୀୟ ଶିକ୍ଷା ନୀତି-୨୦୨୦ (ଏନଇପି) ର କାର୍ଯ୍ୟକାରିତାକୁ ଅଧିକ ସୁଦୃଢ଼ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନୂତନ ଶିକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ଏହି ନୀତି ଅନୁଯାୟୀ ପାଠ୍ୟକ୍ରମ ଓ ପାଠପଢ଼ା ପ୍ରଣାଳୀରେ ବ୍ୟାପକ ସଂଶୋଧନ କରାଯାଇଛି।

ଛାତ୍ରଛାତ୍ରୀଙ୍କ ଉପରେ ପାଠ୍ୟଭାର କମାଇବା ଏବଂ ଅଭିଜ୍ଞତାଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ବର୍ଷକୁ ୧୦ ଦିନ ବିନା ସ୍କୁଲ ବ୍ୟାଗରେ ବିଦ୍ୟାଳୟକୁ ଆସିବେ। ଏହି ଦିନଗୁଡ଼ିକରେ ସେମାନେ ପୁସ୍ତକ ଭିତ୍ତିକ ପାଠପଢ଼ା ବଦଳରେ ବିଭିନ୍ନ ସୃଜନଶୀଳ, ପ୍ରାୟୋଗିକ ଓ ଜୀବନମୂଳକ କାର୍ଯ୍ୟକଳାପରେ ଅଂଶ ନେବେ।

ନୂତନ ବ୍ୟବସ୍ଥା ଅନୁଯାୟୀ ଏକ ଶିକ୍ଷାବର୍ଷରେ ସ୍କୁଲ ୨୩୦ ଦିନ ଖୋଲା ରହିବ। ସେଥିରୁ ୨୦ ଦିନ ବାର୍ଷିକୋତ୍ସବ, କ୍ରୀଡ଼ା ଉତ୍ସବ ଓ ଅନ୍ୟାନ୍ୟ ସହଶିକ୍ଷା କାର୍ଯ୍ୟକ୍ରମ ପାଇଁ ଉତ୍ସର୍ଗ କରାଯିବ। ଅବଶିଷ୍ଟ ୧୯୦ ଦିନ ନିୟମିତ ଶିକ୍ଷାଦାନ ଚାଲିବ ଏବଂ ପ୍ରତିଦିନ ୭ଟି ପିରିୟଡ୍ ହେବ।

ଶିଶୁ ବାଟିକାର ଛୋଟ ପିଲାମାନଙ୍କ ପାଇଁ ପ୍ରତି ଶନିବାରକୁ ‘ବସ୍ତାନି ବିହୀନ ଦିବସ’ ଭାବେ ପାଳନ କରାଯିବ। ଏହାଦ୍ୱାରା ସେମାନେ ଖେଳ, ଗୀତ, କାହାଣୀ ଓ ଅନ୍ୟାନ୍ୟ ଆନନ୍ଦମୟ କାର୍ଯ୍ୟକଳାପ ମାଧ୍ୟମରେ ଶିକ୍ଷା ଗ୍ରହଣ କରିପାରିବେ।

ସମସ୍ତ ଶ୍ରେଣୀ ପାଇଁ ସପ୍ତାହକୁ ୪୨ଟି ପିରିୟଡ୍ ନିର୍ଦ୍ଧାରଣ କରାଯାଇଛି। ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ସମୟ ସାରଣୀ ପ୍ରସ୍ତୁତ ହୋଇଥିବା ବେଳେ, ବୃଦ୍ଧିଗତ ଶିକ୍ଷା ପାଇଁ ନିର୍ଦ୍ଧାରିତ ୪ଟି ପିରିୟଡ୍ ମଧ୍ୟରୁ ଗୋଟିଏକୁ ବସ୍ତାନି ବିହୀନ କାର୍ଯ୍ୟକ୍ରମ ପାଇଁ ରଖାଯାଇଛି।

ଏହି ନୂଆ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକରୀ କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଜାରି କରାଯାଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ନୂତନ ସମୟ ସାରଣୀ ଓ ନିୟମାବଳୀ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।