ଦୁର୍ନୀତି ବିରୋଧରେ ରାଜସ୍ୱ ବିଭାଗର ଶୂନ୍ୟ ସହନଶୀଳତା

ଲାଞ୍ଚ ମାଗିବା ଅଭିଯୋଗରେ ନିଲମ୍ବିତ ହେଲେ ସହକାରୀ ରାଜସ୍ୱ ନିରୀକ୍ଷକ

ଭୁବନେଶ୍ୱର, ୦୮/୦୬: ସମ୍ବଲପୁର ସଦର ତହସିଲ୍ ଅନ୍ତର୍ଗତ ସଦର୍ – ୪ ଆରଆଇ ସର୍କଲର ସହକାରୀ ରାଜସ୍ୱ ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର ସା’ଙ୍କୁ ନିଲମ୍ବିତ କରାଯାଇଛି l ନିଲମ୍ବନ ସମୟ ମଧ୍ୟରେ ଶ୍ରୀ ସା’ କୁଚିଣ୍ଡା ଉପଜିଲ୍ଲାପାଳଙ୍କ ଅଧୀନରେ ସଦର ମହକୁମା ମୁଖ୍ୟାଳୟରେ ଅବସ୍ଥାପିତ ହେବେ ଏବଂ ଉପରିସ୍ଥ ଅଧିକାରୀଙ୍କ ଅନୁମତି ବିନା ମୁଖ୍ୟାଳୟ ଛାଡ଼ିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି ।

ସୂଚନାଯୋଗ୍ଯ ଯେ, ତହସିଲରେ ପ୍ରମାଣପତ୍ର ଯୋଗାଇ ଦେବା ପାଇଁ ସହକାରୀ ନିରୀକ୍ଷକ ତିନିହଜାର ଟଙ୍କା ଦାବି କରୁଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା l ଏ ସମ୍ପର୍କିତ ଆପାତତଃ ତଥ୍ୟ ପରିପ୍ରେକ୍ଷୀରେ ଶ୍ରୀ ସୁରେନ୍ଦ୍ର ସା’ଙ୍କୁ କାର୍ଯ୍ୟରୁ ନିଳମ୍ବନ କରାଯିବା ନିମନ୍ତେ ସମ୍ବଲପୁର ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି l

ପ୍ରକାଶ ଥାଉକି, କିଛି ଦିନ ପୂର୍ବରୁ ହିଁ ଶିକ୍ଷାନୁଷ୍ଠାନରେ ନାମଲେଖା ନିମନ୍ତେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଆବେଦିତ ପ୍ରମାଣପତ୍ର ତ୍ଵରିତ ପ୍ରଦାନ କରିବା ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ସମସ୍ତ ତହସିଲକୁ ନିର୍ଦ୍ଦେଶ ଜାରି କରାଯାଇଥିଲା l ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଗୁରୁତ୍ୱାରୋପ କରିବା ସହ ନାମଲେଖା ନିମନ୍ତେ ପ୍ରମାଣପତ୍ର ପ୍ରଦାନରେ କୌଣସି ବି ଛାତ୍ରଛାତ୍ରୀଙ୍କୁ ଯେପରି ଅସୁବିଧା ନ ହୁଏ ସେଥିପ୍ରତି ଧ୍ଯାନ ଦେବାକୁ ଗୁରୁତ୍ୱାରୋପ କରିବା ସହ ରାଜସ୍ୱ ବିଭାଗରେ କୌଣସି ପ୍ରକାର ଦୁର୍ନୀତି ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ l ଏ ନେଇ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ମଧ୍ଯ ଚିଠି ଲେଖି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଦୁର୍ନୀତି ବିରୋଧରେ ରାଜସ୍ୱ ବିଭାଗ ଶୂନ୍ୟ ସହନଶୀଳତା ଆପଣାଇବାରେ ସର୍ବଦା ବଦ୍ଧପରିକର ରହିଛି l