ଲୋକ ଭବନରେ ପଶ୍ଚିମବଙ୍ଗ ପ୍ରତିଷ୍ଠା ଦିବସ ପାଳିତ

ଏକତା ମଧ୍ୟରେ ବିବିଧତା ଭାରତର ସର୍ବଶ୍ରେଷ୍ଠ ଶକ୍ତି: ରାଜ୍ୟପାଳ

ଭୁବନେଶ୍ୱର, ୨୧/୦୬: ଏକତା ମଧ୍ୟରେ ବିବିଧତା ହେଉଛି ଭାରତର ସର୍ବଶ୍ରେଷ୍ଠ ଶକ୍ତି ଏବଂ ସ୍ଥିରତା ଓ ପ୍ରଗତିର ମଜବୁତ୍ ଭିତ୍ତି ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି I

ରବିବାର ଦିନ ଲୋକ ଭବନର ନ୍ୟୁ ଅଭିଷେକ ହଲ୍‌ରେ ଅନୁଷ୍ଠିତ ପଶ୍ଚିମବଙ୍ଗ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି l ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ପ୍ରତ୍ୟେକ ଭାଷା, ସଂସ୍କୃତି, ପରମ୍ପରା ଏବଂ ଗୋଷ୍ଠୀ ଭାରତର ଏକତା ମଧ୍ୟରେ ବିବିଧତାକୁ ସମୃଦ୍ଧ କରୁଛିନ୍ତି l

ଜାତୀୟ ଏକତା ଉପରେ ଗୁରୁତ୍ୱାରୋପ କରି ରାଜ୍ୟପାଳ କହିଥିଲେ ଯେ, ପରସ୍ପରର ପର୍ବ ପାଳନ, ବିଭିନ୍ନ ଭାଷା ଶିଖିବା ଏବଂ ବିବିଧ ପରମ୍ପରାକୁ ଗ୍ରହଣ କରିବା ଦ୍ୱାରା ଲୋକଙ୍କ ମଧ୍ୟରେ ଏକତାର ବନ୍ଧନ ମଜବୁତ ହୁଏ। ଏହି ଚେତନା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ “ଏକ ଭାରତ ଶ୍ରେଷ୍ଠ ଭାରତ” ଦର୍ଶନକୁ ପ୍ରତିଫଳିତ କରୁଛି, ଯାହା ବିଭିନ୍ନ ରାଜ୍ୟର ଲୋକଙ୍କ ମଧ୍ୟରେ ଗଭୀର ସାଂସ୍କୃତିକ ବୁଝାମଣା ଏବଂ ଭାବଗତ ଏକୀକରଣକୁ ପ୍ରୋତ୍ସାହିତ କରୁଛି।

ଏହି ଅବସରରେ ପଶ୍ଚିମବଙ୍ଗ ବାସୀଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଥିଲେ ଯେ, ପଶ୍ଚିମବଙ୍ଗ ହେଉଛି ଭାରତର ସର୍ବାଧିକ ସ୍ପନ୍ଦନଶୀଳ ଓ ସାଂସ୍କୃତିକ ଭାବରେ ସମୃଦ୍ଧ ରାଜ୍ୟ ମଧ୍ୟରୁ ଅନ୍ୟତମ। ସାହିତ୍ୟ, କଳା, ବିଜ୍ଞାନ ଏବଂ ଜାତି ଗଠନରେ ପଶ୍ଚିମବଙ୍ଗର ଗୁରୁତ୍ୱପୂର୍ଣ୍ଣ ଅବଦାନ ବିଷୟରେ ଉଲ୍ଲେଖ କରି କଲକାତାକୁ ଭାରତର ସାଂସ୍କୃତିକ ରାଜଧାନୀ ବୋଲି ରାଜ୍ୟପାଳ ବର୍ଣ୍ଣନା କରିଥିଲେ ଏବଂ ଏହି ନଗର ରବୀନ୍ଦ୍ରନାଥ ଠାକୁର, ସତ୍ୟଜିତ୍ ରାୟଙ୍କ ପରି ଅନେକ ଚିନ୍ତକ, କଳାକାର ଏବଂ ଦୂରଦ୍ରଷ୍ଟାଙ୍କୁ ସୃଷ୍ଟି କରିଛି।

ପଶ୍ଚିମବଙ୍ଗର ସଂଗୀତ, ନାଟକ, ଖାଦ୍ୟ ଏବଂ ପର୍ବ-ପର୍ବାଣି ମାଧ୍ୟମରେ ପ୍ରକାଶିତ ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ବିଶେଷ କରି ଦୁର୍ଗା ପୂଜାକୁ ୟୁନେସ୍କୋ ସାଂସ୍କୃତିକ ଐତିହ୍ୟ ଭାବେ ସ୍ୱୀକୃତି ମିଳିଥିବାର ଉଲ୍ଲେଖ କରିଥିଲେ।

ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କର ବିଷୟରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଏହି ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ସମ୍ପର୍କ ସହଭାଗୀ ଇତିହାସ, ସଂସ୍କୃତି ଏବଂ ଆଧ୍ୟାତ୍ମିକ ପରମ୍ପରା ଉପରେ ପ୍ରତିଷ୍ଠିତ।

ଓଡ଼ିଶାରେ ବସବାସ କରୁଥିବା ପଶ୍ଚିମବଙ୍ଗର ମୂଳ ବାସିନ୍ଦାଙ୍କର ଓଡ଼ିଶା ପ୍ରତି ଅବଦାନର ପ୍ରଶଂସା କରି ଆହୁରି ଅନ୍ତର୍ଭୁକ୍ତିମୂଳକ, ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ସମୃଦ୍ଧ ଭାରତ ଗଢ଼ିବା ପାଇଁ ଏହି ଦୁଇ ରାଜ୍ୟ ମଧ୍ୟରେ ବନ୍ଧନକୁ ଅଧିକ ସୁଦୃଢ଼ କରିବାକୁ ରାଜ୍ଯପାଳ ଆହ୍ୱାନ ଜଣାଇଥିଲେ।

କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗର ଐତିହ୍ୟ ଓ ସଂସ୍କୃତି ଉପରେ ଆଧାରିତ ଏକ ଅଡ଼ିଓ-ଭିଜୁଆଲ୍ ପ୍ରଦର୍ଶିତ ହୋଇଥିଲା। ପଶ୍ଚିମବଙ୍ଗର ମାନ୍ୟବର ରାଜ୍ୟପାଳ ଶ୍ରୀ ଆର୍.ଏନ୍. ରବିଙ୍କ ଅଡ଼ିଓ-ଭିଜୁଆଲ୍ ବାର୍ତ୍ତା ମଧ୍ୟ ପ୍ରଦର୍ଶିତ ହୋଇଥିଲା।

ଏହି ଅବସରରେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଡ଼. ରୂପା ରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଓଡ଼ିଶାରେ ବସବାସ କରୁଥିବା ପଶ୍ଚିମବଙ୍ଗର ମୂଳ ବାସିନ୍ଦା ଓଡିଶାରେ ରହିବାର ଅନୁଭୂତି ବାଣ୍ଟି ଥିଲେ। ଏହି ସମାରୋହରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷିତ ହୋଇଥିଲା।