ଏନ୍‌ଆଇଟି ରାଉରକେଲା ଓ ଆଇଜର ବ୍ରହ୍ମପୁରର ମିଳିତ ଗବେଷଣା

ମୁଖ କର୍କଟ ଚିକିତ୍ସା ପାଇଁ ନୂତନ କୋଟାର୍ନିନ୍ ଡେରିଭେଟିଭ୍ ବିକଶିତ, ପେଟେଣ୍ଟ୍ ପ୍ରାପ୍ତ

ରାଉରକେଲା, ୦୨/୧୦: ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରାଉରକେଲା (ଏନ୍‌ଆଇଟି ରାଉରକେଲା)ର ରସାୟନ ବିଜ୍ଞାନ ଏବଂ ଲାଇଫ୍ ସାଇନ୍ସ ବିଭାଗର ସୁନାମଧନ୍ୟ ଗବେଷକମାନେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ, ବ୍ରହ୍ମପୁର (ଆଇଜର ବ୍ରହ୍ମପୁର)ର ଗବେଷକମାନଙ୍କ ସହଯୋଗରେ ମୁଖ କର୍କଟ ଚିକିତ୍ସା କ୍ଷେତ୍ରରେ ଏକ ଅଭିନବ ସଫଳତା ହାସଲ କରିଛନ୍ତି। ସେମାନେ ଏକ ନୂତନ ‘କୋଟାର୍ନିନ୍ ଡେରିଭେଟିଭ୍‌’ ଔଷଧୀୟ ଫର୍ମୁଲେସନ୍ ବିକଶିତ କରିଛନ୍ତି, ଯାହା ମୁଖ କର୍କଟ ରୋଗର ନିରାକରଣ ଓ ଚିକିତ୍ସା କ୍ଷେତ୍ରରେ ଏକ ଆଶାର କିରଣ ସାଜିଛି।

ଏହି ଆବିଷ୍କାର ପାଇଁ ଗବେଷକ ଟିମ୍‌କୁ “ଡିଜାଇନ, ସିନ୍ଥେସିସ୍, ଆଣ୍ଡ ଫର୍ମୁଲେସନ ଅଫ ଏ କୋକାର୍ନାଇନ ଡେରିଭେଟିଭ୍ ଫର ଓରାଲ କ୍ୟାନସର ଥେରାପି” ଶୀର୍ଷକରେ ଜାତୀୟ ପେଟେଣ୍ଟ୍‌ (ପେଟେଣ୍ଟ୍ ନଂ: ୬୦୪୧୨୫) ପ୍ରଦାନ କରାଯାଇଛି।

ଏହି ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ପଛରେ କିଛି ଗବେଷକମାନଙ୍କର ପ୍ରମୁଖ ଯୋଗଦାନ ରହିଛି। ସେମାନେ ହେଲେ ଏନ୍‌ଆଇଟି ରାଉରକେଲାର ମିସ୍ ଲକ୍ଷ୍ମୀପ୍ରିୟା ପୃଷ୍ଟି, ପ୍ରଫେସର ହରେକୃଷ୍ଣ ସାହୁ, ମିସ୍ ଶ୍ରୁତି ବିଶ୍ୱାଳ ଓ ପ୍ରଫେସର ବିବେକାନନ୍ଦ ମଲ୍ଲିକ ଏବଂ ଆଇଜର ବ୍ରହ୍ମପୁରର ଶ୍ରୀ ପ୍ରଦ୍ୟୋତ କୁମାର ବେହେରା ଏବଂ ପ୍ରଫେସର ଲକ୍ଷ୍ମୀଧର ରାଉତ।

ଭାରତରେ ମୁଖ କର୍କଟ ଏକ ବଡ଼ ଜନସ୍ୱାସ୍ଥ୍ୟ ସମସ୍ୟା ଭାବେ ଛିଡ଼ା ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ଚିହ୍ନଟ ନ ହୋଇପାରିବା ଏବଂ ପାରମ୍ପରିକ ଚିକିତ୍ସା ପଦ୍ଧତିର ବିଭିନ୍ନ ସୀମାବଦ୍ଧତା ଯୋଗୁଁ ରୋଗୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହି ସମସ୍ୟାର ସମାଧାନ ପାଇଁ ମେଡିସିନାଲ୍ କେମିଷ୍ଟ୍ରି (ଔଷଧୀୟ ରସାୟନ) ଏବଂ ଫର୍ମୁଲେସନ୍ ସାଇନ୍ସର ମିଶ୍ରଣରେ ଏହି ନୂତନ ଆଣବିକ ସଂରଚନା ପ୍ରସ୍ତୁତ କରାଯାଇଛି, ଯାହା କର୍କଟ ଜୀବକୋଷ ବିରୋଧରେ ପ୍ରଭାବଶାଳୀ କାର୍ଯ୍ୟ କରିଥାଏ

ଏ ନେଇ ପ୍ରଫେସର ହରେକୃଷ୍ଣ ସାହୁ କହିଛନ୍ତି, “ଏହି କୋଟାର୍ନିନ୍ ଡେରିଭେଟିଭ୍‌ର ବିକାଶ ମୁଖ କର୍କଟ ଚିକିତ୍ସା ପାଇଁ ନୂଆ ଅଣୁଗୁଡ଼ିକର ଅନୁସନ୍ଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଅଣୁର ନକ୍ସା, ସଂଶ୍ଲେଷଣ ଏବଂ ଫର୍ମୁଲେସନ୍‌କୁ ନେଇ ଗଠିତ ଏହି ସମନ୍ୱିତ ପଦ୍ଧତି ପୂର୍ବ-ଚିକିତ୍ସା ଓ ପ୍ରୟୋଗାତ୍ମକ ଗବେଷଣା ପାଇଁ ବାଟ ଖୋଲିଛି। ଏହି ସଫଳତା ବିଭିନ୍ନ ବିଭାଗ ମଧ୍ୟରେ ଅନ୍ତରଙ୍ଗ ସହଯୋଗର ଶ୍ରେଷ୍ଠ ନମୁନା।”

ସେହିପରି ପ୍ରଫେସର ବିବେକାନନ୍ଦ ମଲ୍ଲିକ କହିଛନ୍ତି, “ପରୀକ୍ଷାଗାର ଗବେଷଣାରୁ ଜଣାପଡ଼ିଛି ଯେ, ଏହି ପ୍ରସ୍ତୁତ କୋଟାର୍ନିନ୍ ଡେରିଭେଟିଭ୍ ବିଶେଷ କରି ଜିଭ କର୍କଟ ଜୀବକୋଷ ଗୁଡ଼ିକ ବିରୋଧରେ ଅତ୍ୟନ୍ତ କମ୍ ପରିମାଣରେ ମଧ୍ୟ ଚମତ୍କାର କାର୍ଯ୍ୟକାରିତା ଦେଖାଇଛି। ପରବର୍ତ୍ତୀ ସମୟରେ ପଶୁମାନଙ୍କ ଉପରେ ପରୀକ୍ଷା ଏବଂ ମାନବ କ୍ଲିନିକାଲ୍ ମୂଲ୍ୟାଙ୍କନ ଦ୍ୱାରା ଏହାର ନିରାପତ୍ତା ଓ ପ୍ରଭାବଶାଳୀତା ପ୍ରମାଣିତ କରାଯିବ।”

ଏହି ଗବେଷଣା ପ୍ରାଥମିକ ପ୍ରୟୋଗଶାଳା ସ୍ତରରୁ ବାସ୍ତବ ଚିକିତ୍ସା କ୍ଷେତ୍ରକୁ ଆଣିବା ପାଇଁ ଏକ ବଡ଼ ପ୍ରୟାସ। ଆଗାମୀ ଦିନରେ ଏହାର ପାର୍ଶ୍ୱପ୍ରତିକ୍ରିୟା ହ୍ରାସ କରି ଅଧିକ ପ୍ରଭାବଶାଳୀ ଔଷଧରେ ପରିଣତ କରିବା ପାଇଁ ପ୍ରି-କ୍ଲିନିକାଲ୍ ପରୀକ୍ଷଣ କରାଯିବ।

ଏହି ପେଟେଣ୍ଟ୍ ପ୍ରାପ୍ତି ଏନ୍‌ଆଇଟି ରୁରକେଲାର ଗବେଷଣା-ଭିତ୍ତିକ ନବସୃଜନ, ବୌଦ୍ଧିକ ସମ୍ପଦ ସୃଷ୍ଟି କରିବା ସହ ଭାରତର ସ୍ୱଦେଶୀ ସ୍ୱାସ୍ଥ୍ୟସେବା ଗବେଷଣା ପ୍ରଚେଷ୍ଟାକୁ ଆହୁରି ମଜବୁତ୍ କରିଛି।