ଧାନ ବିକ୍ରି କରିନପାରି ବିଷ ପିଇଲେ ଚାଷୀ

ଋଣ ବୋଝ ଓ ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ଥିଲେ ନେପାଳ

ନୂଆପଡ଼ା, ୨୩/୦୬: ଟୋକନ ମିଳିଥିଲା ଧାନ ବିକ୍ରୟ କରିବା ପାଇଁ ।କିନ୍ତୁ ଟୋକନ ମିଳିବା ସତ୍ତ୍ୱେ ଧାନ ବିକ୍ରି ହେଲା ନାହିଁ। ମାନସିକ ଚାପ ଅସହ୍ୟ ହେବାରୁ ବିଷ ପିଇ ଜୀବନ ହାରିଛନ୍ତି ଚାଷୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ଜଡ଼ାମୁଣ୍ଡା ଗାଁରେ। ଚାଷୀ ଆତ୍ମ ହତ୍ୟା କରିଥିବା ଅଭିଯୋଗ ଆସିଛି। ମୃତକ ବ୍ୟକ୍ତି ଜଣକ ହେଲେ ନେପାଳ ମାଝି (୪୫) ।

ଜଡ଼ାମୁଣ୍ଡ ଗୋଲେଇପଡ଼ାର ନେପାଳ ଚଳିତ ରବିଋତୁରେ ୩ ଏକର ଧାନ ଓ ୨ ଏକରରେ ଚିନାବାଦାମ ଚାଷ କରିଥିଲେ। ଧାନବିକ୍ରି ପାଇଁ ଆବେଦନ କରିବା ପରେ ଗତ ମେ’ ୩୦ରେ ଟୋକନ୍ ପାଇଥିଲେ। ୩୬.୯୬ କ୍ରିଣ୍ଟାଲ ଧାନ ବିକ୍ରି ପାଇଁ ତାଙ୍କୁ ଅନୁମତି ମିଳିଥିଲା। ତେବେ ଟୋକନ ପାଇବାର ୨୪ ଦିନ ପରେ ବି ଧାନ ବିକ୍ରି କରିପାରି ନ ଥିଲେ। ଫଳରେ ଟ୍ରାକ୍ଟର, ଡ୍ରେସର ମେସିନ ଓ ୩ ଛୁଆଙ୍କୁ ପାଠପଢ଼ା କୁ ନେଇ ମାନସିକ ଚାପରେ ରହି ଥିଲେ । ସୋମବାର ଧାନ ବିକ୍ରି ମ୍ମୁଖରେ ଜଡ଼ାମୁଣ୍ଡା ମଣ୍ଡିର ଚାଷୀମାନେ ଧାନ ବିକ୍ରି ଦାବିରେ ସିଏସଓ ଅଫିସ୍ ସମ୍ମୁଖ ଧାରଣା ଦେଇଥିଲେ । ଏଥିରେ ନେପାଳ ସାମିଲ ହୋଇଥିଲେ । ଅପରାହ୍ନରେ ଘରକୁ ଫେରିବାରୁ ଟଙ୍କା ପାଇଁ ପରିବାର ଲୋକଙ୍କ ସହ ତର୍କ ବିତର୍କ ହୋଇଥିଲା। ଧାନବିକ୍ରି ହେଉନି। ଟଙ୍କା କେଉଁଠୁ ଆସିବ । ଟଙ୍କା ଆସିଲେ ସିନା ଧାରଉଧାର ଶୁଝିବି ଓ ପରିବାର ଚଳାଇବି ବୋଲି କହିଥିଲେ । କିଛି ସମୟ ପରେ ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ପ୍ରାଣ ତ୍ୟାଗ କରିଥିଲେ। ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା I ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଛି।