ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ମୃତ ଓଡ଼ିଆ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ବଢୁଛି ଓଡ଼ିଆ ମୃତକଙ୍କ ସଂଖ୍ୟା, ଆଜି ଆଉ ୨ ଜଣଙ୍କର ମୃତ୍ୟୁ
ଭୁବନେଶ୍ବର, ୨୩/୦୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଥିଲେ।
ଏହା ସହିତ ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ CMRFରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲେ। ଆଜି ମୁଖ୍ୟମନ୍ତ୍ରୀ ଏହି ସହାୟତା ରାଶିର ପରିମାଣକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।
ଅନ୍ୟପଟେ ତାମିଲନାଡ଼ୁ ଗ୍ୟାସ ଲିକ୍ ଟ୍ରାଜେଡିରେ ବଢ଼ିଲା ଓଡ଼ିଆଙ୍କ ମୃତ୍ୟୁ ସଂଖ୍ୟା। ଚିକିତ୍ସାଧୀନ ଅବସ୍ଥାରେ ତାମିଲନାଡ଼ୁ ମେଡିକାଲ୍ରେ ଆଉ ଦୁଇ ଜଣ ଓଡ଼ିଆ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦୁଝର ଜିଲ୍ଲାର ଜାମୁନି ଜୁଆଙ୍ଗ ଏବଂ ଆଉ ଜଣେ ମୃତକ ସଦର ଥାନା କୋଡ଼ିପଶା ଗ୍ରାମର ସଜନୀ ଜୁଆଙ୍ଗ।
ସୂଚନାଯୋଗ୍ୟ, ତିରିଭଲୁର ଜିଲ୍ଲା ପେରିୟାପାଲିଆମରେ ସି ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ପୂର୍ବରୁ ୫ ଜଣ ଓଡ଼ିଆ ମହିଳାଙ୍କୁ ଚିହ୍ନଟ ସରିଥିଲା। ଆଜି ଆଉ ଦୁଇ ଜଣ ଓଡ଼ିଆ ମହିଳାଙ୍କ ମୃତ୍ୟୁ ହୋଇଛି। ଆହୁରି ଅନେକ ଶ୍ରମିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।