ଦୋହା, ୨୩/୦୬: କତାରର ସର୍ବବୃହତ୍ତମ ରାସ ଲାଫାନ୍ ଇଣ୍ଡଷ୍ଟ୍ରିଆଲ୍ ସହରର ବାରଜାନ୍ ଲୋକାଲ୍ ଗ୍ୟାସ୍ ସପ୍ଲାଇ ଫ୍ୟାସିଲିଟିରେ ରବିବାର ରାତିରେ ଏକ ଭୟଙ୍କର ବିସ୍ଫୋରଣ ଘଟି ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୩ ଜଣ ମୃତ୍ୟୁବରଣ କରିଥିବା ବେଳେ ୬୬ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୧୨ ଜଣ କେବଳ ଭାରତୀୟ ନାଗରିକ ଥିବା ଜଣାପଡ଼ିଛି।
କତାରର ଶକ୍ତି ମନ୍ତ୍ରୀ ଓ କତାର୍ ଏନର୍ଜି ସିଇଓ ସାଆଦ୍ ଶେରେଦା ଅଲ୍ କାବି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, “ମୁଁ ଆଜି ଏପରି ଏକ ଘୋଷଣା କରିବାକୁ ବାଧ୍ୟ ହୋଇଛି ଯାହା ମୁଁ କେବେ କରିବାକୁ ଚାହୁଁ ନଥିଲି। ଏହି ଦୁର୍ଘଟଣାରେ ଭାରତୀୟ ଓ ପାକିସ୍ତାନୀ ନାଗରିକଙ୍କ ସମେତ ୧୩ ଜଣଙ୍କର ଦୁର୍ଭାଗ୍ୟଜନକ ମୃତ୍ୟୁ ହୋଇଛି।” ଆହତଙ୍କ ମଧ୍ୟରେ କତାରୀ, ଭାରତୀୟ, ପାକିସ୍ତାନୀ, ବାଂଲାଦେଶୀ, କେନିୟାନ, ତାଞ୍ଜାନିୟାନ, ନାଇଜେରିୟାନ ଓ ନେପାଳୀ ନାଗରିକ ଅଛନ୍ତି। ଆହତଙ୍କ ଅବସ୍ଥା ସ୍ଥିର ରହିଛି।”
ସୂଚନାଯୋଗ୍ୟ, କତାର ଏନର୍ଜି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ବିସ୍ଫୋରଣ ଏକ ଟେକ୍ନିକାଲ୍ ଆକ୍ସିଡେଣ୍ଟ୍ ଥିଲା। ଡିସେମ୍ବର ୨୦୨୫ରେ ଜରୁରୀ ରକ୍ଷଣାବେକ୍ଷଣ ପାଇଁ ପ୍ଲାଣ୍ଟକୁ ପୂର୍ଣ୍ଣ ଭାବେ ବନ୍ଦ କରାଯାଇଥିଲା ଓ ଦୁଇ ଦିନ ପୂର୍ବେ ପୁଣି ଆରମ୍ଭ କରାଯାଇଥିଲା। ଏହି ସମୟରେ ବିସ୍ଫୋରଣ ଘଟିଥିଲା। ଏହା କୌଣସି ଆକ୍ରମଣ ନୁହେଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ପରିବେଶ ପାଇଁ କୌଣସି ବିପଦ ନାହିଁ ଓ ଆଖପାଖରେ ଥିବା ଅନ୍ୟ ଏଲ୍ଏନ୍ଜି ଫ୍ୟାସିଲିଟି ପ୍ରଭାବିତ ହୋଇ ନାହିଁ। ପୂର୍ଣ୍ଣ ତଦନ୍ତ ଚାଲିଛି।
ରାସ ଲାଫାନ୍ କତାରର ମୁଖ୍ୟ ଏଲ୍ଏନ୍ଜି ଉତ୍ପାଦନ ଓ ରପ୍ତାନି କେନ୍ଦ୍ର ଅଟେ। ଏହି ଦୁର୍ଘଟଣା ପରେ ରପ୍ତାନି ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି ଅଧିକାରୀମାନେ କହିଛନ୍ତି।
ଅନ୍ୟପଟେ ଏହି ମୃତାହତଙ୍କୁ ନେଇ ଭାରତୀୟ ଦୂତାବାସ ପକ୍ଷରୁ ଗଭୀର ଦୁଃଖ ପ୍ରକାଶ କରାଯାଇଛି। ଦୂତାବାସ କହିଛି, “ଆମେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସହ ଅଛୁ।” ସହାୟତା ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି: +୯୭୪-୫୫୬୪୭୫୦୨। ମୃତକଙ୍କ ପରିବାରଙ୍କୁ ସମସ୍ତ ସହାୟତା ଓ ମୃତଦେହ ଫେରସ୍ତ ପାଇଁ ପଦକ୍ଷେପ ନେବା ଆରମ୍ଭ ହୋଇଛି ବୋଲି ଦୂତାବାସ କହିଛି।