ଜରୁରୀକାଳୀନ ପରିସ୍ଥିତି: ଭାରତୀୟ ଗଣତନ୍ତ୍ରର ଏକ କଳା ଅଧ୍ୟାୟ: ମନମୋହନ ସାମଲ
ପ୍ରେସ୍ ସେନ୍ସରସିପ୍ ଓ ବିରୋଧୀଙ୍କ କଣ୍ଠରୋଧ: ଇନ୍ଦିରା ଯୁଗର କଳା ପୃଷ୍ଠା
୧୯୭୫ ମସିହା ଜୁନ୍ ୨୫ ତାରିଖ ଭାରତୀୟ ଗଣତନ୍ତ୍ରରେ କଳା ଦିବସ ଭାବେ ସ୍ମରଣୀୟ। ସେହି ଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଆଭ୍ୟନ୍ତରୀଣ ଅଶାନ୍ତିକୁ ଦର୍ଶାଇ ଜରୁରୀକାଳ ଘୋଷଣା କରିଥିଲେ। ଏହି ଜରୁରୀକାଳ ୨୧ ମାସ ଧରି, ଅର୍ଥାତ୍ ୧୯୭୭ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିଥିଲା। ଏହି ସମୟକୁ ଅନେକ ଇତିହାସବିଦ୍, ରାଜନୈତିକ ବିଶ୍ଳେଷକ ଓ ଗଣତନ୍ତ୍ରପ୍ରେମୀ , ଭାରତୀୟ ଗଣତନ୍ତ୍ରର “କଳା ଅଧ୍ୟାୟ” ଭାବେ ବର୍ଣ୍ଣନା କରନ୍ତି।
କଂଗ୍ରେସ ଯୋଗୁଁ ଦେଶ ବିଭାଜନ ହେଲା ଓ ବିଭାଜନ ପରବର୍ତ୍ତୀ ହିଂସାରେ ଲକ୍ଷାଧିକ ହିନ୍ଦୁ ମୃତ୍ୟୁବରଣ କରିଥିବାବେଳେ ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁଙ୍କ ଯୋଗୁ କାଶ୍ମୀରର ଏକ ଅଂଶ ପାକିସ୍ତାନକୁ ଓ ଦେଶର କିଛି ଅଂଚଳ ଚୀନକୁ ଚାଲିଯାଇଥିଲା । ନେହରୁ ଦେଶ ଶାସନର ଗୁରୁତ୍ୱ କଣ ନ ବୁଝି , ଦଳର ବରିଷ୍ଟଙ୍କୁ ଅଣଦେଖାକରି ଝିଅ ଇନ୍ଦିରା ଗାନ୍ଧୀଙ୍କୁ ରାଜନୀତିରେ ପୁରାଇ କଂଗ୍ରେସକୁ ଏକ ପରିବାରବାଦୀ ରାଜନୈତିକ ଦଳରେ ପରିବର୍ତନ କରିଦେଲେ । ନେହରୁଙ୍କ ଅନ୍ତେ, ଦଳ ମଧ୍ୟରେ ଇନ୍ଦିରାଙ୍କୁ ବରିଷ୍ଠମାନେ ବିରୋଧ କରିଥିଲେ ବି ସେ ଏକ କୋଟରୀକୁ ଦେଶର ପ୍ରଧାନମନ୍ତ୍ରୀ ହେଲେ । କିନ୍ତୁ କଂଗ୍ରେସର ଏକଛତ୍ରବାଦୀ ଓ ପରିବାରବାଦୀ ମନୋଭାବ ତାଙ୍କ ମୁଣ୍ଡରେ ବସା ବାନ୍ଧିଥିଲା । ସେ ଦଳ ଭିତରେ କି ଦଳ ବାହାରେ ବିରୋଧୀଙ୍କୁ ସହୁ ନଥିଲେ । ଶାସନରେ ବିଫଳତା ଯୋଗୁ ଯେତେବେଳେ ଜନଆନ୍ଦୋଳନ ହେଲା । ସେ ଏହାକୁ ଦବେଇବା ପାଇଁ ଦେଶରେ ଜରୁରୀ- ପରିସ୍ଥିତି ଲଗାଇ ନାଗରୀକଙ୍କୁ ଜେଲରେ ପୁରାଇଲେ । ଆଜି ବିରୋଧୀ ଦଳ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେଉଁ ସମ୍ବିଧାନ ଧରି ସଭା ସମିତିରେ ଏହା ବିପଦରେ ପଡିଛି ବୋଲି ମିଛ ପ୍ରଚାର କରୁଛନ୍ତି , ସେହି ସମ୍ବିଧାନକୁ ତାଙ୍କ ବୁଢ଼ୀ ମା’ଜରୁରୀ ପରିସ୍ଥିତି ବେଳେ ଦଳି ଚକଟି ନଷ୍ଟ କରି ଦେଇଥିଲେ ଯେଉଁଥିପାଇଁ କଂଗ୍ରେସ ଓ ରାହୁଲ ଗାନ୍ଧୀ ଦେଶବାସୀଙ୍କ ପାଖରେ କ୍ଷମାପ୍ରାର୍ଥନା କରିବା କଥା ।
୨୫ ଜୁନ୍ ୧୯୭୫ ଏବଂ ୨୧ ମାର୍ଚ୍ଚ ୧୯୭୭ ମଧ୍ୟରେ, ସମ୍ବିଧାନର ଧାରା ୩୫୨କୁ ପ୍ରୟୋଗ କରାଯାଇ ତତ୍କାଳୀନ ଇନ୍ଦିରା ଗାନ୍ଧୀଙ୍କ କଂଗ୍ରେସ ସରକାର, ଭାରତକୁ ଜରୁରୀକାଳୀନ ପରିସ୍ଥିତିରେ ରଖିଥିଲା। ଜରୁରୀକାଳୀନ ପରିସ୍ଥିତି, ଆମ ସମ୍ବିଧାନ ଉପରେ ସବୁଠାରୁ ବଡ଼ ଆକ୍ରମଣ ଥିଲା। ୧୯୭୦ ଦଶକର ପ୍ରାରମ୍ଭରେ, ତତ୍କାଳୀନ କଂଗ୍ରେସ ସରକାରଙ୍କ ବିରୋଧରେ ତୀବ୍ର ଜନଅସନ୍ତୋଷ ଦେଖାଦେଲା । ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ବିହାର ଏବଂ ଗୁଜରାଟରେ କଂଗ୍ରେସ ସରକାର ବିରୋଧରେ ପ୍ରତିବାଦ ଜୋର ଧରିଲା। ଛାତ୍ର ଆନ୍ଦୋଳନ, ବେକାରୀ, ମୁଦ୍ରାସ୍ଫୀତି ଏବଂ ଦୁର୍ନୀତିର ଧାରଣା ଜନଅସନ୍ତୋଷକୁ ପ୍ରୋତ୍ସାହିତ କଲା। ଏହି ସମୟରେ ଏକ ନ୍ୟାୟିକ ଆଦେଶ ଆସିଲା ଯାହା ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦୋହଲାଇ ଦେଇଥିଲା । ୧୨ ଜୁନ୍ ୧୯୭୫ରେ, ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଗମୋହନଲାଲ ସିହ୍ନା ରାୟ ଦେଇଥିଲେ ଯେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କ ୧୯୭୧ ଲୋକସଭା ନିର୍ବାଚନ ପ୍ରଚାରରେ ସରକାରୀ କଳର ଅପବ୍ୟବହାର କରିଥିଲେ। ଅଦାଲତ ଜନପ୍ରତିନିଧିତ୍ୱ ଆଇନ, ୧୯୫୧ ଅନୁଯାୟୀ ଇନ୍ଦିରାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ତାଙ୍କୁ ଛଅ ବର୍ଷ ପାଇଁ କୌଣସି ନିର୍ବାଚିତ ପଦରେ ରହିବାରୁ ଅଯୋଗ୍ୟ ଘୋଷଣା କରିଥିଲେ। ଏହା ଫଳରେ ରାୟବରେଲିରେ ଇନ୍ଦିରାଙ୍କଠାରୁ ପରାସ୍ତ ହୋଇଥିବା ସମାଜବାଦୀ ନେତା ରାଜ ନାରାୟଣ ଯିଏ ଏହି ମାମଲା ଦାୟର କରିଥିଲେ, ସେ ବିଜୟୀ ହେଲେ । ଭାରତର ଇତିହାସରେ ନ୍ୟାୟପାଳିକା ଐତିହାସିକ ରାୟ ଦେଲେ ଯାହା ଦେଶର ଗଣତନ୍ତ୍ରକୁ ମଜଭୁତ କରିଥିଲା । କିନ୍ତୁ ଇନ୍ଦିରା , ପ୍ରଧାନମନ୍ତ୍ରୀ ପଦ ଛାଡିଲେନାହିଁ ବରଂ ସୁପ୍ରିମକୋର୍ଟକୁ ଗଲେ । ସୁପ୍ରିମକୋର୍ଟ ଏକ ସର୍ତ୍ତମୂଳକ ସ୍ଥଗିତାଦେଶ ପ୍ରଦାନ କରିଥିଲେ। ଏହାଥିଲା ଯେ, ଇନ୍ଦିରା ପ୍ରଧାନମନ୍ତ୍ରୀ ରହିପାରିବେ ଏବଂ ସଂସଦରେ ଯୋଗ ଦେଇପାରିବେ, କିନ୍ତୁ ସଂସଦରେ ଭୋଟ ଦେଇ ପାରିବେନାହିଁ । ଏହାପରେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି ତୀବ୍ର ହୋଇଥିଲା। ଇନ୍ଦିରା ଗାନ୍ଧୀ ଇସ୍ତଫା ନଦେଇ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଇଲେ ।
୨୫ ଜୁନ୍ ୧୯୭୫ ରେ, ତତ୍କାଳୀନ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲି ଅହମ୍ମଦ ଇନ୍ଦିରାଙ୍କ କଥାରେ ଆଭ୍ୟନ୍ତରୀଣ ଅଶାନ୍ତିର ବିପଦକୁ ଉଲ୍ଲେଖ କରି ସମ୍ବିଧାନର ଧାରା ୩୫୨ ଅନୁଯାୟୀ ଦେଶରେ ଜରୁରୀକାଳୀନ ଘୋଷଣା କରିଥିଲେ। ଚୀନ୍ ସହିତ ଯୁଦ୍ଧ (୧୯୬୨) ଏବଂ ପାକିସ୍ତାନ ଯୁଦ୍ଧ (୧୯୭୧) ପରେ ଭାରତର ଇତିହାସରେ ଏହା ତୃତୀୟ ଜରୁରୀକାଳୀନ ପରିସ୍ଥିତି ଥିଲା। କାର୍ଯ୍ୟପାଳିକା ପ୍ରମୁଖ କ୍ଷମତା ହାସଲ କରିଥିଲା, ଏବଂ ରାଜ୍ୟ କର୍ତ୍ତୃତ୍ୱକୁ କେନ୍ଦ୍ରୀୟ ନିୟନ୍ତ୍ରଣକୁ ଅଣାଯାଇଥିଲା। ୨୭ ଜୁନ୍ ୧୯୭୫ରେ, ଧାରା ୩୫୮ ଏବଂ ୩୫୯ ପ୍ରଚଳନ କରାଯାଇଥିଲା। ଧାରା ୩୫୮ ବାକ୍ ଅଭିବ୍ୟକ୍ତି, ସମାବେଶ ଏବଂ ଗତିବିଧିର ସ୍ୱାଧୀନତାକୁ ପ୍ରଭାବିତ କରୁଥିବା ଧାରା ୧୯ କୁ ସ୍ଥଗିତ କରିଥିଲା। ଧାରା ୩୫୯ , ସମାନତା, ଜୀବନ ଏବଂ ସ୍ୱାଧୀନତାର ଅଧିକାର ଏବଂ ଅଟକ ବିରୁଦ୍ଧରେ କୋର୍ଟକୁ ଯିବାରୁ ବାରଣ କରିଥିଲା। ।
୧୯୭୧ରେ ଜରୁରୀକାଳୀନ ପରିସ୍ଥିତି ସମୟରେ ରାଜନୈତିକ ବିରୋଧୀଙ୍କୁ ଗିରଫ କରିବା ପାଇଁ ଦୁଇଟି ସ୍ବତଂତ୍ର ଆଇନ ଆଭ୍ୟନ୍ତରୀଣ ସୁରକ୍ଷା ରକ୍ଷଣାବେକ୍ଷଣ ଆଇନ (ମିସା) ଏବଂ ଭାରତ ପ୍ରତିରକ୍ଷା ଆଇନ ଏବଂ ନିୟମ (ଡି ଆଈ ଆର)ର ବ୍ୟବହାର କରାଯାଇଥିଲା। ଏହା ମଧ୍ୟ ସରକାରଙ୍କୁ ଭିନ୍ନମତକୁ ଦମନ କରିବା ପାଇଁ ପ୍ରଚୁର ଅଧିକାର ଦେଇଥିଲା।
ଦେଶର ପ୍ରାୟ ୧୦୦୦୦୦ ରୁ ଉର୍ଦ୍ଧ ବିରୋଧୀ ଦଳ ନେତା , ଛାତ୍ର , ଟ୍ରେଡ଼ ୟୁନିଅନ , ସାମ୍ବାଦିକ , ସାମାଜିକ କର୍ମୀ , ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କର୍ମୀ ଆଦିଙ୍କୁ ଜେଲ ପଠାଯାଇଥିଲା । ଲୋକନାୟକ ଜୟପ୍ରକାଶ ନାରାୟଣ, ମୋରାରଜୀ ଦେଶାଇ, ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡ଼ବାଣୀ, ନାନାଜୀ ଦେଶମୁଖ, ଜର୍ଜ ଫର୍ଣ୍ଣାଣ୍ଡିଜ, ଚନ୍ଦ୍ରଶେଖର, ମୁଲାୟମ ସିଂହ ଯାଦବ ଓ ଲାଲୁ ପ୍ରସାଦ ଯାଦବ ଆଦି ଅନେକ ଜାତୀୟ ନେତା ଜେଲ ଯାଇଥିଲେ । ସଂଘର ସରସଂଘଚାଳକ ବାଳାସାହେବ ଦେଓରସଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ଜରୁରୀକାଳୀନ ପରିସ୍ଥିତିରେ ସାଂସ୍ଥାଗତ ତନ୍ତ୍ର ଏବଂ ପ୍ରଶାସନିକ ନିର୍ଦ୍ଦେଶ ମାଧ୍ୟମରେ ପ୍ରେସ୍ ଏବଂ ସାଧାରଣ ସୂଚନା ଉପରେ କଠୋର ନିୟନ୍ତ୍ରଣ ରହିଥିଲା। ୨୬ ଜୁନ୍ ୧୯୭୫ ଠାରୁ ସମସ୍ତ ଖବରକାଗଜ ଉପରେ ପ୍ରାକ୍-ସେନ୍ସରସିପ୍ ଲାଗୁ କରାଯାଇଥିଲା। ସରକାର ପ୍ରେସ୍ ବିଷୟବସ୍ତୁ ଉପରେ ନଜର ରଖିବା ପାଇଁ ଆଞ୍ଚଳିକ ସେନ୍ସର ସହିତ ଏକ ଜାତୀୟ ସେନ୍ସର ନିଯୁକ୍ତ କରିଥିଲେ। ରେଡିଓ-ଫଟୋ ପ୍ରସାରଣକୁ ମଧ୍ୟ ସରକାରୀ ମଞ୍ଜୁରୀ ଅଧୀନକୁ ଅଣାଯାଇଥିଲା। ୫ ଜୁଲାଇ ୧୯୭୫ ରେ, ବିଦେଶୀ ସମ୍ବାଦଦାତାଙ୍କ ଦ୍ୱାରା ଟେଲେକ୍ସ ବାର୍ତ୍ତାଗୁଡ଼ିକୁ ପ୍ରତିବନ୍ଧିତ କରାଯାଇଥିଲା ଏବଂ ପୂର୍ବ ସ୍କ୍ରିନିଂ କରାଯାଇଥିଲା। ୨୦ ଜୁଲାଇ ୧୯୭୫ ରେ, ସିନେମା ଉପରେ ନିୟନ୍ତ୍ରଣ କଠୋର କରିବା ପାଇଁ ସିନେମାଟୋଗ୍ରାଫ୍ ଆଇନ ଅନୁଯାୟୀ ଫିଲ୍ମ ସେନ୍ସର ବୋର୍ଡକୁ ପୁନର୍ଗଠିତ କରାଯାଇଥିଲା। ୧ ଫେବୃଆରୀ ୧୯୭୬ ରେ, ସରକାର ଚାରୋଟି ପ୍ରମୁଖ ଖବର ସଂସ୍ଥା ଯଥା ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ (ପିଟିଆଇ), ୟୁନାଇଟେଡ୍ ନ୍ୟୁଜ୍ ଅଫ୍ ଇଣ୍ଡିଆ (ୟୁଏନଆଇ), ସମାଚାର ଭାରତୀ ଏବଂ ହିନ୍ଦୁସ୍ତାନ ସମାଚାରକୁ ସମାଚାର ନାମକ ଏକକ ସଂସ୍ଥାରେ ମିଶ୍ରଣ କରିଥିଲେ। ସାମ୍ବିଧାନିକ ପ୍ରହରୀ, ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ଉଚ୍ଛେଦ କରାଯାଇଥିଲା।
ଜରୁରୀକାଳୀନ ପରିସ୍ଥିତିର ସବୁଠାରୁ ଅତ୍ୟାଚାର କାର୍ଯ୍ୟ ଥିଲା ବାଧ୍ୟତାମୂଳକ ବନ୍ଧ୍ୟାକରଣ ଅଭିଯାନ। ଜନସଂଖ୍ୟା ନିୟନ୍ତ୍ରଣ ପ୍ରୟାସର ଏକ ଅଂଶ ଭାବରେ ଏହି ଅଭିଯାନ ୧୯୭୫ ରେ ଆରମ୍ଭ ହୋଇଥିଲା। ୧୯୭୫ -୭୬ ରେ ମୋଟ ୨୬.୪୨ ଲକ୍ଷ, ୧୯୭୬ -୭୭ ରେ ୮୧.୩୨ ଲକ୍ଷ ବନ୍ଧ୍ୟାକରଣ କରାଯାଇଥିଲା। ଅନେକ ରାଜ୍ୟ ଅତ୍ୟାବଶ୍ୟକ ସେବାର ପ୍ରବେଶକୁ ବନ୍ଧ୍ୟାକରଣ ସହିତ ଯୋଡିଥିଲେ। ଯଦି କାହାର ଦୁଇ କିମ୍ବା ତିନିରୁ ଅଧିକ ସନ୍ତାନ ଥିଲା ଏବଂ ସେ ବନ୍ଧ୍ୟାକରଣ କରିବାକୁ ମନା କରୁଥିଲେ , ତେବେ ତାଙ୍କୁ ରାସନ, ବାସସ୍ଥାନ, ଚାକିରି, ସ୍ୱାସ୍ଥ୍ୟସେବା ଏବଂ ଋଣ ପ୍ରଦାନ କରିବାରୁ ବଞ୍ଚିତ କରାଯାଇଥିଲା।
୧୯୭୭ ମସିହା ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ପରାଜିତ ହୋଇଥିଲା ଏବଂ ଜନତା ଦଳ ସରକାର ଗଠନ କରିଥିଲା। ୧୯୭୭ ମସିହା ମାର୍ଚ୍ଚ ୨୧ ତାରିଖରେ ଜରୁରୀକାଳୀନ ପରିସ୍ଥିତି ପ୍ରତ୍ୟାହାର କରାଯାଇଥିଲା। । ଏହାକୁ ଭାରତୀୟ ଗଣତନ୍ତ୍ରର ଶକ୍ତି ଓ ଜନମତର ବିଜୟ ଭାବେ ଦେଖାଯାଏ। ଜରୁରୀକାଳୀନ ପରିସ୍ଥିତି ସମୟରେ କ୍ଷମତାର ଅପବ୍ୟବହାର ଯାଞ୍ଚ କରିବା ପାଇଁ ମେ ୧୯୭୭ ମସିହାରେ ଶାହା- କମିଶନ ଗଠନ କରାଯାଇଥିଲା। ୧୯୭୮ ମସିହାରେ ୪୪ତମ ସମ୍ବିଧାନ ସଂଶୋଧନ ପ୍ରଣୟନ କରାଯାଇଥିଲା ଯାହା ନ୍ୟାୟିକ ସମୀକ୍ଷାକୁ ପୁନଃସ୍ଥାପିତ କରିଥିଲା ଏବଂ ଭବିଷ୍ୟତର ଘୋଷଣା ପାଇଁ ଆଇନଗତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ପ୍ରଚଳନ କରିଥିଲା।
ଶାହା- କମିଶନର କାର୍ଯ୍ୟାଦେଶ ଥିଲା ୨୫ ଜୁନ୍ ୧୯୭୫ ରୁ ୨୧ ମାର୍ଚ୍ଚ ୧୯୭୭ ମଧ୍ୟରେ ହୋଇଥିବା ଅତ୍ୟଧିକ ସରକାରୀ କାର୍ଯ୍ୟର ତଦନ୍ତ କରିବା। କମିଶନଙ୍କ ରିପୋର୍ଟରେ ମୁଖ୍ୟ ନିଷ୍କର୍ଷଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା ଅନେକ ଛାତି ଥରାଇଲା ଭଳି କଥା । ଜାନୁଆରୀ ୧୯୭୫ ସୁଦ୍ଧା, ଭାରତୀୟ ଜେଲଗୁଡ଼ିକରେ ୧,୮୩,୩୬୯ କ୍ଷମତା ଥିବା ବେଳେ ୨,୨୦,୧୪୬ ଜଣ କଏଦୀଙ୍କୁ ଏଠାରେ ରଖାଯାଇଥିଲା। ସେମାନଙ୍କ ମଧ୍ୟରୁ ୧,୨୬,୭୭୨ ଜଣ ବିଚାରାଧୀନ କଏଦୀ ଥିଲେ। ସେହିପରି ଜରୁରୀକାଳୀନ ପରିସ୍ଥିତି ସମୟରେ ଦେଶବ୍ୟାପୀ ୧.୦୭ କୋଟିରୁ ଅଧିକ ବନ୍ଧ୍ୟାକରଣ କରାଯାଇଥିଲା। ଏଥିରେ ଅବିବାହିତ ବ୍ୟକ୍ତିଙ୍କୁ ନେଇ ୫୪୮ ଅଭିଯୋଗ ଏବଂ ୧,୭୭୪ ଜଣଙ୍କ ମୃତ୍ୟୁ ରିପୋର୍ଟ କରାଯାଇଥିଲା।ଏହି ସମୟ ମଧ୍ୟରେ ୨୫,୯୬୨ ଜଣ ସରକାରୀ କର୍ମଚାରୀଙ୍କୁ ଅକାଳରେ ବାଧ୍ୟ କରି ଅବସର ଦିଆଯାଇଥିଲା। ସଂସଦୀୟ ଏବଂ ନ୍ୟାୟିକ କାର୍ଯ୍ୟଗୁଡ଼ିକୁ ସେନ୍ସର କରାଯାଇଥିଲା। କୋର୍ଟଙ୍କ ରାୟଗୁଡ଼ିକୁ ପ୍ରକାଶିତ ରୂପରେ ସମ୍ପାଦିତ କିମ୍ବା ନିୟନ୍ତ୍ରଣ କରାଯାଇଥିଲା। ସମ୍ବାଦପତ୍ରଗୁଡ଼ିକୁ ସେମାନଙ୍କର ସମ୍ପାଦକୀୟ ଦୃଷ୍ଟିକୋଣ ଏବଂ ପ୍ରସାରଣ ଉପରେ ଆଧାର କରି ‘ବନ୍ଧୁତ୍ୱପୂର୍ଣ୍ଣ’, ‘ନିରପେକ୍ଷ’ କିମ୍ବା ‘ବିରୋଧୀ’ ଭାବରେ ମିଡ଼ିଆ ବର୍ଗୀକରଣ କରାଯାଇଥିଲା।
ଓଡ଼ିଶାର ଅନେକ ପ୍ରମୁଖ ନେତାମାନେ ଜରୁରୀ କାଳୀନ ପରିସ୍ଥିତିରେ ଜେଲ ଯାଇଥିଲେ। ସେମାନଙ୍କ ମଧ୍ୟରେ ବିଜୁ ପଟ୍ଟନାୟକ , ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ ଓ ଅନ୍ୟାନ୍ୟ ସମାଜବାଦୀ ଓ ବିପକ୍ଷ ନେତା ଥିଲେ। ଓଡ଼ିଶାର ଅନେକ ଛାତ୍ର ନେତା ଓ ସାମାଜିକ କର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ରାଜ୍ୟର ବିଜେପି ସରକାର ଜରୁରୀ ପରିସ୍ଥିତିରେ ଲଢ଼ିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା କାର୍ଯ୍ୟ ଆରମ୍ଭ କରିଛି ଯାହା ଅନ୍ୟ କିଛି ବିଜେପି ଶାସିତ ରାଜ୍ୟମାନେ ବି କରିଛନ୍ତି । ୨୦୨୫ ରେ ଏହି ଦ୍ଵିତୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ରାଜ୍ୟ ସରକାର ଏକ ପେନସନ ଯୋଜନା ଘୋଷଣା କରିଛନ୍ତି ଯେଉଁଥିରେ ପ୍ରାଥମିକ ପର୍ଯାୟରେ ୪୪ ଜଣଙ୍କୁ ମାସିକ ୨୦ ,୦୦୦ ତାଙ୍କ ଭତ୍ତା ଏବଂ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରୁଛନ୍ତି। ତେବେ ସେ ସମୟରେ ଓଡ଼ିଶା ସରକାର କହିଥିଲେ ଯେ ରାଜ୍ୟରୁ ୩୦୦ ରୁ ଅଧିକ ବ୍ୟକ୍ତି ଜରୁରୀ ପରିସ୍ଥିତି ବେଳେ ଜେଲ ଯାଇଥିଲେ ।
ପ୍ରତିବର୍ଷ ଜୁନ୍ ୨୫ ତାରିଖକୁ ଅନେକ ସଂଗଠନ ଓ ରାଜନୈତିକ ଦଳ, ବିଶେଷକରି ବି ଜେ ପି “କଳା ଦିବସ” ବା “ସଂବିଧାନ ହତ୍ୟା ଦିବସ” ଭାବେ ପାଳନ କରନ୍ତି। ସେମାନଙ୍କ ମତରେ ଜରୁରୀକାଳ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧ, ସମ୍ବିଧାନିକ ଅଧିକାର ଓ ନାଗରିକ ସ୍ୱାଧୀନତା ଉପରେ ଏକ ବଡ଼ ଆଘାତ ଥିଲା। ଏହି ଦିବସ ମାଧ୍ୟମରେ ଗଣତନ୍ତ୍ରର ସୁରକ୍ଷା ଓ ସ୍ୱାଧୀନତାର ମହତ୍ତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଏ।
ଜରୁରୀକାଳ ଭାରତୀୟ ଇତିହାସର ଏକ ଏପରି ଘଟଣା, ଯାହା ଆମକୁ ଗଣତନ୍ତ୍ରର ମୂଲ୍ୟ ଓ ନାଗରିକ ସ୍ୱାଧୀନତାର ଗୁରୁତ୍ୱ ବୁଝାଇଥାଏ। ମତଭେଦ ଓ ରାଜନୈତିକ ପ୍ରତିସ୍ପର୍ଦ୍ଧା ଗଣତନ୍ତ୍ରର ସ୍ୱାଭାବିକ ଅଂଶ, କିନ୍ତୁ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ସର୍ବଦା ସର୍ବୋପରି ରହିବା ଆବଶ୍ୟକ। ଜରୁରୀକାଳର ଅନୁଭୂତି ଆମକୁ ସ୍ମରଣ କରାଏ ଯେ, ଗଣତନ୍ତ୍ର କେବଳ ଏକ ଶାସନ ବ୍ୟବସ୍ଥା ନୁହେଁ, ବରଂ ଏହା ନାଗରିକ ସ୍ୱାଧୀନତା, ସମ୍ବିଧାନିକ ମୂଲ୍ୟବୋଧ ଓ ଜନମତ ପ୍ରତି ସମ୍ମାନର ପ୍ରତୀକ। ତେଣୁ ଇତିହାସର ଏହି ଅଧ୍ୟାୟରୁ ଶିକ୍ଷା ନେଇ ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରିବା ହିଁ ପ୍ରତ୍ୟେକ ଭାରତବାସୀଙ୍କ କର୍ତ୍ତବ୍ୟ।