ମାଟିଆପଡ଼ା ଆରଓବି କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା

ଶୀଘ୍ର କାର୍ଯ୍ୟ ସମାପ୍ତି ପାଇଁ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୫/୦୬: ଆଗକୁ ରଥଯାତ୍ରା ଆସୁଛି I ଏଥିଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ପୁରୀକୁ ଅନେକ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଆସିବାର ସମ୍ଭାବନା ରହିଛି I ଏହାକୁ ଦୃଷ୍ଟିରେ ରଖି ପୁରୀ ସହର ଏବଂ ସହରକୁ ସଂଯୋଗ କରୁଥିବା ରାସ୍ତା ଓ ଗମନା ଗମନ ମାର୍ଗର ସୁଦୃଢ଼ୀକରଣ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ଗୁରୁତ୍ୱ ଦେଇ ଆସୁଛନ୍ତି I ଏହି କ୍ରମରେ ନିର୍ମାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଏନ୍‌ଏଚ୍‌-୩୧୬ ଅନ୍ତର୍ଗତ ମାଟିଆପଡ଼ା ରୋଡ୍‌ ଓଭର ବ୍ରିଜ୍‌ (ଆରଓବି) ନିର୍ମାଣ ସ୍ଥଳ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ।

ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ବୋ-ଷ୍ଟ୍ରିଙ୍ଗ ଗାର୍ଡର କାର୍ଯ୍ୟ ପରିଦର୍ଶନ କରିବା ସହ ପ୍ରକଳ୍ପର ଅବଶିଷ୍ଟ କାର୍ଯ୍ୟର ସମୀକ୍ଷା କରିଥିଲେ। ୨୬ ଜୁନ ୨୦୨୬ରେ ଆର୍‌ଡିଏସ୍‌ଓ (RDSO) ଦଳର ପରିଦର୍ଶନ ପରେ ଅବଶିଷ୍ଟ ଦୁଇଟି ସ୍ପାନର ବୋ-ଷ୍ଟ୍ରିଙ୍ଗ ଗାର୍ଡର ଲଞ୍ଚିଂ ସହ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସେ ଜାତୀୟ ରାଜପଥ ବିଭାଗର ଅଧିକାରୀ ଏବଂ କାର୍ଯ୍ୟ ନିର୍ବାହୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ।

ଏଥିସହିତ, କ୍ରାସ୍ ବ୍ୟାରିୟର ଢଳେଇ, ଉଭୟ ପାର୍ଶ୍ୱର ଆପ୍ରୋଚ୍ ରୋଡରେ ପିଚୁ-କଙ୍କ୍ରିଟ୍ ବିଛାଇବା, ଏକ୍ସପାନସନ୍ ଜଏଣ୍ଟ ସ୍ଥାପନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟକୁ ସମାନ୍ତରାଳ ଭାବେ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ନିର୍ମାଣ ବିଭାଗ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଅଗ୍ରଗତି ଉପରେ ନିରନ୍ତର ନଜର ରଖିଛି ଏବଂ ଜନସାଧାରଣଙ୍କ ସୁବିଧା ପାଇଁ ଏହାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ପ୍ରତିବଦ୍ଧ ।

ଏଥି ସହିତ ଆସନ୍ତା ରଥଯାତ୍ରା-୨୦୨୬ ପୂର୍ବରୁ ଆରଓବିର ଉଭୟ ପାର୍ଶ୍ୱରେ ଥିବା ସର୍ଭିସ୍ ରୋଡ୍‌କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରି ଯାତାୟାତ ଉପଯୋଗୀ କରିବାକୁ ମଧ୍ୟ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ପରିଦର୍ଶନ ସମୟରେ ମୁଖ୍ୟ ଯନ୍ତ୍ରୀ (ଜାତୀୟ ରାଜପଥ), ତତ୍ତ୍ୱାବଧାୟକ ଯନ୍ତ୍ରୀ (ଜାତୀୟ ରାଜପଥ) ଏବଂ କାର୍ଯ୍ୟ ନିର୍ବାହୀ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ।