ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଅଧ୍ୟକ୍ଷତାରେ କଲ୍ୟାଣସିଂହପୁରରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ
ପୋଲିସ ଚାପରେ ପଡ଼ି ନୀରିହ ଲୋକଙ୍କୁ ଗିରଫ କରୁଛି: ସାଂସଦ
କଲ୍ୟାଣସିଂହପୁର, ୨୫/୦୬ (ନରସିଂହ ନାଥ ମହାପାତ୍ର): ଭିଡ଼ ହିଂସା ଓ ମହିଳା ଅସଦାଚରଣ ମାମଲାରେ ପିସିସି ସଭାପତି ଭକ୍ତ ଦାସଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଇନ୍ତାଲିଗୁଡା ଗ୍ରାମକୁ କଂଗ୍ରେସ ଦଳର ୯ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଦଳ ଘଟଣା ସ୍ଥଳକୁ ପରିଦର୍ଶନ କରିଛନ୍ତି।
କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକାଙ୍କ ଅଧ୍ୟକ୍ଷତାରେ ବିଷମକଟକ ନିର୍ବାଚନ ମଣ୍ଡଳିର ବିଧାୟକ ନୀଳମାଧକ ହିକକା, ଜିଲ୍ଲା କଂଗ୍ରେସ କମିଟି ଉପଦେଷ୍ଟା ଶଙ୍କର୍ଷଣ ମଙ୍ଗରାଜ, କଂଗ୍ରେସ ମହିଳା ସଭାନେତ୍ରୀ ନନ୍ଦୀ ଗୌରୀ, କଂଗ୍ରେସ ସାଧାରଣ ସମ୍ପାଦକ ଏସ. ଜିଭି ତେଜସ୍ୱର ରାଓ, କଲ୍ୟାଣସିଂହପୁର ସାଂସଦ ପ୍ରତିନିଧି କୁମାରସ୍ୱାମୀ କୌଶଲ୍ୟା, କାଶୀପୁର ସାଂସଦ ପ୍ରତିନିଧି ସାନ୍ଧୁ ଚରଣ ମାଝୀ, କଲ୍ୟାଣସିଂହପୁର ବିଧାୟକ ପ୍ରତିନିଧି ବାଲାରାଓ ବିଡ଼ିକା ଓ କାଶୀପୁର ବିଧାୟକ ପ୍ରତିନିଧି ଜିଜୁରୁ ମାଝୀ ଓ ଦଳୀୟ କର୍ମୀ, ନେତା ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ବୁଝିଥିଲେ।
ଗତକାଲି ବୁଧବାର ଦିନ ପୁଲିସ ଧାମୁଣିପଙ୍ଗା ପଞ୍ଚାୟତର କଟକିନାଳ ଗ୍ରାମର ଯୁବକ ରାଜେଶ ଉଲ୍ଲକାକୁ ପୁଲିସ ଉଠାଇ ନେଇଛି। ତାଙ୍କ ସ୍ତ୍ରୀ ରଜନୀ ହିକକା ପୁଲିସକୁ ପଚାରିବାରୁ ପଚରାଉଚରା କରି ଛାଡିଦେବୁ କହି କେଉଁ ଆଡ଼େ ନେଇ ଯାଇଛନ୍ତି। ଆଜି ସକାଳୁ ଛାଡିଦେବୁ ବୋଲି କହିବା ପରେ ମଧ୍ୟ ଛାଡି ନାହାନ୍ତି । ଯଦି ସ୍ୱାମୀକୁ ପୁଲିସ ନ ଛାଡ଼ିବେ ତାହା ହେଲେ ମୁଁ ଓ ଦୁଇ ସନ୍ତାନକୁ ନେଇ ଥାନା ସମ୍ମୁଖରେ ଆତ୍ମହତ୍ୟା କରିବୁ ବୋଲି ସାଂସଦଙ୍କୁ ଚେତାବନୀ ଦେଇଛନ୍ତି। ଉକ୍ତ ସମସ୍ୟାକୁ ନେଇ ଗ୍ରାମର ମହିଳା ଓ ୱାର୍ଡ ସଦସ୍ୟଙ୍କଠାରୁ ସମସ୍ତ ବିଷୟ ପଚାରି ବୁଝିଥିଲେ।
ଏ ସମ୍ପର୍କରେ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା କହିଛନ୍ତି ଘଟଣାଟି କଳାହାଣ୍ଡି ଜିଲ୍ଲା ଠାରୁ ଆରମ୍ଭ ହୋଇଛି। ଏକ ସ୍କୁଟିରେ ପୁରୁଷ ଓ ଯୁବତୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଯାଉଥିଲେ। ରୁପେନ ଗ୍ରାମରୁ ରାସ୍ତା ଖରାପ ଥିବା କହିବାରୁ ସେହି ଠାରୁ ଫେରିଆସୁଥିବା ବେଳେ ବାଟରେ ରଜ ଦୋଳି ଖେଳୁଥିବା ପିଲାଙ୍କୁ ଦୁହେଁ ବିସ୍କୁଟ ଓ ଚକୋଲେଟ ଦେଇଥିଲେ। ସେହିଠାରୁ ପିଲା ଚୋର ଗୁଜବ କରି କହି ପ୍ରାୟ ୫୦ଟି ବାଇକରେ ବହୁତ ଲୋକ ଘଉଡ଼ାଇ ଆସୁଥିଲେ। ବାଟରେ ଦାଣ୍ଡ ପଦର, ସିଲେଟ, କାନ୍ଦୁଲ ଗୁଡା, ବାଣ୍ଡେଲ, ତାଡ଼ି ଝୋଲା, ପେଡିପଦର, ଧାମୁଣିପଙ୍ଗା, କାଟିକିନାଳ, କଲ୍ୟାଣ ସିଂହପୁର ବ୍ଲକସଦର ପଞ୍ଚାୟତ ଇନ୍ତାଲିଗୁଡା ଗ୍ରାମ ପର୍ଯ୍ୟନ୍ତ ଘଉଡ଼ାଇ ଆଣିଥିଲେ। ସାଇନଗର ନିକଟରେ ବୁଲାଣି ଠାରେ ଦୁହେଁ ସ୍କୁଟିରୁ ପଡି ଯାଇଥିଲେ। ସେତିକି ବେଳେ ଉକ୍ତ ଅଂଚଳରୁ ଆସୁଥିବା ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏହାକୁ ଦେଖି ଭୟରେ ଯୁବକ ଲୁଚିପଡ଼ିଥିଲେ। ଉକ୍ତ ଯୁବକ ମାନେ ଯୁବତୀଙ୍କ ସହ ଯୁକ୍ତିତର୍କ ହେବା ବେଳେ ଇନ୍ତାଲିଗୁଡା ଗ୍ରାମର ପୁରୁସୁ ହିକକା ଓ ବିଶ୍ଵନାଥ ଦୁଇ ଯୁବକ ଘଟଣା ବିଷୟରେ ପଚାରି ବୁଝିବା ବେଳକୁ ପିଛା କରି ଆସୁଥିବା ଲୋକ ମାନେ ଠେଲା ପେଲା କରି ମାଡ଼ ମାରିବା ସହ ପିନ୍ଦିଥିବା ପୋଷାକ ଚିରି ଦେଇଥିଲେ।
ଏମାନେ ଲୋକଙ୍କଠାରୁ ମାଡ଼ ଖାଇ ଯୁବତୀଙ୍କୁ ବଞ୍ଚାଇଥିଲେ। ପରେ ପୁଲିସ ଅଧିକାରିଣୀ ପହଞ୍ଚି ଯୁବତୀ କୁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ର ଓ ଥାନାରେ ଉତ୍ତେଜନା କରିଥିବା ଲୋକଙ୍କୁ ଗିରଫ କରାଯାଉ। ଏହି ଘଟଣା ବହୁ ନିନ୍ଦନୀୟ,ଏଥିରେ ପାଇଁ ମୁଁ ବହୁତ ଦୁଃଖିତ। ଏହି ଘଟଣାରେ ସମ୍ପୃକ୍ତ ଦୋଷୀକୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଅଯଥା ସମ୍ପୃକ୍ତ ନଥିବା ଲୋକଙ୍କୁ ଦଣ୍ଡ ଦିଆନ ଯାଉ ବୋଲି କହିଛନ୍ତି।
ପିଲା ଚୋର ବୋଲି ଯାଉ ମାନେ ଗୁଜବ କରିଛନ୍ତି ସେମାନଙ୍କୁ ଗିରଫ କରାଯାଉ। ପୁଲିସ ଚାପରେ ପଡି ନିରୀହ ଲୋକ ମାନଙ୍କୁ ଗିରଫ କରୁଛି। ଜିଲ୍ଲା ଓ ବ୍ଲକ ବାସୀଙ୍କୁ ଏହିଭଳି ଘଟଣାରେ କେବେ ବି ବିଶ୍ୱାସ କରନାହିଁ। ଏହି ଡବଲ ଇଂଜିନ ସରକାର ହେବା ଠାରୁ ପିଲାଚୋର, ହତ୍ୟା, ଲୁଣ୍ଠନ ହେଉଛି। ଏଥିରେ ନିର୍ଦ୍ଦୋଷୀକୁ ଗିରଫ ନ କରି ଛାଡିବା ପାଇଁ ନିବେଦନ କରିଛନ୍ତି।
ଏହି ଘଟଣାରେ ପୁଲିସ ମୋଟ ୨୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ମଙ୍ଗଳବାର ଦିନ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବ ଶଙ୍କର ଉଲ୍ଲାକା ଗସ୍ତ କରି ଲୋକଙ୍କ ଆଲୋଚନା କରିଥିଲେ। ଘଟଣାର ପୁନରାବୃତ୍ତି ନ କରିବାକୁ ପରାମର୍ଶ ଦେଇଥିଲେ। ସେଥିରେ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ। ସ୍ଥାନୀୟ ପୁଲିସ ଉପସ୍ଥିତ ରହିଥିଲେ।