ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ: ବିଜେଡି
ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଉତ୍ତରୀୟ ଦେଇ ତାଙ୍କୁ ଦଳରେ ସାମିଲ କଲେ
ତୃଣମୂଳସ୍ତରରେ ଦଳ ସୁଦୃଢ ହେବ କହିଲେ ବରିଷ୍ଠ ନେତୃବୃନ୍ଦ
ଭୁବନେଶ୍ୱର, ୨୫/୦୬: ପୂର୍ବତନ ଆଇଏଏସ୍ ଶ୍ରୀମତୀ ସୁଜାତା ରାଉତ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ତାଙ୍କର ଯୋଗଦାନ ଦଳକୁ ତୃଣମୂଳ ସ୍ତରରେ ଅଧିକ ଶକ୍ତିଶାଳୀ କରିବ ବୋଲି ଦଳର ବରିଷ୍ଠ ନେତୃବୃନ୍ଦ କହିଛନ୍ତି ।
ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉତ୍ତରୀୟ ଦେଇ ଶ୍ରୀମତୀ ସୁଜାତା ରାଉତଙ୍କୁ ଦଳରେ ସାମିଲ କରିଥିଲେ । ପୂର୍ବତନ ଆଇଏଏସ୍ ଅଧିକାରୀ ଶ୍ରୀମତୀ ସୁଜାତା ରାଉତ ଜଣେ ସାଧାରଣ କର୍ମୀ ଭାବେ ଦଳରେ ଯୋଗ ଦେଇଛନ୍ତି । ତାଙ୍କର ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ଦଳର ସଂଗଠନକୁ ମଜଭୁତ କରିବାରେ ସହାୟକ ହେବ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ।
ଅନ୍ୟପଟେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପ୍ରେରଣାର ଉତ୍ସ ଭାବେ ଅଭିହିତ କରି ଶ୍ରୀମତୀ ସୁଜାତା ରାଉତ କହିଥିଲେ, ଜଣେ ପ୍ରଶାସନିକ ଅଧିକାରୀ ଭାବେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦୀର୍ଘ ୨୪ ବର୍ଷ ଧରି କାର୍ଯ୍ୟ କରିଛି । ଆଗାମୀ ଦିନରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ସେବା କରିବା ପାଇଁ ବିଜୁ ଜନତା ଦଳରେ ଯୋଗ ଦେଇଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ, ଲକ୍ଷ ଲକ୍ଷ ବିଜୁ ଜନତା ଦଳର କର୍ମୀଙ୍କ ସହଯୋଗ ନେଇ ନିଷ୍ଠା ଓ ସମର୍ପିତ ଭାବେ ଦଳ ଓ ରାଜ୍ୟ ପାଇଁ କାର୍ଯ୍ୟ କରିବି । ଏହି ସ୍ୱତନ୍ତ୍ର ସଭାରେ ଦଳର ସାଂସଦ, ବିଧାୟକ ଓ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । ଆଜି ଶଙ୍ଖ ଭବନରେ ଅତ୍ୟନ୍ତ ଉତ୍ସାହର ସହ ଶ୍ରୀମତୀ ସୁଜାତା ରାଉତଙ୍କୁ ଉଚ୍ଛସ୍ୱିତ ସ୍ୱାଗତ କରାଯାଇଥିଲା ।