ଘରେ କେହି ନଥିବା ସୁଯୋଗ ନେଇ ଚୋରି

ଲକ୍ଷାଧିକ ଟଙ୍କାର ସୁନା ରୁପା ଓ ନଗଦ ଟଙ୍କା ଲୁଟ

କଲ୍ୟାଣସିଂହପୁର, ୦୨/୦୭ (ନରସିଂହ ନାଥ ମହାପାତ୍ର): ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ବଡ଼ଧରଣର ଚୋରି କରିଛନ୍ତି। ଘରର କବାଟ ଓ ଆଲମାରୀ ଭାଙ୍ଗି ସୁନା-ରୂପା ଗହଣା, ନଗଦ ଦୁଇ ଲକ୍ଷ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ଆଲଜିନ୍ ଗୁଡ଼ା ଛକ ଶିବ ମନ୍ଦିର ସାହିରେ।

ସୂଚନା ଅନୁଯାୟୀ, ସ୍ଥାନୀୟ ବାସିନ୍ଦା ବୀରେନ୍ଦ୍ର ନାଗ ଓ ତାଙ୍କ ପରିବାର ବୁଧବାର ଦିନ କୌଣସି କାମରେ ରାୟଗଡ଼ା ଯାଇଥିଲେ। ପରଦିନ ସକାଳେ ଘରକୁ ଫେରି ଦେଖିବା ବେଳକୁ ଘରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଦୁର୍ବୃତ୍ତମାନେ ଘର ପଛପଟ ପାଚେରୀ ଡେଇଁ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ।

ପରେ ଘର ଭିତରେ ଥିବା ଆଲମାରୀ ଭାଙ୍ଗି ସୁନା ଚେନ୍, ଦୁଇଟି ମୁଦି, କାନଫୁଲ, ପ୍ରାୟ ସାତ ତୋଳା ରୂପା ଗହଣା, ନଗଦ ଦୁଇ ଲକ୍ଷ ଟଙ୍କା, ଏଲ୍‌ସିଡି ଟିଭି ସହ ଘରେ ଥିବା ମାଟି କୁଣ୍ଡି ରଖାଯାଇଥିବା ଟଙ୍କା ମଧ୍ୟ ନେଇ ଯାଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ପରିବାର ପକ୍ଷରୁ କଲ୍ୟାଣସିଂହପୁର ଥାନାରେ ଅଭିଯୋଗ ଦାଖଲ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛ।