ଭୁବନେଶ୍ୱର, ୧୪/୦୭: ଓଡ଼ିଶାର ପ୍ରତିଭାବାନ ସ୍ପ୍ରିଣ୍ଟର ଅନିମେଶ କୁଜୁର ବିଶ୍ୱ କ୍ରୀଡ଼ା ମଞ୍ଚରେ ଏକ ଅସାଧାରଣ ସଫଳତା ହାସଲ କରି ସମଗ୍ର ଦେଶ ଓ ଓଡ଼ିଶା ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ଜର୍ମାନୀରେ ଅନୁଷ୍ଠିତ ପ୍ରତିଷ୍ଠିତ ‘ଫାଷ୍ଟ ଆର୍ମସ ଫାଷ୍ଟ ଲେଗ୍ସ’ (Fast Arms Fast Legs) ଆଥଲେଟିକ୍ସ ମିଟ୍ରେ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଏହି ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି।ଅନିମେଶ ୧୦୦ ମିଟର ଦୌଡ଼କୁ ମାତ୍ର ୧୦.୧୪ ସେକେଣ୍ଡରେ ଶେଷ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନିମେଶ କୁଜୁରଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, “ଜର୍ମାନୀରେ ଅନୁଷ୍ଠିତ ‘ଫାଷ୍ଟ ଆର୍ମସ ଫାଷ୍ଟ ଲେଗ୍ସ’ ମିଟ୍ର ୧୦୦ ମିଟର ଦୌଡ଼କୁ ମାତ୍ର ୧୦.୧୪ ସେକେଣ୍ଡରେ ଶେଷ କରି ଓଡ଼ିଶାର ପ୍ରତିଭାବାନ ସ୍ପ୍ରିଣ୍ଟର ଅନିମେଶ କୁଜୁର ବିଦେଶ ମାଟିରେ ଜଣେ ଭାରତୀୟ ସ୍ପ୍ରିଣ୍ଟର ଭାବେ ଦ୍ରୁତତମ ସମୟର ଏକ ଅସାଧାରଣ କୀର୍ତ୍ତିମାନ ସ୍ଥାପନ କରିବା ସହ ଆମ ରାଜ୍ୟ ଓ ସମଗ୍ର ଦେଶକୁ ଗୌରବାନ୍ୱିତ କରିଛନ୍ତି। ବିଶ୍ୱ ଆଥଲେଟିକ୍ସ ମଞ୍ଚରେ ତାଙ୍କର ଏହି ଅସାଧାରଣ ସଫଳତା ଆମର ଯୁବ କ୍ରୀଡ଼ାବିତ୍ମାନଙ୍କୁ ଆଗକୁ ବଢ଼ିବା ପାଇଁ ନିଶ୍ଚିତ ଭାବେ ପ୍ରେରିତ କରିବ। ଅନିମେଶଙ୍କୁ ଅନେକ ଶୁଭକାମନା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ କ୍ରୀଡ଼ା ଭବିଷ୍ୟତ କାମନା କରୁଛି।”