ଲଘୁଚାପ କ୍ଷେତ୍ର ସୃଷ୍ଟି: ଜଗତସିଂହପୁରକୁ ରେଡ୍ ଆଲର୍ଟ

ଆସନ୍ତାକାଲି ବି ପ୍ରବଳ ବର୍ଷିବ, ଅଶାନ୍ତ ରହିବ ସମୁଦ୍ର

ଭୁବନେଶ୍ୱର, ୧୫/୦୭: ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳ ୫.୩୦ରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହା ଆଗାମୀ ଦୁଇ ଦିନ ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ‌। ଆଜି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଜୁଲାଇ ୧୫ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଜଗତସିଂପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଢେଙ୍କାନାଳ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜ, ବୌଦ୍ଧ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ ବିଭାଗ ଗୁରୁବାର, ଜୁନ୍ ୧୬ ତାରିଖରେ ରଥଯାତ୍ରା ଥିମ୍ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ମଧ୍ୟ ପୂର୍ବାନୁମାନ କରିଛି। ରଥଯାତ୍ରା ଦିନ ପାଇଁ କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ କଟକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଏହି ସମୟରେ, ଓଡ଼ିଶା ଉପକୂଳ ଅଶାନ୍ତ ରହିବ ଏବଂ ପବନର ବେଗ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ପର୍ଯ୍ୟନ୍ତ ରହିବ ବୋଲି ଆକଳନ କରାଯାଇଛି। ସମୁଦ୍ର ଅଶାନ୍ତ ରହିବା ଯୋଗୁଁ ମତ୍ସ୍ୟଜୀବୀମାନଙ୍କୁ ଜୁଲାଇ ୧୮ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।