ନିଜକୁ ଜାଳିଦେଲେ ଯୁବତୀ

କଟକ ସ୍ଥାନାନ୍ତର ବେଳେ ବାଟରେ ମୃତ୍ୟୁ

ବ୍ରହ୍ମପୁର, ୧୫/୦୭: କିରୋସିନ ଢାଳି ନିଜକୁ ଜାଳିଦେଲେ ଯୁବତୀ। ବ୍ରହ୍ମପୁର ବଡ଼ବଜାର ଥାନା ଶାନ୍ତିନଗର ଲେନ୍-୫ରେ ଜଣେ ଯୁବତୀ ଆତ୍ମାହୁତି କରିଛନ୍ତି। ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ବେଳେ ଯୁବତୀଙ୍କ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲା ବ୍ରହ୍ମପୁର ବଡ଼ବଜାର ଥାନା ଶାନ୍ତିନଗରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ସକାଳେ ରବୀନ୍ଦ୍ର ବେହେରାଙ୍କ ଝିଅ ରାଜେଶ୍ୱରୀ ବେହେରା(୨୭) ଘର ଭିତରେ ନାଦ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଝିଅର ଚିତ୍କାର ଶୁଣି ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ଦେଖନ୍ତି ତ, ସେ ପୋଡ଼ି ହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଖଲ୍ଲିକୋଟ ନିକଟରେ ମୃତ୍ୟୁ ଘଟିଥିଲା। ତେବେ ଯୁବତୀ ଜଣକ କାହିଁକି ନିଜକୁ ଜାଳିଲେ ତାହା କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଯୁବତୀଙ୍କ ପରିବାର ଲୋକେ କହିଛନ୍ତି ଯେ, ତାଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା। ସେ ଚିକିତ୍ସିତ ହେଉଥିଲେ।