ବଙ୍ଗୋପସାଗରରେ ବଡ଼ ଅଘଟଣ: ଡଙ୍ଗା ବୁଡ଼ି ୫୦୦ ମୃତ

ଜୀବନ ବିକଳରେ ବିପଦପୂର୍ଣ୍ଣ ସମୁଦ୍ର ଯାତ୍ରା

ନୂଆଦିଲ୍ଲୀ, ୧୭/୦୭: ବଙ୍ଗୋପସାଗରରେ ଦୁଇଟି ଡଙ୍ଗା ବୁଡ଼ିଯିବା ଫଳରେ ୫୦୦ରୁ ଅଧିକ ରୋହିଙ୍ଗ୍ୟା ଶରଣାର୍ଥୀ ପ୍ରାଣ ହରାଇଥିବା ନେଇ ଆଶଙ୍କା କରାଯାଉଛି। ଜାତିସଂଘର ବିଭିନ୍ନ ପ୍ରମୁଖ ସଂଗଠନ ପକ୍ଷରୁ ଏହି ଦୁଃଖଦ ଖବର ପ୍ରକାଶ ପାଇଛି।

ଜାତିସଂଘର ଶରଣାର୍ଥୀ ସଂଗଠନ (UNHCR) ଏବଂ ଆନ୍ତର୍ଜାତୀୟ ପ୍ରବାସୀ ସଂଗଠନ (IOM) ର ମିଳିତ ବିବୃତି ଅନୁଯାୟୀ, ଜୁନ୍ ମାସର ଶେଷ ସପ୍ତାହରେ ମିଆଁମାରର ପଶ୍ଚିମ ଭାଗରେ ଥିବା ରଖାଇନ ରାଜ୍ୟରୁ ଦୁଇଟି ଡଙ୍ଗା ପ୍ରାୟ ୫୦୦ରୁ ଅଧିକ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲା। ପ୍ରାୟ ୨୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ପ୍ରଥମ ଡଙ୍ଗାଟି ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ନିଖୋଜ ହୋଇଯାଇଥିଲା ଏବଂ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନାହିଁ।

ପ୍ରାୟ ୨୮୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଦ୍ୱିତୀୟ ଡଙ୍ଗାଟି ଜୁଲାଇ ୮ ତାରିଖରେ ମିଆଁମାରର ଆୟେୟାରୱାଡି (Ayeyarwady) ଉପକୂଳ ନିକଟରେ ସମୁଦ୍ରରେ ବୁଡ଼ି ଯାଇଥିବା ବିଶ୍ୱାସ କରାଯାଉଛି।

ମିଆଁମାରରେ ଚାଲିଥିବା ହିଂସା ଏବଂ ସାମରିକ ଶାସନ ଯୋଗୁଁ ପ୍ରାୟ ୧୨ ଲକ୍ଷ ରୋହିଙ୍ଗ୍ୟା ମୁସଲମାନ ବାଂଲାଦେଶର ଶରଣାର୍ଥୀ ଶିବିରଗୁଡ଼ିକରେ ଅତି ଦୟନୀୟ ଭାବେ ବାସ କରୁଛନ୍ତି। ଶରଣାର୍ଥୀ ଶିବିରଗୁଡ଼ିକରେ ଖାଦ୍ୟ ସାମଗ୍ରୀର ଅଭାବ, ସୀମିତ ସାହାଯ୍ୟ ଏବଂ ଅସୁରକ୍ଷିତ ପରିବେଶ କାରଣରୁ ରୋହିଙ୍ଗ୍ୟା ପରିବାରଗୁଡ଼ିକ ଜୀବନ ବିକଳରେ ସମୁଦ୍ର ପଥ ଦେଇ ମାଲେସିଆ କିମ୍ବା ଅନ୍ୟାନ୍ୟ ଦେଶକୁ ଖସିଯିବାକୁ ଚେଷ୍ଟା କରୁଛନ୍ତି। ସାଧାରଣତଃ ଏହି ବର୍ଷା ଏବଂ ମୌସୁମୀ ସମୟରେ ବଙ୍ଗୋପସାଗରରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ଥାଏ। କିନ୍ତୁ ଅଧିକ ବିପଦ ଥିବା ସତ୍ତ୍ୱେ, କେତେକ ଦଲାଲଙ୍କ ଜରିଆରେ ଅତି ଦୁର୍ବଳ ଏବଂ ଖରାପ ଅବସ୍ଥାରେ ଥିବା ଡଙ୍ଗାରେ ଏହି ଗରିବ ଶରଣାର୍ଥୀମାନେ ଯାତ୍ରା କରି ଦୁର୍ଘଟଣାର ଶିକାର ହୋଇଛନ୍ତି।

ଜାତିସଂଘର ଏଜେନ୍ସିଗୁଡ଼ିକ ଏହି ଘଟଣା ଉପରେ ଗଭୀର ଦୁଃଖ ପ୍ରକାଶ କରିବା ସହ ବିବୃତି ଜାରି କରି କହିଛନ୍ତି ଯେ, ଏଭଳି ସମୁଦ୍ର ଯାତ୍ରା ବଙ୍ଗୋପସାଗରକୁ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ ଏକ କବରସ୍ଥାନରେ ପରିଣତ କରିଛି।