ରେଳ ନିରାପତ୍ତା ବୃଦ୍ଧି ପାଇଁ ଶୁଭାରମ୍ଭ ହେଲା AI ସଞ୍ଚାଳିତ ରୋବୋଟିକ୍ ସୁରକ୍ଷା ପ୍ଲାଟଫର୍ମ “ଡିଏସ୍ସି ଅର୍ଜୁନ”
ଯାତ୍ରୀ ସୁରକ୍ଷାକୁ ଅଧିକ ପ୍ରାଥମିକତା; ପୂର୍ବ ତଟ ରେଳପଥର ଅଭିନବ ପଦକ୍ଷେପ
ଭୁବନେଶ୍ୱର, ୨୨/୦୭: ଉନ୍ନତ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ରେଳ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପୂର୍ବ ତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ) “ଡିଏସସି ଅର୍ଜୁନ” (Dedicated Security Chassis Advanced Railway Junction Under Network Enabled Surveillance) ନାମକ ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା (AI) ସଞ୍ଚାଳିତ ରୋବୋଟିକ୍ ନିରୀକ୍ଷଣ ପ୍ଲାଟଫର୍ମର ଶୁଭାରମ୍ଭ କରିଛି। ଏହି ଅତ୍ୟାଧୁନିକ ବ୍ୟବସ୍ଥା ଯାତ୍ରୀ ସୁରକ୍ଷା, ଷ୍ଟେସନ ସୁରକ୍ଷା ଏବଂ ରେଳ ପରିଚାଳନାର ଦକ୍ଷତାକୁ ଆହୁରି ବୃଦ୍ଧି କରିବ।
ପୂର୍ବତଟ ରେଳପଥର ମହାପ୍ରବନ୍ଧକ, ବରିଷ୍ଠ ରେଳ ଅଧିକାରୀ ଏବଂ ରେଳ ସୁରକ୍ଷା ବଳର ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ଏଆଇ-ସଞ୍ଚାଳିତ ରୋବୋଟିକ୍ ସୁରକ୍ଷା ପ୍ଲାଟଫର୍ମ “ଡିଏସସି ଅର୍ଜୁନ”ର ଉନ୍ମୋଚନ କରାଯାଇଥିଲା।
ଡିଏସସି ଅର୍ଜୁନର ପ୍ରଚଳନ ପୂର୍ବତଟ ରେଳପଥର ସ୍ମାର୍ଟ ଏବଂ ପ୍ରଯୁକ୍ତିବିଦ୍ୟା-ସଞ୍ଚାଳିତ ସୁରକ୍ଷା ବ୍ୟବସ୍ଥା ଗଠନ ଦିଗରେ ଆଉ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି। କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), କମ୍ପ୍ୟୁଟର ଭିଜନ, ମେସିନ୍ ଲର୍ଣ୍ଣିଙ୍ଗ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ (IoT) ଭଳି ଅତ୍ୟାଧୁନିକ ପ୍ରଯୁକ୍ତିରେ ସଜ୍ଜିତ ଏହି ବୁଦ୍ଧିମାନ ରୋବୋଟିକ୍ ପ୍ଲାଟଫର୍ମ ରେଳ ସୁରକ୍ଷା ବଳଙ୍କୁ ଅଧିକ ସକ୍ରିୟ, ଦକ୍ଷ ଏବଂ ତ୍ୱରିତ ସୁରକ୍ଷା ସେବା ପ୍ରଦାନରେ ସହାୟତା କରିବ।
କୋଭିଡ-୧୯ ମହାମାରୀ ସମୟରେ ଭାରତୀୟ ରେଳବାଇରେ ରୋବୋର୍ଟ ଦ୍ୱାରା ନିରୀକ୍ଷଣ ବ୍ୟବସ୍ଥା ୨୦୨୦ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ଫ୍ରଣ୍ଟଲାଇନ୍ ରେଳ କର୍ମଚାରୀମାନଙ୍କୁ ସୁରକ୍ଷା ଦେବାରେ ସହାୟତା କରିବା ପାଇଁ କେନ୍ଦ୍ରୀୟ ରେଳବାଇ ଦ୍ୱାରା କ୍ୟାପଟେନ୍ ଅର୍ଜୁନ ବିକଶିତ କରାଯାଇଥିଲା। ଏହି ପଦକ୍ଷେପକୁ ଆଗକୁ ବଢ଼ାଇ ପୂର୍ବତଟ ରେଳପଥ ୨୩ ଜାନୁଆରୀ ୨୦୨୬ ତାରିଖରେ ବିଶାଖାପାଟଣା ରେଳ ଷ୍ଟେସନରେ ‘ଏଏସସି ଅର୍ଜୁନ’ ନାମକ ହ୍ୟୁମାନଏଡ୍ ରୋବୋଟ୍ର ବ୍ୟବହାର କରିଥିଲା । ନୂତନ ଭାବରେ ବିକଶିତ DSC ଅର୍ଜୁନ ଏହି ବୈଷୟିକ ବିକାଶର ପରବର୍ତ୍ତୀ ପର୍ଯ୍ୟାୟର ପ୍ରତିନିଧିତ୍ୱ କରୁଛି। ଏଥିରେ ଉନ୍ନତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସକ୍ଷମ ନିରୀକ୍ଷଣ ପ୍ରଣାଳୀ ଏବଂ ବିଶ୍ଳେଷଣାତ୍ମକ ପ୍ରଯୁକ୍ତିବିଦ୍ୟା କୁ ସମନ୍ୱିତ କରି ଏକ ଉନ୍ନତ ରେଳ ସୁରକ୍ଷା ପ୍ଲାଟଫର୍ମ ରୂପେ ବିକଶିତ କରାଯାଇଛି।
ରେଳ ସୁରକ୍ଷା ବଳର କାର୍ଯ୍ୟକ୍ଷମତାକୁ ବହୁଗୁଣିତ କରିବା ଉଦ୍ଦେଶ୍ୟରେ DSC ARJUNକୁ ବିକଶିତ କରାଯାଇଛି। ଏହା ୨୪ ଘଣ୍ଟା ନିରନ୍ତର ନିରୀକ୍ଷଣ ଓ ବୁଦ୍ଧିମାନ ପର୍ଯ୍ୟବେକ୍ଷଣ କରିବାରେ ସକ୍ଷମ। ଏହାର ଉନ୍ନତ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ AI-ଆଧାରିତ ମୁହଁ ଚିହ୍ନଟ (Facial Recognition), ବାସ୍ତବ ସମୟ ବା ଜନଗହଳି ବିଶ୍ଳେଷଣ (Real-time Crowd Analytics), ଯାତ୍ରୀ ସଂଖ୍ୟା ଗଣନା (Passenger Head Count), ଅସୁରକ୍ଷିତ ବ୍ୟାଗେଜ୍ ଚିହ୍ନଟ (Unattended Baggage Detection), ସନ୍ଦେହଜନକ କାର୍ଯ୍ୟକଳାପ ଚିହ୍ନଟ (Suspicious Activity Detection), ସାର୍ବଜନୀନ ଘୋଷଣା (Public Address Announcements), ଲାଇଭ୍ ଭିଡିଓ ଷ୍ଟ୍ରିମିଂ ଏବଂ ତତ୍କାଳ ସତର୍କ ସୂଚନା (Instant Alert Generation) ଅନ୍ତର୍ଭୁକ୍ତ। ଏହି ସମସ୍ତ କ୍ଷମତା ପରିସ୍ଥିତି ସମ୍ପର୍କିତ ସଚେତନତାକୁ ଯଥେଷ୍ଟ ବୃଦ୍ଧି କରିବା ସହ ସମୟୋପଯୋଗୀ ନିଷ୍ପତ୍ତି ଗ୍ରହଣରେ ସହାୟକ ହୋଇଥାଏ ଏବଂ ପ୍ରତିରୋଧାତ୍ମକ ଓ ପ୍ରମାଣ-ଭିତ୍ତିକ ନିରୀକ୍ଷଣକୁ ଆହୁରି ସୁଦୃଢ଼ କରିଥାଏ।
ଏହି ରୋବୋର୍ଟ ଟିକୁ ରେଳ ପ୍ଲାଟଫର୍ମ, ଷ୍ଟେସନ କନକୋର୍ସ, ଟିକେଟ୍ ବୁକିଂ କାଉଣ୍ଟର, ପ୍ରତୀକ୍ଷାଳୟ, ସର୍କୁଲେଟିଂ ଏରିଆ, ପାର୍କିଂ ସ୍ଥଳ, ପାର୍ସଲ୍ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯାଇପାରିବ। ନିରନ୍ତର ନିରୀକ୍ଷଣ ଏବଂ ବିଶ୍ଳେଷଣ ମାଧ୍ୟମରେ ଏହା ଅପରାଧ ନିରୋଧ, ବ୍ୟସ୍ତ ସମୟରେ ଯାତ୍ରୀ ଚଳାଚଳର ସୁପରିଚାଳନା, ରେଳ ସମ୍ପତ୍ତିର ସୁରକ୍ଷା ଏବଂ ଅଗ୍ନିକାଣ୍ଡ, ଚିକିତ୍ସା ଜନିତ ଜରୁରୀକାଳୀନ ପରିସ୍ଥିତି କିମ୍ବା ସୁରକ୍ଷା ସମ୍ବନ୍ଧୀୟ ଘଟଣା ଭଳି ଆପାତକାଳୀନ ସ୍ଥିତିରେ ଫଳପ୍ରଦ ପ୍ରତିକ୍ରିୟା ପ୍ରଦାନରେ ସହାୟକ ହେବ ।
“ପ୍ରଯୁକ୍ତିବିଦ୍ୟା ରେଳ ସୁରକ୍ଷାର ଭବିଷ୍ୟତକୁ ଏକ ନୂଆ ରୂପ ଦେଉଛି। “ଡିଏସସି ଅର୍ଜୁନ” ହେଉଛି ରେଳ ନିରୀକ୍ଷଣ ସହିତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ସଂଯୋଜିତ କରି ଏକ ସ୍ମାର୍ଟ, ଅଧିକ ପ୍ରତିକ୍ରିୟାଶୀଳ ଏବଂ ପ୍ରଯୁକ୍ତିବିଦ୍ୟା-ସଞ୍ଚାଳିତ ସୁରକ୍ଷା ବ୍ୟବସ୍ଥା ଗଢ଼ିତୋଳିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପ୍ଲାଟଫର୍ମ ରେଳ ସୁରକ୍ଷା ବଳ କର୍ମଚାରୀଙ୍କ କ୍ଷମତାକୁ ବୃଦ୍ଧି କରିବ, ପରିସ୍ଥିତି ସମ୍ପର୍କରେ ସଚେତନତା ସୁଦୃଢ଼ କରିବ, ସକ୍ରିୟ ସୁରକ୍ଷା ପରିଚାଳନାକୁ ସକ୍ଷମ କରିବ ଏବଂ ପୂର୍ବ ତଟ ରେଳପଥରେ ଯାତ୍ରୀଙ୍କ ବିଶ୍ୱାସକୁ ଆହୁରି ମଜବୁତ କରିବ।”
କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ରେଳ ସୁରକ୍ଷା ବଳ (RPF) କର୍ମଚାରୀଙ୍କର ବୃତ୍ତିଗତ ଦକ୍ଷତା ଓ ସତର୍କତା ସହ ସମନ୍ୱୟ କରି, ଏହି ପଦକ୍ଷେପ ଏକ ଅଧିକ ସୁରକ୍ଷିତ, ସ୍ମାର୍ଟ, ସୁଦୃଢ଼ ଏବଂ ଯାତ୍ରୀ-କୈନ୍ଦ୍ରିକ ରେଳ ବ୍ୟବସ୍ଥା ଗଠନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସୃଷ୍ଟି କରିଛି। ଏହା ଲକ୍ଷାଧିକ ଯାତ୍ରୀଙ୍କ ପାଇଁ ଅଧିକ ସୁରକ୍ଷିତ ରେଳ ଯାତ୍ରା ସୁନିଶ୍ଚିତ କରିବା ସହିତ ରେଳବାଇର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଓ ସମ୍ପତ୍ତିର ସୁରକ୍ଷାକୁ ମଧ୍ୟ ସୁଦୃଢ଼ କରିବ।