କାଠମାଣ୍ଡୁ, ୦୧/୦୯: ନେପାଳ-ତିବ୍ବତ ସୀମାରେ ଅଗଷ୍ଟ ୨୬ରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା ଏବେ ବିଶାଳ ମାନବୀୟ ବିପର୍ଯ୍ୟୟର ରୂପ ନେଇଛି। ନେପାଳ ଓ ଚୀନ୍ର ତିବ୍ବତ ଅଞ୍ଚଳକୁ ମିଶାଇ ମୃତ୍ୟୁସଂଖ୍ୟା ୧,୦୦୦ ଅତିକ୍ରମ କରିଛି। ନେପାଳରେ ୯୮୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ତିବ୍ବତରେ ୧୬ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଏହା ସହ ନେପାଳରେ ୩,୯୧୬ ଜଣ ଓ ତିବ୍ବତରେ ୫୪୬ ଜଣ ନିଖୋଜ ଥିବା ସୂଚନା ମିଳିଛି।
ଅଗଷ୍ଟ ୨୬ରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ଯାହାଫଳରେ ପାଣି, କାଦୁଅ ଓ କାଠ ଖଣ୍ଡ ସବୁ ଭାସି ଜନବସତି ଆଡ଼କୁ ମାଡ଼ି ଆସିଥିଲା। ପ୍ରବଳ ଜଳପ୍ରବାହ ନେପାଳର ରାସୁୱା, ନୁୱାକୋଟ୍ ସମେତ ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଥିଲା।
ବନ୍ୟାରେ ଅନେକ ରାସ୍ତା ଓ ସେତୁ ଭାସିଯାଇଥିବାରୁ ପ୍ରଭାବିତ ଅଞ୍ଚଳ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପ୍ରାୟ ୯୦୦ ଜଣ ଜଳବିଦ୍ୟୁତ କର୍ମଚାରୀଙ୍କ ପତ୍ତା ମିଳୁନାହିଁ ଏବଂ ପ୍ରାୟ ୫୦୦ ଜଣ ଭୂଗର୍ଭ ସୁଡ଼ଙ୍ଗ ଭିତରେ ଫସିଥିବା ଆଶଙ୍କା କରାଯାଉଛି।
ଉଦ୍ଧାରକାରୀ ଦଳଗୁଡ଼ିକ ସର୍ଚ୍ଚ ଅପରେସନ କରୁଛନ୍ତି। ହେଲିକପ୍ଟର ମାଧ୍ୟମରେ ଲୋକଙ୍କୁ ଉଦ୍ଧାର କରାଯିବା ସହ ଦୁର୍ଗମ ଅଞ୍ଚଳକୁ ରିଲିଫ୍ ସାମଗ୍ରୀ ପଠାଯାଉଛି। ଏପର୍ଯ୍ୟନ୍ତ ୧୧,୮୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି।
ତେବେ ଅନେକ ସ୍ଥାନରେ ଭାଙ୍ଗିପଡ଼ିଥିବା ଭିତ୍ତିଭୂମି ଓ ସଂଯୋଗ ବ୍ୟବସ୍ଥା ଉଦ୍ଧାରକାର୍ଯ୍ୟକୁ ଧୀମା କରିଛି। କିଛି ଅଞ୍ଚଳରେ ଦ୍ୱିତୀୟ ଥର ବନ୍ୟା ଆସିବାର ଆଶଙ୍କା ମଧ୍ୟ ରହିଛି।
ବିପର୍ଯ୍ୟୟର ଭୟାବହତାକୁ ଦେଖି ନେପାଳକୁ ବିଦେଶୀ ସହାୟତା ମଧ୍ୟ ମିଳୁଛି। ଦକ୍ଷିଣ କୋରିଆ ନେପାଳକୁ ୪୪ ଜଣିଆ ଜରୁରୀକାଳୀନ ରିଲିଫ୍ ଟିମ୍ ପଠାଇବାକୁ ଘୋଷଣା କରିଛି। ଏହି ଦଳ ଖୋଜାଖୋଜି ଓ ଉଦ୍ଧାର ଅଭିଯାନରେ ସହଯୋଗ କରିବ। ଚୀନ୍ ମଧ୍ୟ ଡିଏନଏ ଟେଷ୍ଟ ପାଇଁ ଟିମ୍ ପଠାଇଛି। ଉଦ୍ଧାରକାରୀ ଟିମ୍ ବି ପଠାଇଛି।
ହଜାର ହଜାର ଲୋକ ନିଖୋଜ ଥିବାରୁ ସେମାନଙ୍କ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ନିଖୋଜଙ୍କ ମଧ୍ୟରେ ବିଦେଶୀ ପର୍ଯ୍ୟଟକ, ଶ୍ରମିକ ଓ ତୀର୍ଥଯାତ୍ରୀ ମଧ୍ୟ ରହିଛନ୍ତି। ନେପାଳ ସରକାର ମୃତକଙ୍କ ପରିଚୟ ଚିହ୍ନଟ ସହ ନିଖୋଜଙ୍କ ସନ୍ଧାନ ଜାରି ରଖିଛି।