ମାନବିକତା ଦେଖାଇ ପାଇଥିବା ଟଙ୍କା ଓ ସୁନା ଫେରାଇଲେ ବୃଦ୍ଧା

କୃତଜ୍ଞତା ଜଣାଇଲେ ଡଙ୍ଗରିଆ ମହିଳା

କଲ୍ୟାଣସିଂହପୁର, ୦୧/୦୯(ନିପ୍ର): ରାୟଗଡା ଜିଲା କଲ୍ୟାଣ ସିଂହପୁର ବ୍ଲକ ସଦରର ଲମ୍ବତା ସାହିର ବୃଦ୍ଧା କୁନି ବେହେରାଙ୍କୁ ମିଳିଥିବା ମନିପର୍ସ ହଜିଥିବା ଲୋକଙ୍କୁ ଫେରାଇ ମାନବିକତାର ପରିଚୟ ଦେଇଥିବା ଦେଖିବାକୁ ମିଳିଛି। ନିୟମଗିରି ପାହାଡର ପାର୍ଶାଲି ପଞ୍ଚାୟତର ପାତଲମ୍ବା ଗାଁର ପୁଲୁ କାଡ୍ରାକା ଓ କୁନି ଶିକକା କଲ୍ୟାଣ ସିଂହପୁର ବ୍ୟାଙ୍କ ଆସି ସୁଭଦ୍ରା ଯୋଜନାରେ ମିଳିଥିବା ୫୦୦୦ ଟଙ୍କା ଉଠାଇ ନିଜ ଗାଁକୁ ଫେରୁଥିବା ବେଳେ ତାହା ବ୍ୟାଙ୍କ ନିକଟରେ ଖସି ପଡି ଯାଇଥିଲା । ଏହାକୁ ଲମ୍ବତା ସାହିର ବୃଦ୍ଧା କୁନି ବେହେରା ଦେଖି ଉଠାଇ ଥିଲେ। ଏହାକୁ ନେଇ ଜଣେ ସାମ୍ବାଦିକ ସୁରେଶ ପାଢ଼ୀଙ୍କୁ ଡାକି କହିଥିଲେ। ଉକ୍ତ ସାମ୍ବାଦିକ ଜନସେବା କେନ୍ଦ୍ର‌ ଓ କିଛି ଲୋକଙ୍କୁ ପଚାରିବା ପରେ ପରିଚୟ ମିଳିଥିଲା। ଏହା ପରେ ତାଙ୍କୁ ଡକାଇ ପର୍ସରେ ଥିବା ୫୧୧୦ଟଙ୍କା, କିଛି ସୁନା ଓ ରୁପା ଗହଣା ଯାହାର ମୂଲ୍ୟ ୧୫ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଏବଂ ଏଟିଏମ କାର୍ଡ ସବୁ ଫେରସ୍ତ କରିଥିଲେ। ହଜିଥିବା ଟଙ୍କା ପାଇବା ପରେ ଡ଼ଙ୍ଗରିଆ ମହିଳା ଓ ପୁରୁଷ ଦୁହେଁ ବୃଦ୍ଧା କୁନି ବେହେରାଙ୍କୁ କୃତଜ୍ଞତା ଜଣାଇଥିଲେ।