ଦେଶର ପ୍ରଥମ ଲୋକଭବନ ଭାବେ ଓଡ଼ିଶା ଲୋକଭବନକୁ ଗ୍ରୀନ୍‌ ବିଲ୍ଡିଂ ମାନ୍ୟତା

ଲୋକଭବନରେ ସ୍ୱତନ୍ତ୍ର ଉତ୍ସବରେ ପ୍ରମାଣପତ୍ର ଦେଲେ IGBC ଅଧ୍ୟକ୍ଷ

ଭୁବନେଶ୍ୱର, ୦୧/୦୯: ଭୁବନେଶ୍ୱରସ୍ଥିତ ଓଡ଼ିଶା ଲୋକଭବନ ଦେଶର ପ୍ରଥମ ଲୋକଭବନ ଭାବେ ଇଣ୍ଡିଆନ୍ ଗ୍ରୀନ୍ ବିଲ୍ଡିଂ କାଉନସିଲ୍‌ (IGBC)ର ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍ ହାସଲ କରିଛି। ୧୦୦ରୁ ୮୮ ଅଙ୍କ ହାସଲ କରି ଲୋକଭବନ ଏହି ସମ୍ମାନଜନକ ମାନ୍ୟତା ପାଇଛି।

ଲୋକଭବନ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ IGBC ପକ୍ଷରୁ ଏହି ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଶକ୍ତି ସଂରକ୍ଷଣ, ଜଳ ପରିଚାଳନା, ପରିବେଶ ସୁରକ୍ଷା ଓ ଅନ୍ୟାନ୍ୟ ସ୍ଥାୟୀ ବ୍ୟବସ୍ଥା ଲାଗୁ କରିଥିବାରୁ ଲୋକଭବନକୁ ଏହି ମାନ୍ୟତା ମିଳିଛି।

ଲୋକଭବନ ପରିସରରେ ଶକ୍ତି-ଦକ୍ଷ ବ୍ୟବସ୍ଥା, ନବୀକରଣୀୟ ଶକ୍ତିର ବ୍ୟବହାର, ଜଳ ସଂରକ୍ଷଣ, ଜୈବବିବିଧତାର ସୁରକ୍ଷା, ବର୍ଜ୍ୟବସ୍ତୁର ବୈଜ୍ଞାନିକ ପରିଚାଳନା, ସ୍ୱଚ୍ଛ ଓ ସ୍ଥାୟୀ ଯାତାୟାତ ବ୍ୟବସ୍ଥା ସହିତ ବାସିନ୍ଦାଙ୍କ କଲ୍ୟାଣକୁ ଗୁରୁତ୍ୱ ଦିଆଯାଇଛି। ଏହି ସବୁ ପଦକ୍ଷେପକୁ ବିଚାରକୁ ନେଇ IGBC ପକ୍ଷରୁ ଲୋକଭବନକୁ ପ୍ଲାଟିନମ୍ ରେଟିଂ ଦିଆଯାଇଛି।

ପରିବେଶ ପରିଚାଳନା ପାଇଁ ‘ରୋଶନି’ ଭଳି ଗ୍ରୀନ୍ ଇନୋଭେଟିଭ୍ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ଏଥିରେ ବଗିଚାର ଉନ୍ନତି, ବର୍ଜ୍ୟ ପରିଚାଳନା, ଶକ୍ତି ସଂରକ୍ଷଣ, ବିକଳ୍ପ ଶକ୍ତି ବ୍ୟବହାର, ବର୍ଷାଜଳ ସଂରକ୍ଷଣ ଓ ବୃକ୍ଷରୋପଣ ଭଳି ପଦକ୍ଷେପ ସାମିଲ ରହିଛି।