ମ୍ୟାଲେରିଆ ଔଷଧ ଖାଇବା ପରେ ଛାତ୍ରୀଙ୍କ ମୃତ୍ୟୁ, ୪୭ ଛାତ୍ରଛାତ୍ରୀ ଅସୁସ୍ଥ
ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ
ପୋଲାଭରମ, ୦୨/୦୯: ଆନ୍ଧ୍ରପ୍ରଦେଶର ପୋଲାଭରମ୍ ଜିଲ୍ଲାର ଏଟପାକା ମଣ୍ଡଳ ଅନ୍ତର୍ଗତ ଗୋଲ୍ଲାଗୁପ୍ପା ଗ୍ରାମରେ ମ୍ୟାଲେରିଆ ନିରୋଧୀ ଔଷଧ ସେବନ ପରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିବା ସହ ୪୭ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି।
ମ୍ୟାଲେରିଆ ନିବାରଣ ଅଭିଯାନ ଅଧୀନରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମବାସୀ ଓ ସ୍କୁଲ ଛାତ୍ରଛାତ୍ରୀଙ୍କୁ କ୍ଲୋରୋକ୍ୱିନ୍ ମ୍ୟାଲେରିଆ ପ୍ରତିଷେଧକ ବଟିକା ଦିଆଯାଇଥିଲା। ଔଷଧ ଖାଇବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ମଡିଭି ଯମୁନା (୭ ବର୍ଷ) ନାମ୍ନୀ ଜଣେ ଦ୍ୱିତୀୟ ଶ୍ରେଣୀର ଛାତ୍ରୀଙ୍କର ବାନ୍ତି ହୋଇ ମୃତ୍ୟୁ ଘଟିଛି। ଔଷଧ ସେବନ କରିଥିବା ୭୧ ଜଣଙ୍କ ମଧ୍ୟରୁ ପ୍ରାୟ ୫୩ ଜଣ (ଯେଉଁଥିରେ ୪୭ ଜଣ ଛାତ୍ରଛାତ୍ରୀ) ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥ ପିଲାମାନଙ୍କୁ ତୁରନ୍ତ ଲକ୍ଷ୍ମୀପୁର PHC ଏବଂ ପଡ଼ୋଶୀ ତେଲେଙ୍ଗାନାର ଭଦ୍ରାଚଲମ୍ ଏରିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗାଁରେ ତୁରନ୍ତ ଏକ ସ୍ୱେଚ୍ଛାକୃତ ସ୍ୱାସ୍ଥ୍ୟ କ୍ୟାମ୍ପ ଆରମ୍ଭ କରାଯାଇଛି ଏବଂ କାକିନାଡ଼ା, ରାଜମହେନ୍ଦ୍ରୀ ଓ ବିଜୟୱାଡ଼ାରୁ ବିଶେଷଜ୍ଞ ଡାକ୍ତରୀ ଦଳ ପଠାଯାଇଛି। ବର୍ତ୍ତମାନ ଚିକିତ୍ସାଧୀନ ଥିବା ଅନ୍ୟ ସମସ୍ତ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାୟୁଡୁ ଏହି ଘଟଣାର ଗମ୍ଭୀରତାକୁ ନେଇ ଜିଲ୍ଲା କଲେକ୍ଟର ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।