ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ଭୀମସେନ ଟୁଡୁଙ୍କୁ ଜାମିନ

୫୦ ହଜାର ଟଙ୍କାର ଦୁଇ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର

କଟକ, ୦୩/୦୯: ବହୁଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ଅଭିଯୁକ୍ତ ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିବା ଜଣାପଡ଼ିଛି। ୫୦ ହଜାର ଟଙ୍କାର ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ଦିଆଯାଇଛି।

ଏହି ମାମଲାରେ ପୂର୍ବରୁ କଟକ ଜିଲ୍ଲା ଓ ଦୌରାଜଜ୍‌ କୋର୍ଟରେ ଟୁଡୁଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ମାମଲାର ଗୁରୁତ୍ୱ, ତଦନ୍ତ ଚାଲିଥିବା ଏବଂ ପ୍ରମାଣ ନଷ୍ଟ କିମ୍ବା ପ୍ରଭାବିତ ହେବାର ଆଶଙ୍କା ଦର୍ଶାଇ ତଳକୋର୍ଟ ଜାମିନ ଦେବାକୁ ମନା କରିଥିଲେ।

ସୂଚନାଯୋଗ୍ୟ, ଗତ ଜୁନ୍‌ ୪ ତାରିଖ ସକାଳେ କଟକ ବାରଙ୍ଗ ଥାନା ଅଧୀନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ନିକଟ କାଠଯୋଡ଼ି ନଦୀରୁ ତୃତୀୟ ବର୍ଷର ଏମବିବିଏସ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିଥିଲା। ପୋଷ୍ଟମର୍ଟମରେ ପାଣିରେ ବୁଡ଼ିବା ଯୋଗୁଁ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଥିଲା।

ତେବେ ଚନ୍ଦ୍ରିକାଙ୍କ ପରିବାର ଏହାକୁ ସାଧାରଣ ଆତ୍ମହତ୍ୟା ଘଟଣା ବୋଲି ମାନିନଥିଲେ। ପରିବାର ପକ୍ଷରୁ ତାଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଓ ହତ୍ୟା ଅଭିଯୋଗ ମଧ୍ୟ ଅଣାଯାଇଥିଲା। ଏହି ଅଭିଯୋଗକୁ ନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଥିଲା।

ଚନ୍ଦ୍ରିକା ଓ ଭୀମସେନ ଦୀର୍ଘଦିନ ଧରି ପରସ୍ପରର ସମ୍ପର୍କରେ ବୋଲି ପରିବାର ପକ୍ଷରୁ କୁହାଯାଇଥିଲା। ଉଭୟ ବିବାହ କରିଥାନ୍ତେ। କିନ୍ତୁ ସମ୍ପର୍କରେ ତିକ୍ତତା ଆସିବା ଯୋଗୁଁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ପରିବାର ଅଭିଯୋଗ ଆଣିଥିଲା।

ଘଟଣା ପରେ ଭୀମସେନ କିଛି ସମୟ ଫେରାର ଥିବା ବେଳେ ତାଙ୍କୁ ଧରିବା ପାଇଁ କମିଶନରେଟ୍‌ ପୁଲିସ ଏକାଧିକ ଟିମ୍‌ ଗଠନ କରିଥିଲା। ପରେ ମୟୂରଭଞ୍ଜରୁ ତାଙ୍କୁ ଗିରଫ କରାଯାଇଥିଲା।

ଗିରଫଦାରୀ ପରେ ଭୀମସେନଙ୍କ ବିରୋଧରେ ସରକାରୀ ସ୍ତରରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ସେ ନୂଆ ଭାବେ OT&AS ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ। ୪୮ ଘଣ୍ଟାରୁ ଅଧିକ ସମୟ ପୁଲିସ ହେପାଜତରେ ଥିବାରୁ ତାଙ୍କୁ ସରକାରୀ ସେବାରୁ ବହିଷ୍କାର କରାଯାଇଥିଲା।