ଏସସିବିରେ ୧ କୋଟି ୪୦ ଲକ୍ଷ କେଳେଙ୍କାରୀ ମାମଲା: ଅଧୀକ୍ଷକଙ୍କ ଚାମ୍ବରରେ ସ୍ୱାସ୍ଥ୍ୟ ବିଭାଗର ଅଡିଟ୍ ଟିମ୍
କେଳେଙ୍କାରୀ ନେଇ ଦୁଇ ଜଣିଆ ସଦସ୍ୟଙ୍କ ଖୋଳତାଡ଼ ଆରମ୍ଭ
କଟକ, ୦୩/୦୯: କଟକ ଏସସିବି ମେଡିକାଲ କଲେଜ ଓ ହସପିଟାଲରେ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କାର କେଳେଙ୍କାରୀ ଅଭିଯୋଗକୁ ନେଇ ତଦନ୍ତ ଜୋରଦାର ହୋଇଛି। ଘଟଣାର ଖୋଳତାଡ଼ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇଜଣିଆ ଅଡିଟ୍ ଟିମ୍ SCBରେ ପହଞ୍ଚିଛି। ଟିମ୍ ପକ୍ଷରୁ ହସ୍ପିଟାଲ୍ର ଅଧୀକ୍ଷକଙ୍କ ଚାମ୍ବରରେ ତଦନ୍ତ ଓ ଅଡିଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି।
ପ୍ରାଥମିକ ସୂଚନା ଅନୁସାରେ, SCBର ପ୍ରାୟ ୨୦୭ ଜଣ କର୍ମଚାରୀଙ୍କ ସାଲାରୀ ଆକାଉଣ୍ଟରେ ହେରଫେର କରାଯାଇଥିବା ଅଭିଯୋଗ ରହିଛି। କର୍ମଚାରୀଙ୍କ ଦରମା ସମ୍ପର୍କିତ ତଥ୍ୟରେ ଅନିୟମିତତା କରି ଟଙ୍କା ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିବା ନେଇ ଅଭିଯୋଗ ଉଠିଛି।
ଏହି ଘଟଣାରେ SCBରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟରତ ଦୀନେଶ ରାଉତଙ୍କୁ ପୂର୍ବରୁ ପୋଲିସ ଗିରଫ କରିସାରିଛି।
ଅଭିଯୋଗ ଅନୁସାରେ, ପ୍ରାୟ ୨୦୭ ଜଣ କର୍ମଚାରୀଙ୍କ ଦରମା ଆକାଉଣ୍ଟରେ ହେରଫେର କରାଯାଇଥିଲା। ଏହାରି ମାଧ୍ୟମରେ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କାର ଅର୍ଥ ଅନିୟମିତତା ହୋଇଥିବା ଜଣାପଡ଼ିଛି। ବିଶେଷ କରି ଦୀନେଶ ରାଉତଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ସୂଚନା ମିଳିଛି। ତେବେ ଯାଞ୍ଚ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ।