ରାଜପାକ୍ଷେ ପରିବାରକୁ ବଡ଼ ଝଟକା: ପୂର୍ବତନ ରାଷ୍ଟ୍ରପତିଙ୍କ ପୁଅ ଗିରଫ
ନମାଲଙ୍କୁ ଦୁର୍ନୀତି ମାମଲାରେ ଗିରଫ କଲା ପୋଲିସ
କଲମ୍ବୋ, ୦୪/୦୯: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପାକ୍ଷେଙ୍କ ବଡ଼ ପୁଅ ତଥା ବର୍ତ୍ତମାନର ବିରୋଧୀ ଦଳର ସାଂସଦ ନମାଲ ରାଜପାକ୍ଷେଙ୍କୁ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି। ୨୦୧୩ରେ ଶ୍ରୀଲଙ୍କାନ୍ ଏୟାରଲାଇନ୍ସ ପାଇଁ ଏୟାରବସ୍ ବିମାନ କିଣା ଓ ଲିଜ୍ ନେବା ସମ୍ପର୍କିତ ଏକ ବଡ଼ ଦୁର୍ନୀତି ତଦନ୍ତରେ ଏହି ଗିରଫଦାରୀ ହୋଇଛି।
ଶୁକ୍ରବାର ନମାଲଙ୍କୁ ଶ୍ରୀଲଙ୍କାର କମିଶନ ଟୁ ଇନଭେଷ୍ଟିଗେଟ ଆଲିଗେସନ୍ସ ଅଫ୍ ବ୍ରାଇବେରୀ ଔର କରପସନ (ସିଆଇଏବିଓସି) ପଚରାଉଚରା ପାଇଁ ଡାକିଥିଲା। ପ୍ରାୟ ୫ ଘଣ୍ଟାରୁ ଅଧିକ ସମୟ ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ପରେ ତାଙ୍କୁ କଲମ୍ବୋ ଚିଫ୍ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରାଯାଇଥିଲା ଏବଂ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ରିମାଣ୍ଡରେ ଯିବେ।
୨୦୧୩ରେ ଶ୍ରୀଲଙ୍କାନ୍ ଏୟାରଲାଇନ୍ସ ପକ୍ଷରୁ ହୋଇଥିବା ପ୍ରାୟ ୨.୩ ବିଲିୟନ ଡଲାରର ଏୟାରବସ୍ ଚୁକ୍ତିରେ ୬ଟି ଏୟାରବସ A330 ଏବଂ ୪ଟି ଏୟାରବସ A350 କିଣିବା ସହ ଆଉ ୪ଟି ବିମାନ ଲିଜ୍ ନେବାର ବ୍ୟବସ୍ଥା ଥିଲା। ମହିନ୍ଦା ରାଜପାକ୍ଷେ ସେତେବେଳେ ଶ୍ରୀଲଙ୍କାର ରାଷ୍ଟ୍ରପତି ଥିଲେ। ୨୦୧୫ରେ ସରକାର ପରିବର୍ତ୍ତନ ପରେ ଏହି ଚୁକ୍ତିକୁ ବାତିଲ କରାଯାଇଥିଲା।
ଏୟାରବସ୍ ବିରୋଧରେ ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସର ଅଧିକାରୀମାନେ ଦୀର୍ଘ ସମୟ ଧରି ଦୁର୍ନୀତିର ତଦନ୍ତ କରିଥିଲେ। ତଦନ୍ତରୁ ଜଣାପଡ଼ିଥିଲା ଯେ, ୨୦୨୦ରେ ଏୟାରବସ୍ ବିଭିନ୍ନ ଦେଶରେ ଘଟିଥିବା ଦୁର୍ନୀତି ଅଭିଯୋଗର ସମାଧାନ ପାଇଁ ପ୍ରାୟ ୪ ବିଲିୟନ ଡଲାରର ଜରିମାନା ଦେବାକୁ ରାଜି ହୋଇଥିଲା।
ଏହି ମାମଲାରେ ଶ୍ରୀଲଙ୍କାନ୍ ଏୟାରଲାଇନ୍ସର ପୂର୍ବତନ ସିଇଓ କପିଲା ଚନ୍ଦ୍ରସେନାଙ୍କ ନାଁ ମଧ୍ୟ ଆସିଥିଲା। ତାଙ୍କୁ ୨୦୨୬ ମାର୍ଚ୍ଚରେ ଏୟାରବସ୍ ଚୁକ୍ତି ସମ୍ପର୍କିତ ଅଭିଯୋଗରେ ଗିରଫ କରାଯାଇଥିଲା।
ତେବେ ନମାଲଙ୍କ ଗିରଫଦାରୀ ରାଜପାକ୍ଷେ ପରିବାର ପାଇଁ ଏକ ବଡ଼ ଝଟକା। ଶ୍ରୀଲଙ୍କାରେ ଦୀର୍ଘ ସମୟ ଧରି ରାଜପାକ୍ଷେ ପରିବାରର ରାଜନୈତିକ ପ୍ରଭାବ ରହିଆସିଛି। ମହିନ୍ଦା ରାଜପାକ୍ଷେ ୨୦୦୫ରୁ ୨୦୧୫ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ଥିଲେ। ଏହି ସମୟରେ ହୋଇଥିବା ବିଭିନ୍ନ ସରକାରୀ ଚୁକ୍ତିକୁ ନେଇ ପରବର୍ତ୍ତୀ ସମୟରେ ଅନେକ ତଦନ୍ତ ହୋଇଛି।