ଥିରୁଅନନ୍ତପୁରମ, ୦୫/୦୯: କେରଳର ଥ୍ରିସୁର ଜିଲ୍ଲାରେ ଘଟିଛି ଭୟାବହ ସଡ଼କ ଦୁର୍ଘଟଣା। ଜାତୀୟ ରାଜପଥ-୬୬ରେ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ ଟ୍ରକକୁ ଏକ କାର୍ ଧକ୍କା ଦେବାରୁ କାର୍ରେ ଥିବା ୮ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସମସ୍ତେ ତାମିଲନାଡୁର ଛାତ୍ର ବୋଲି ପ୍ରାଥମିକ ସୂଚନା ମିଳିଛି।
ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୧୧ଟା ୪୦ ମିନିଟ୍ ସମୟରେ ଥ୍ରିସୁର ଜିଲ୍ଲାର କୈପମଙ୍ଗଲମ ନିକଟ ପନମ୍ବିକୁନ୍ନୁ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। କାର୍ଟି ଗୁରୁବାୟୁର ଦିଗରୁ କୋଡୁଙ୍ଗଲୁର ଆଡ଼କୁ ଯାଉଥିବା ବେଳେ ଏନ୍ଏଚ୍-୬୬ରେ ନିର୍ମାଣ କାମ ଚାଲିଥିବା ଅଞ୍ଚଳରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଲରି ପଛରେ ଜୋର୍ରେ ପିଟିଥିଲା।
ଦୁର୍ଘଟଣାରେ କାର୍ଟି ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପରେ ଉଦ୍ଧାରକାରୀ ଦଳ ପହଞ୍ଚି କାର୍କୁ କାଟି ଭିତରୁ ମୃତକମାନଙ୍କୁ ବାହାର କରିଥିଲେ।
ସୂଚନା ଅନୁସାରେ, ମୃତ ଛାତ୍ରମାନେ ହେଲେ ତାମିଲନାଡୁର। ମୃତକଙ୍କ ମଧ୍ୟରୁ ୭ ଜଣ ଦିଣ୍ଡିଗୁଲର ଏକ ଇଞ୍ଜିନିୟରିଂ କଲେଜର ଛାତ୍ର ଥିବା ସୂଚନା ମିଳିଛି। ସେମାନେ ଛୁଟିରେ ବୁଲିବା ପାଇଁ କେରଳ ଆସିଥିଲେ ବୋଲି ସୂଚନା ମିଳିଛି। ତେବେ ପୋଲିସ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।